କର୍ପୋରେସନ ବୈଠକ: ପିଲା ପଢ଼ିବେ ଆବର୍ଜନା ପାଠ

‘ଆବର୍ଜନା ଶୂନ୍ୟ ବିଦ୍ୟାଳୟ’ ଯୋଜନା

ଭୁବନେଶ୍ବର: ଆବର୍ଜନା ପରିଚାଳନା ଏବେ ଚିନ୍ତା ବଢ଼ାଇଛି। ଉତ୍ସରୁ ପୃଥକ୍‌ ହେଉନଥିବାରୁ ବା ମିଶ୍ର ଆବର୍ଜନା ସଂଗ୍ରହ ହେଉଥିବାରୁ ଏହାର ପରିଚାଳନା ସମ୍ଭବ ହେଉ ନାହିଁ। ଫଳରେ ଦିନକୁ ଦିନ ଆବର୍ଜନା ପରିଚାଳନା ସମସ୍ୟା ବଢ଼ିବାରେ ଲାଗିଛି। ଏଣୁ ଶିଶୁଟିଏ ଶିଖିଲେ ଅଭିଭାବକ ଶିଖିବେ। ଅଭିଭାବକ ଶିଖିଲେ ସାରା ସହର ସଚେତନ ହେବା ଆଶା କରି ବିଏମ୍‌ସି ଏବେ ଆବର୍ଜନା ପାଠ ଛାତ୍ରଛାତ୍ରୀମାନଙ୍କୁ ପଢ଼ାଇବାକୁ ଚିନ୍ତା କରିଛି। ଏଥିରେ ‘ଆବର୍ଜନା ଶୂନ୍ୟ ବିଦ୍ୟାଳୟ’ ଯୋଜନା ରହିଛି। ପ୍ରତିୱାର୍ଡରେ ଅତି କମ୍‌ରେ ଗୋଟିଏ ଲେଖାଏଁ ସ୍କୁଲ ଆବର୍ଜନା‌ ଶୂନ୍ୟ ହେବ। ସ୍କୁଲ୍‌ଗୁଡ଼ିକରେ ସଚେତନତା ସୃଷ୍ଟି କରିବା ପାଇଁ ସ୍ବତନ୍ତ୍ର ଏନ୍‌ଜିଓ ନିଯୁକ୍ତ ହେବେ। ଛାତ୍ରଛାତ୍ରୀ କିଭଳି ବର୍ଜ୍ୟବସ୍ତୁ ହ୍ରାସ କରିବା ଅଭ୍ୟାସ, ପୁନଃଚକ୍ରଣ ପଦ୍ଧତି, ଓଦା ଅଳିଆରୁ ଜୈବିକ ଖତ ପ୍ରସ୍ତୁତି, ପ୍ଲାଷ୍ଟିକ୍‌ ବର୍ଜ୍ୟର ପୁନଃ ବ୍ୟବହାର ସମ୍ପର୍କରେ ଜାଣିବେ ତାହାର ବ୍ୟବସ୍ଥା ଏହି ଏନ୍‌ଜିଓ କରିବ। ସ୍କୁଲ୍‌ରେ ପ୍ରଧାନଶିକ୍ଷକଙ୍କୁ ତାଲିମ୍‌ ସହ ଶୂନ୍ୟ ଆବର୍ଜନା କମିଟି ଗଠନ ହେବ। ଏହି ସ୍କୁଲ୍‌ଗୁଡ଼ିକରେ କମ୍ପୋଷ୍ଟ କରିବା ପାଇଁ ପିଟି ନିର୍ମାଣ ସହ ସଟିଂ ବିନ୍‌, ନାପ୍‌କିନ୍‌ ନିଷ୍ପାଦନ ବ୍ୟବସ୍ଥା ବିଏମ୍‌ସି କରିବ।

ପର୍ଯ୍ୟଟନସ୍ଥଳରେ ହେବ ଇଭି ଷ୍ଟେସନ
ଗ୍ରିନ୍‌ ସିଟି ମିସନ କାର୍ଯ୍ୟକ୍ଷମ କରିବା ପାଇଁ ନୀତି ପରିଚାଳନା ଓ ସରକାରୀ ବ୍ୟାପାର ମୁଖ୍ୟଙ୍କ ଚିଠି ଆଧାରରେ ଏକ ନୂଆ ଓ ଦୀର୍ଘ ମିଆଦି ପଦକ୍ଷେପ ସେଲ୍‌ ଗଠନ ପାଇଁ ଯୋଜନା ହୋଇଛି। ସହରରେ ଅଙ୍ଗାରକାମ୍ଳ ସାନ୍ଧ୍ରତାଚୁ ହ୍ରାସ କରିବା ପାଇଁ ଅକ୍ଷୟ ଶକ୍ତିର ବିକାଶ ସହ ଶକ୍ତି ସଂରକ୍ଷଣ ପାଇଁ ପଦକ୍ଷେପ ନିଆଯିବ। ମିସନ କାର୍ଯ୍ୟକାରୀ କରିବା ପାଇଁ ଓରେଡା ଓ ଟିପିସିଓଡିଏଲ୍‌ କାର୍ଯ୍ୟକାରୀ ଏଜେନ୍‌ସି ଭାବେ କାମ କରିବେ। ପାର୍କ ଓ ଐତିହ୍ୟସ୍ଥଳ‌ରେ ସୌର ପିଭି ସିଷ୍ଟମ ପ୍ରତିଷ୍ଠା ହେବ। ରେସ୍କୋ ମଡେଲ୍‌ ଅନୂଯାୟୀ ଶୁଳ୍କ ଆଦାୟ ‌ହେବ। ଇଭି ଚାର୍ଜି ଷ୍ଟେସନ ପ୍ରତିଷ୍ଠା ପାଇଁ ବିଏମ୍‌ସି ସହଯୋଗ କରିବ। ଏହା ସହିତ ବିଭିନ୍ନ ବୈଦ୍ୟୁତିକ ଯାନ ବ୍ୟବହାର ଓ ପ୍ରୋତ୍ସାହନ ନିଶ୍ଚିତ କରିବା ପାଇଁ ବ୍ୟାପକ ପ୍ରଚାରପ୍ରସାର ହେବ। ଏଥିପାଇଁ ଜଣେ ନୋଡାଲ ଅଫିସର ନିଯୁକ୍ତ ହେବେ।

କ୍ବାଲିଟି ଅଫ୍‌ ଲାଇଫ୍‌ ଇନିସିଏଟିଭ୍‌
ସହରୀ ଜୀବନ ମୂଲ୍ୟାୟନର ଗୁଣବତ୍ତା ବୃଦ୍ଧି ପାଇଁ ଏକ ନୂଆ ମିସନ ଆରମ୍ଭ ହେବାକୁ ଯାଉଛି। ୟୁଏନ୍‌ ହାବିଟାଟ୍‌ ବିଶ୍ବର ୯ ସହର ମଧ୍ୟକୁ ଭୁବନେଶ୍ବରକୁ ଚୟନ କରିଛି। ଏଠାରେ ସହରୀ ଜୀବନର ଗୁଣବତ୍ତା କିଭଳି ଅଛି ସେ ନେଇ ବିଭିନ୍ନ ବର୍ଗରେ ଅନୁଧ୍ୟାନ କରାଯିବା ପରେ ସହରକୁ ମାନ୍ୟତା ପ୍ରଦାନ କରାଯିବ। ଉତ୍ତମ ଗୁଣବତ୍ତାର ଜୀବନ ଯାପନ ଥିଲେ ଭୁବନେଶ୍ବର ସାରା ବିଶ୍ବରରେ ଏକ କିର୍ତ୍ତୀମାନ ସ୍ଥାପନ କରିବ। ଏଭଳି ଚିଠି ୟୁଏନ୍‌ ହାବିଟାଟ୍‌ ବି‌ଶେଷଜ୍ଞଙ୍କ ପାଖରୁ ଆସିବା ପରେ ବିଏମ୍‌ସି ତତ୍ପର ହୋଇଛି। ଏଥିପାଇଁ ଏକ ସ୍ଥାୟୀ ଇନିସିଏଟିଭ୍‌ ସେଲ୍‌ ଗଠନ ହୋଇଛି। ସହକାରୀ କମିସନର ଏନ୍‌. ଗଣେଶ ବାବୁ ଏହି ସେଲ୍‌ର ନୋଡାଲ ଅଧିକାରୀ ଭାବେ ନିଯୁକ୍ତ କରାଯାଇଛି। ଏହା ଭୁବନେଶ୍ବର ପାଇଁ ଗୌରବର କଥା ହୋଇଥିବାରୁ ଆଜି ବୈଠକରେ ଏହି ପ୍ରସ୍ତାବ ସର୍ବସମ୍ମତିକ୍ରମେ ପାରିତ ହୋଇଛି। ଡେପୁଟି କମିସନର(ଲିଗାଲ୍‌) ଙ୍କ ସମୀକ୍ଷା ପରେ ୟୁଏନ୍‌-ହାବିଟାଟ୍‌ ସହ ରାଜିନାମା ସ୍ବାକ୍ଷର ପାଇଁ ପ୍ରେରଣ କରାଯିବ।

ସମ୍ବନ୍ଧିତ ଖବର