କର୍ପୋରେସନ ବୈଠକ: ଶୂନ ଆବର୍ଜନା ପାଇଁ ବିଏମ୍‌ସିର ଗୁରୁତ୍ୱ

ଉଠିଚାଲିଗଲେ କର୍ପୋରେଟର, କିଏ କରୁଛି ଟେକ୍ନିକାଲ୍‌ ଆକାଉଣ୍ଟିଂ?

ଭୁବନେଶ୍ୱର: ଆଜି ବିଏମ୍‌ସିର ୨୨ ତମ ସାଧାରଣ ବୈଠକ ଅନୁଷ୍ଠିତ ହୋଇଛି। ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜଟଣୀ ବିଧାୟକ ବିଭୁତି ଭୂଷଣ ବଳବନ୍ତରାୟ, ଭୁବନେଶ୍ୱର(ଉତ୍ତର) ବିଧାୟକ ସୁଶାନ୍ତ କୁମାର ରାଉତ, ବିଧାୟକ ଭୁବନେଶ୍ୱର (ଏକାମ୍ର) ବାବୁ ସିଂହ, ଡେପୁଟି ମେୟର ମଞ୍ଜୁଲତା କହଁର, ବିଏମ୍‌ସି କମିସନର ରାଜେଶ ପ୍ରଭାକର ପାଟିଲ, ଅତିରିକ୍ତ କମିସନର ଘାସିରାମ ମୁର୍ମୁ ଓ ସସ୍ମିତା ସାହୁ, ସିଟି ଇଞ୍ଜିନିୟର ବିଳାସ କୁମାର ବେହେରା ପ୍ରମୁଖ ମଞ୍ଚାସୀନ ଥିବା ବେଳେ ଷ୍ଟାଣ୍ଡିଂ କମିଟିର ସମସ୍ତ ଅଧ୍ୟକ୍ଷ/ଅଧ୍ୟକ୍ଷା, କର୍ପୋରେଟର, ବିଏମ୍‌ସିର ସମସ୍ତ ଅଧିକାରୀ ଓ ସଂଯୁକ୍ତ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।

ଉଠିଚାଲିଗଲେ କର୍ପୋରେଟର
ବୈଠକ ଆରମ୍ଭ ହେଉ ହେଉ କେତେକ କର୍ପୋରେଟର ଶୂନ୍ୟକାଳ ପାଁ ଜିଦ୍‌ କରିଥିଲେ। କେଉଁଠି ପାଣି ନାହିଁ, କେଉଁଠୁ ଆବର୍ଜନା ଉଠୁନି, କେଉଁଠି ଲାଇଟ୍‌ ଜଳୁନି ଏଭଳି ଅଭିଯୋଗ ଆରମ୍ଭ କରିଥିଲେ। ଫଳରେ ମୁଖ୍ୟ ଏଜେଣ୍ଡା ଆଲୋଚନା ହୋଇ ପାରିନଥିଲା। ଦୀର୍ଘ ସମୟ ପର୍ଯ୍ୟନ୍ତ ଏଭଳି ଚାଲିବାରୁ ୩୦ରୁ ଊର୍ଦ୍ଧ୍ବ କର୍ପୋରେଟର ଗୃହ ପରିତ୍ୟାଗ କରିଥିଲେ। ମଧ୍ୟାହ୍ନ ଭୋଜନ ବିରତି ପର୍ଯ୍ୟନ୍ତ ଏଭଳି ଚାଲିଥିଲା। ବିରତି ପରେ ପୁଣି ବୈଠକ ବସିଥିଲା। କିନ୍ତୁ କମିସନର ଏକ ଜରୁରି ବୈଠକ ପାଇଁ ଚାଲି ଯାଇଥିଲେ। ଫଳରେ ଯାହା ମୁଖ୍ୟ ପ୍ରସଙ୍ଗ ରହିଥିଲା ତାହାର ଉତ୍ତର ଦେବା ପାଇଁ ବା ଉପଯୁକ୍ତ ପରାମର୍ଶ ପାଇଁ କେହି ନଥିଲେ। ଫଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା।

ବିଶେଷକରି ଡ୍ରେନେଜ୍ ବ୍ୟବସ୍ଥା, ଜଳବନ୍ଦୀ, ପରିମଳରେ ପ୍ରଯୁକ୍ତି ବିଦ୍ୟାର ଉପଯୋଗ, ସୌନ୍ଦର୍ଯ୍ୟୀକରଣ, ରାସ୍ତାଘାଟର ଉନ୍ନତୀକରଣ, ସବୁଜୀକରଣ ଉପରେ ଆଲୋଚନା ହେବା ସହ ଏକାଧିକ ପ୍ରସ୍ତାବ ଗୃହୀତ ହୋଇଥିଲା। କର୍ପୋରେଟରମାନେ କରିଥିବା ୧୦ଟି ପ୍ରଶ୍ନ ଉପରେ ଆଲୋଚନା ହୋଇଥିଲା। ଅସମ୍ପୂର୍ଣ୍ଣ ପ୍ରକଳ୍ପଗୁଡିକୁ ପୂର୍ଣ୍ଣ ରୂପ ଦେବା, ଭିତ୍ତିଭୂମିର ବିକାଶ, ବିଭାଗୀୟ ସମନ୍ୱୟ, ଆଲୋକୀକରଣର ସମୀକ୍ଷା, ବିବାଦୀୟ ସ୍ଥାନଗୁଡିକର ଆଶୁ ସମାଧାନ ଉପରେ ବିଚାରବିମର୍ଶ ହୋଇଥିଲା। ବିଧାୟକ ବାବୁ ସିଂହ କେହି ବିଜେଡି କିମ୍ବା ବିଜେପି ନୁହେଁ, ବରଂ ଭୁବନେଶ୍ବର ପାଇଁ ସମସ୍ତେ ମିଳିମିଶି କାମ କରିବା ପାଇଁ ସେ ଆହ୍ବାନ ଦେଇଛନ୍ତି।

ବିଭିନ୍ନ ଉପବିଭାଗରୁ ଆସିଥିବା ପ୍ରସ୍ତାବଗୁଡିକ ଆଲୋଚନା କରାଯାଇ ଗୃହୀତ ହୋଇଥିଲା। ବିକେନ୍ଦ୍ରୀକୃତ ବର୍ଜ୍ୟ ସଂଗ୍ରହ, ଗୋଷ୍ଠୀ ଶୌଚାଳୟର ପରିଚାଳନା ଇତ୍ୟାଦି ଏଥର ଏନ୍‌ଜିଓ କରିବେ। ଏନ୍‌ଜିଓ ସଦସ୍ୟମାନେ ଅଧିକ ବର୍ଜ୍ୟୃ ଉତ୍ପାଦ କରୁଥିବା ସଂସ୍ଥାଙ୍କୁ ବୁଲି ବୁଲି ବୁଝାଇବେ ବୋଲି ନିଷ୍ପତ୍ତି ହୋଇଛି। ସରକାରଙ୍କର ଆଦେଶ ଅନୁଯାୟୀ କମ୍ୟୁନିଟ୍ ଅର୍ଗାନାଇଜର, ଡିଏଲ୍‌ଆର ଓ ସିଏଲ୍‌ଆରଙ୍କ ପାରିଶ୍ରମିକ ବୃଦ୍ଧି ପ୍ରସ୍ତାବ ପାରିତ ହୋଇଥିଲା। ଏହା ବ୍ୟତୀତ ସବୁଜ ବର୍ଜ୍ୟ ବିଶେଷ କରି କଟା ଗଛ, ଡାଳ ଇତ୍ୟାଦିରୁ ସ୍ୱତନ୍ତ୍ର ଜାଳେଣି ପ୍ରସ୍ତୁତ କରାଯିବା ପାଇଁ କାରଖାନା ବସାଇବା ପ୍ରସ୍ତାବ ସ୍ବୀକୃତି ପାଇଥିଲା।

କିଏ କରୁଛି ଟେକ୍ନିକାଲ୍‌ ଆକାଉଣ୍ଟିଂ?
ବିଦ୍ୟୁତ ବିଲ୍‌ ବାବଦକୁ ଯାଉଥିବା କୋଟି କୋଟି ଟଙ୍କା ସଞ୍ଚୟ ପାଇଁ ଏଲ୍‌ଇଡି ଲାଇଟ୍‌ ଲାଗିଲା। ୨ଟି ଠିକା ସଂସ୍ଥା ଲାଇଟ୍‌ ଲଗାଇବା ନାଇଁରେ କୋଟି କୋଟି ଟଙ୍କା ନେଲେ। ହେଲେ ଏହାକୁ ଯାଞ୍ଚ କରିବା ପାଇଁ ଏନର୍ଜି ଅଡିଟର ନିଯୁକ୍ତ ହେଲେନି। ୧୦ ବର୍ଷ ପୂରିବାକୁ ବସିଥିଲେ ମଧ୍ୟ ବ୍ୟବସ୍ଥା ହେଉନଥିବାରୁ ଲୁଟ୍‌ପାଟ୍‌ ଚାଲିଛି। ନିୟମିତ ଅଭିଯୋଗ ପରେ ବଏମ୍‌ସି ଟେଣ୍ଡର କରିଥିଲେ ମଧ୍ୟ ଏହା ଏକକ ଆବେଦନକାରୀ ଯୋଗୁ ବାତିଲ ହୋଇଛି। ଆଉ ବିଏମ୍‌ସି ଟେଣ୍ଡର କରୁନାହିଁ। ଏ ନେଇ ନୃପେଶ ନାୟକ ଆଜି ବୈଠକରେ ପ୍ରଶ୍ନ ଉଠାଇଥିଲେ। ଏନର୍ଜି ଅଡିଟର ନଥିବାରୁ ଟେକ୍ନିକାଲ୍‌ ଆକାଉଣ୍ଟିଂ କିଏ କରୁଛି ବୋଲି ପ୍ରଶ୍ନ କରିଥିଲେ। ହେଲେ କେହି ଏହାର ଉତ୍ତର ଦେଇ ପାରିନଥିଲେ। ତେବେ ଆଉ ଥରେ ଟେଣ୍ଡର ହେବ‌ ବୋଲି ବିଏମ୍‌ସି ସୂଚନା ଦେଇଛି। ସେ‌ହିଭଳି ଓପିଡ୍ବ୍ଲୁଡି କୋଡ୍‌ ଆଧାରରେ ଟେଣ୍ଡର ମୂଲ୍ୟର ୪.୯୯ ପ୍ରତିଶତ ଅଧିକ ଦିଆଯାଉଥିଲା। କିନ୍ତୁ ଏହାକୁ ୧% କରିଦେବାକୁ ବିଏମ୍‌ସି କହିବାରୁ ଶ୍ରୀ ନାୟକ ଏହାକୁ ବିରୋଧ କରିଥିଲେ। ଏଣୁ ପରବର୍ତ୍ତୀ ସମୟରେ ଏହାର ବିଚାର କରାଯିବ ବୋଲି ନିଷ୍ପତ୍ତି ହୋଇଛି।

ଫସିଛି ୱାର୍ଡ ଅଫିସ
ୱାର୍ଡ ନଂ.୫୭ରେ ୱାର୍ଡ ଅଫିସ୍‌ ନିର୍ମାଣରେ ସରକାର ରୋକ୍‌ ଲଗାଇବା ପରେ ଆହୁରି ଅନେକ ୱାର୍ଡ ଅଫିସ୍‌ ନିର୍ମାଣ ଅଟକି ରହିଥିବା ଜଣାପଡ଼ିଛି। ୱାର୍ଡ ନଂ ୬୦ରେ ହରିପୁର ପାଟଣାର ମୌଜାରେ ୦.୦୨୭ ଡେସିମିଲ୍‌ ଜାଗାରେ ୱାର୍ଡ ଅଫିସ ନିର୍ମାଣ ଆରମ୍ଭ ହୋଇଥିଲା। କିନ୍ତୁ ଏହାକୁ ହଠାତ୍‌ ବାତିଲ କରି ବିଏମ୍‌ସି ନୂଆ ଜାଗା ଚିହ୍ନଟ କରିଛି। କାହିଁକି ଏଭଳି ହେଲା ସେ ନେଇ ବିଏମ୍‌ସି କୌଣସି ଉତ୍ତର ଦେଇ ନାହିଁ। ସେହିଭଳି ୱାର୍ଡ ନଂ.୧୩ରେ ୬ ମାସ ତଳେ ଜାଗା ଚିହ୍ନଟ ହେବା ସହ ମେୟର ଶୁଭ ଦେଇଥିଲେ। ଏପ୍ରିଲ ମାସରେ ନିର୍ମାଣ ପାଇଁ କାର୍ଯ୍ୟାଦେଶ ଦିଆଯାଇଥିଲା। କାମ ଆରମ୍ଭ ହେବା ବେଳକୁ ଜବରଦଖଲକାରୀ କୋର୍ଟର ସ୍ଥଗିତାଦେଶ ଦେଖାଇଥିଲେ। ଫଳରେ ଏଠାରେ ନିର୍ମାଣ ହୋଇ ପାରୁନାହିଁ।

ସମ୍ବନ୍ଧିତ ଖବର