ରିମାଣ୍ଡରେ ସାଇବର ଠକ ମଚୁମାରୀ ଗ୍ୟାଙ୍ଗ୍‌: ଜେରା କରୁଛନ୍ତି ଭୁବନେଶ୍ବର ଓ ତେଲେଙ୍ଗାନା ପୁଲିସ

ଭୁବନେଶ୍ବର: ଇଡି, ସିବିଆଇ ଓ ନାର୍କୋଟିକ୍‌ ଅଧିକାରୀଙ୍କ ନାଁ ନେବା ସହ ଡିଜିଟାଲ୍‌ ଆରେଷ୍ଟ ଧମକରେ ବଡ଼ବଡ଼ିଆଙ୍କୁ ଚୂନ ଲଗାଉଥିବା ଅନ୍ତଃରାଜ୍ୟ ସାଇବର ଠକ ମଚୁମାରୀ ଗ୍ୟାଙ୍ଗ୍‌କୁ ୩ ଦିନିଆ ରିମାଣ୍ଡରେ ଆଣିଛି କମିସନରେଟ୍‌ ପୁଲିସ। ଆଜି ସନ୍ଧ୍ୟାରୁ ଗ୍ୟାଙ୍ଗ୍‌ର ୫ ଜଣଙ୍କୁ ଉଭୟ କମିସନରେଟ୍‌ ଓ ତେଲେଙ୍ଗାନା ପୁଲିସ ମାରାଥନ୍‌ ଜେରା ଚଳାଇଛି। ପୁଲିସ ସହିତ କିଛି ସାଇବର ବିଶେଷଜ୍ଞ ମଧ୍ୟ ସେମାନଙ୍କୁ ଘନଘନ ପ୍ରଶ୍ନ କରୁଥିବା ଜଣାପଡ଼ିଛି। ଦେଶର କେଉଁ କେଉଁ ରାଜ୍ୟକୁ ଏହି ଗ୍ୟାଙ୍ଗ୍‌ର ଚେର ଲମ୍ବିଛି, ସେମାନେ କେତେଟଙ୍କା ଠକେଇ କରିଛନ୍ତି, ସେମାନେ କେଉଁଠାରୁ ସିମ୍‌ କାର୍ଡ ଯୋଗାଡ଼ କରନ୍ତି ଏବଂ ଗ୍ୟାଙ୍ଗ୍‌ରେ ଆଉ କେହି ସମ୍ପୃକ୍ତ, ସେସବୁକୁ ନେଇ ଖୋଳତାଡ଼ ଚାଲିଛି।

ହାଇଦ୍ରାବାଦ୍‌ ବାସିନ୍ଦା ତଥା ଏମ୍‌ଟେକ୍‌ ପାସ୍‌ କରିଥିବା ମାଷ୍ଟରମାଇଣ୍ଡ ମଚୁମାରୀ ବେଙ୍ଗାଲୁରୁରେ ରହି ଏହି ରୢାକେଟ୍‌ ଚଳାଇଥିଲା। ଏପର୍ଯ୍ୟନ୍ତ ମିଳିଥିବା ତଥ୍ୟ ଅନୁସାରେ ମଚୁମାରୀ ଗ୍ୟାଙ୍ଗ୍‌ର ଚେର ଆନ୍ଧ୍ରପ୍ରଦେଶ, ଆସାମ ଓ ତ୍ରିପୁରାକୁ ଲମ୍ବିଛି। କମିସନରେଟ୍‌ ପୁଲିସ ଚଳିତ ମାସରେ ପ୍ରଥମେ ମଚୁମାରୀକୁ ଗିରଫ କରିବା ପରେ ତା’ର ୪ ସହଯୋଗୀଙ୍କୁ ଆସାମ, ତ୍ରିପୁରା ଓ ଆନ୍ଧ୍ରପ୍ରଦେଶରୁ ଗିରଫ କରିଥିଲା। ସେତେବେଳେ ସେମାନଙ୍କ ନିକଟରୁ ୩୦ ସିମ୍‌ କାର୍ଡ ଓ ୨୦ ମୋବାଇଲ ଜବତ କରାଯାଇଥିଲା ଏବଂ ଭିନ୍ନ ଭିନ୍ନ ବ୍ୟାଙ୍କର ଏକାଧିକ ଆକାଉଣ୍ଟରୁ ୧୩ ଲକ୍ଷ ଟଙ୍କା ଜବତ କରାଯାଇଥିଲା। ତେଣୁ ଏହି ଗ୍ୟାଙ୍ଗ୍‌ କୋଟିକୋଟି ଟଙ୍କା ଠକେଇ କରିଥିବା ଅନୁମାନ କରାଯାଇଥିଲା। ସୂଚନାଯୋଗ୍ୟ ଯେ ଚଳିତ ମାସ ୭ ତାରିଖରେ ଏହି ଗ୍ୟାଙ୍ଗ୍‌ ଓଡ଼ିଶାର ଜଣେ ବରିଷ୍ଠ ସରକାରୀ ଅଧିକାରୀଙ୍କୁ ୩୬ ଲକ୍ଷ ଟଙ୍କାର ଚୂନ ଲଗାଇଥିଲେ।

ପ୍ରଥମେ ତାଙ୍କ ପାଖକୁ ହାଇଦ୍ରାବାଦର ଫେଡେକ୍ସ କୋରିୟର ସଂସ୍ଥା ନାଁରେ ଏକ ଫୋନ୍‌ କଲ୍‌ କରିଥିଲେ। ତାଙ୍କ ନାଁରେ ବିଦେଶରୁ ଆସିଥିବା ଏକ ପାର୍ସଲ୍‌ରେ ଡ୍ରଗସ୍‌ ରହିଛି ଏବଂ ନାର୍କୋଟିକ ଅଧିକାରୀମାନେ ତାକୁ ଧରିଛନ୍ତି ବୋଲି ଫୋନ୍‌ କରିଥିବା ବ୍ୟକ୍ତି କହିଥିଲା। ପରେପରେ ନାର୍କୋଟିକ୍‌ ଅଧିକାରୀଙ୍କ ପରିଚୟ ଦେଇ ଅନ୍ୟ ଜଣେ ଭିଡିଓ କଲ୍‌ କରି ଧମକାଇଥିଲା। ଅଧିକାରୀଜଣକ ଭୟ କରି ନକଲି ନାର୍କୋଟିକ୍‌ ଅଧିକାରୀର କଥାରେ ଆପୋସ ସମାଧାନ କରିବାକୁ ରାଜି ହୋଇଥିଲେ ଏବଂ ୩୬ ଲକ୍ଷ ଟଙ୍କା ଅନ୍‌ଲାଇନ୍‌ରେ ‌ପଇଠ କରିଥିଲେ। ପରେ ସେ ଠକାମିର ଶିକାର ହେବା ବୁଝିବା ପରେ ସାଇବର ଥାନାର ଦ୍ବାରସ୍ଥ ହୋଇଥିଲେ। ତଦନ୍ତ କରି ସାଇବର ଥାନା ପୁଲିସ ୧୮ ତାରିଖରେ ଏହି ଗ୍ୟାଙ୍ଗ୍‌କୁ ଠାବ କରିଥିଲା।

ସମ୍ବନ୍ଧିତ ଖବର