ବ୍ୟାଙ୍କ୍‌ରେ କମିସନରେଟ୍‌ ପୁଲିସର ମକ୍‌ ଡ୍ରିଲ୍‌: ଯାଞ୍ଚ ହେଲା ୧୮ ବ୍ୟାଙ୍କର ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ବର: ପୂର୍ବାହ୍ଣ ପ୍ରାୟ ୧୧ଟା। ନୂଆପଲ୍ଲୀ ଏସ୍‌ବିଆଇ ଶାଖାରେ ଗ୍ରାହକଙ୍କ ଗହଳଚହଳ ଲାଗିଥିଲା। ବ୍ୟାଙ୍କ କର୍ମଚାରୀମାନେ ନିଜନିଜ ସିଟ୍‌ରେ ବ୍ୟସ୍ତ ଥିଲେ। କିଛି କାଉଣ୍ଟର ସମ୍ମୁଖରେ ଲମ୍ବା ଧାଡ଼ି ଥିଲା। କିଛି ଗ୍ରାହକ ଅପେକ୍ଷା କରିବାକୁ ଯାଇ ଚେୟାର୍‌ରେ ବସିଥିଲେ। ହଠାତ୍ ବ୍ୟାଙ୍କ୍‌ ଭିତରକୁ ପଶିଆସିଲେ ୭/୮ଜଣ ମୁଖା ପିନ୍ଧା ଯୁବକ। ସେମାନଙ୍କ ହାତରେ ଥାଏ ବନ୍ଧୁକ। କେହି କିଛି ବୁଝିବା ପୂର୍ବରୁ ୨ ଜଣ ସୁରକ୍ଷାକର୍ମୀଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ କାବୁ କରିନେଲେ। ଆଉ ଜଣେ ଧାଇଁଯାଇ ଆଲାର୍ମ ଥିବା ଅଧିକାରୀଙ୍କ ମୁଣ୍ଡରେ ବନ୍ଧୁକ ଲଗାଇଦେଲା। ଅନ୍ୟମାନେ ଗ୍ରାହକ ଓ ବ୍ୟାଙ୍କ କର୍ମଚାରୀମାନଙ୍କୁ ଚୁପ୍‌ଚାପ ହାତ ଉପରକୁ ଟେକି ଠିଆହେବାକୁ ନିର୍ଦ୍ଦେଶ ଦେଲେ। ୨ ଯୁବକ ମ୍ୟାନେଜରଙ୍କ ପାଖକୁ ଯାଇ ଟଙ୍କା ରହୁଥିବା ଆଇରନ୍‌ ଚେଷ୍ଟ ଓ ଲକର୍‌ର ଚାବି ମାଗିଥିଲେ। ମାତ୍ର ୩/୪ ମିନିଟ୍‌ ଭିତରେ ମୁଖାପିନ୍ଧା ଯୁବକମାନେ ସମସ୍ତଙ୍କୁ କାବୁ କରିନେଇଥିଲେ।

ଗ୍ରାହକମାନଙ୍କ ଭିତରେ ଭୟର ବାତାବରଣ ଖେଳି ଯାଇଥିଲା। କିନ୍ତୁ ହଠାତ୍ ବଦଳିଗଲା ମାହୋଲ। ବ୍ୟାଙ୍କ ଭିତରକୁ ପଶିଆସିଲେ ପୁଲିସ। ମୁଖାପିନ୍ଧା ଯୁବକମାନଙ୍କୁ ବନ୍ଧୁକ ଦେଖାଇ ଆୟତ୍ତ କଲେ। ପରେପରେ ଜଣାପଡ଼ିଲା ଯେ ମୁଖାପିନ୍ଧା ଯୁବକମାନେ ବି ଥିଲେ ପୁଲିସ କର୍ମଚାରୀ। ଏହା କମିସନରେଟ୍‌ ପୁଲିସର ମକ୍ ଡ୍ରିଲ୍‌ ଥିଲା ବୋଲି ଘୋଷଣା କରାଗଲା। ସେତେବେଳେ ଯାଇ ଉପସ୍ଥିତ ଗ୍ରାହକମାନେ ଆଶ୍ବସ୍ତ ହେଲେ।

ଆଜି କମିସନରେଟ୍‌ ପୁଲିସ ପକ୍ଷରୁ ରାଜଧାନୀର ପ୍ରାୟ ୧୮ ବ୍ୟାଙ୍କ୍‌ରେ ଏମିତି ମକ୍‌ ଡ୍ରିଲ୍‌ କରାଯାଇଛି। ଡିସିପି ପ୍ରତୀକ୍‌ ସିଂଙ୍କ ନେତୃତ୍ବରେ ବରିଷ୍ଠ ପୁଲିସ ଅଧିକାରୀମା‌ନେ ବ୍ୟାଙ୍କ୍‌ରେ ଏହି ମକ୍‌ ଡ୍ରିଲ୍‌ କରାଇଥିଲେ। ବ୍ୟାଙ୍କ୍‌ ଡକାୟତି ରୋକିବା ଉଦ୍ଦେଶ୍ୟରେ କମିସନରେଟ୍‌ ପୁଲିସ ଏଭଳି ପଦକ୍ଷେପ ଗ୍ରହଣ କରିଛି। ଏହି ଅବସରରେ ପୁଲିସ ବ୍ୟାଙ୍କ୍‌ଗୁଡ଼ିକର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଥିଲା। ସିସିଟିଭିଠାରୁ ଆରମ୍ଭ କରି ସୁରକ୍ଷାକର୍ମୀ ନିଯୁକ୍ତି ପର୍ଯ୍ୟନ୍ତ ସମସ୍ତ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରାଯିବା ସହ ଆବଶ୍ୟକ ପରାମର୍ଶ ଦିଆଯାଇଥିଲା। ଆଜି ପ୍ରଥମ ଦିନରେ ଖାରବେଳନଗର, କ୍ୟାପିଟାଲ, ସହିଦନଗର, ଭରତପୁର, ଲକ୍ଷ୍ମୀସାଗର, ବଡ଼ଗଡ଼, ଖଣ୍ଡଗିରି, ଚନ୍ଦ୍ରଶେଖରପୁର, ନୂଆପଲ୍ଲୀ ଆଦି ୯ ଥାନା ଅଞ୍ଚଳରେ ଥିବା ୧୮ଟି ଜାତୀୟକରଣ ଓ ଘରୋଇ ବ୍ୟାଙ୍କ୍‌ଗୁଡ଼ିକରେ ମକ୍‌ ଡ୍ରିଲ୍‌ କରାଯାଇଥିଲା। ଏହି ମକ୍‌ ଡ୍ରିଲ କରିବାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ହଠାତ୍ ଯଦି କୌଣସି ବ୍ୟାଙ୍କରେ ଡକାୟତି ଘଟେ, ବ୍ୟାଙ୍କ କର୍ମଚାରୀମାନେ କ’ଣ କରିବେ, ଗ୍ରାହକମାନେ କିଭଳି ପ୍ରତିକ୍ରିୟା ପ୍ରଦର୍ଶନ କରିବେ ଏବଂ ସର୍ବୋପରି ପୁଲିସର ପ୍ରତିକ୍ରିୟା କିପରି ହେବ। ପୁଲିସ କେତେ ଶୀଘ୍ର ଘଟଣାସ୍ଥଳରେ ପହଞ୍ଚିବ।

ମକ୍‌ ଡ୍ରିଲ୍‌ ଅବସରରେ ବରିଷ୍ଠ ପୁଲିସ ଅଧିକାରୀମାନେ ଏହା ବୁଝାଇଥିଲେ। ଏହି ଅବସରରେ ପୁଲିସ ଅଧିକାରୀମାାନେ ବ୍ୟାଙ୍କ୍‌ ଆଲାର୍ମିଂ ସିଷ୍ଟମ୍ କାମ କରୁଛି କି ନାହିଁ, ନିୟୋଜିତ ସୁରକ୍ଷାକର୍ମୀ ଡକାୟତଙ୍କୁ ମୁକାବିଲା କରିବାକୁ କେତେ ପାରଙ୍ଗମ, ଲାଗିଥିବା ସିସିଟିଭି କ୍ୟାମେରା କାମ କରୁଛି କି ନାହିଁ, ପିକ୍‌ଚର କ୍ବାଲିଟି ଓ କ୍ଲାରିଟି କିଭଳି ରହିଛି, ସେସବୁର ଯାଞ୍ଚ କରାଯାଇଥିଲା। ନିମ୍ନମାନର କ୍ୟାମେରା ଲଗାଇଯାଇଥିବା ବ୍ୟାଙ୍କ୍‌ଗୁଡ଼ିକୁ ତୁରନ୍ତ ଭଲ ସିସିଟିଭି ଲଗାଇବାକୁ କୁହାଯାଇଛି। ହାଇ ରିଜୋଲ୍ୟୁସନ୍‌ କ୍ୟାମେରା ଲଗାଇବାକୁ ପରାମର୍ଶ ଦିଆଯାଇଛି। ଏଣିକି ମଝିରେ ମଝିରେ ପୁଲିସ ବ୍ୟାଙ୍କକୁ ଯାଇ ଏସବୁର ଯାଞ୍ଚ କରିବା ସହ ବ୍ୟାଙ୍କ ସୁରକ୍ଷା ସମ୍ପର୍କରେ ଆଲୋଚନା କରିବେ ଏବଂ କୌଣସି ସମସ୍ୟା ଥିଲେ ତାହା ଉପରେ ପଦକ୍ଷେପ ନିଆଯିବ। ଏହାଦ୍ବାରା ଅନେକ ଅଘଟଣକୁ ଏଡ଼ାଇଦିଆଯାଇପାରିବ ବୋଲି ଡିସିପି ଶ୍ରୀ ସିଂ କହିଛନ୍ତି। ଆଗକୁ ମଧ୍ୟ ଏହି ପ୍ରକାରର ମକ୍‌ଡ୍ରିଲ୍‌ ଅନ୍ୟ ବ୍ୟାଙ୍କ୍‌ଗୁଡ଼ିକରେ କରାଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର