‘ଓଡ଼ିଆ ଚଳଚ୍ଚିତ୍ରକୁ ବୁଡ଼ାଇବେ ବିତରକ’: ଅଭିଯୋଗ ଆଣିଲେ ପ୍ରଯୋଜକ ରୁପେଶ

ଭୁବନେଶ୍ବର: ହିନ୍ଦୀ ଚଳଚ୍ଚିତ୍ରକୁ ଓଡ଼ିଆ ଚଳଚ୍ଚିତ୍ର ଅପେକ୍ଷା ଅଧିକ ଗୁରୁତ୍ବ ଦେଉଛନ୍ତି ବିତରକ। ଫଳରେ ଓଡ଼ିଆ ଚଳଚ୍ଚିତ୍ର ଭଲ ବେପାର କରିପାରୁନି ଏବଂ ପ୍ରଯୋଜକମାନେ ବିପୁଳ କ୍ଷତି ସହୁଛନ୍ତି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏଭଳି ଅଭିଯୋଗ ଆଣିଛନ୍ତି ପ୍ରଯୋଜକ ରୁପେଶ ନାୟକ।

ହୋଟେଲ ଶୀତଲ୍‌ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ‌ଯେ ସେ ‘କେମିତି ଏ ସମ୍ପର୍କ’ ନାଁରେ ଏକ ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି। ଆମେରିକାରୁ ଆସି ରୁପେଶ ବଡ଼ ଆଗ୍ରହର ସହ ଓଡ଼ିଆ ଚଳଚ୍ଚିତ୍ରଟିଏ କରିଥିଲେ। ଏହି ଚଳଚ୍ଚିତ୍ରର ବିତରକ ଦାୟିତ୍ବ ନେଇଥିଲା ପ୍ରକାଶ ଫିଲ୍ମସ୍‌। କିନ୍ତୁ ରୁପେଶଙ୍କ ଅଭିଯୋଗ ଅନୁସାରେ ବିତରକ ସଂସ୍ଥା ସମସ୍ତ ଚୁକ୍ତି ଖିଲାପ କରି ତାଙ୍କୁ କ୍ଷତି ପହଞ୍ଚାଇଥିଲେ। ବିତରଣ ଦାୟିତ୍ବ ନେବା ବେଳେ ସେ ଯେଉଁସବୁ ହଲ୍‌ରେ, ଯେଉଁ ସମୟରେ ଚଳଚ୍ଚିତ୍ର ପକାଇବେ ବୋଲି ଚୁକ୍ତି କରିଥିଲେ, ସେମିତି କିଛି କଲେ ନାହିଁ। ଫଳରେ ଚଳଚ୍ଚିତ୍ରଟି ଭଲ ବେପାର କରିବାରେ ସକ୍ଷମ ହେଲା ନାହିଁ ଏବଂ ସେ ପ୍ରାୟ କୋଟିଏ ଟଙ୍କାର କ୍ଷତି ସହିଲେ। ଫେବ୍ରୁଆରି ମାସରେ ଏହି ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା। ପ୍ରଥମରୁ ଭଲ ହଲ୍‌ ଓ ଭଲ ସୋ’ ନ ମିଳିବାରୁ ପ୍ରଯୋଜକ ରୁପେଶ ବିତରକଙ୍କୁ ବାରମ୍ବାର କହିଥିଲେ। କିନ୍ତୁ ସେତେବେଳେ ସେ କିଛି ଶୁଣିନଥିଲେ। ଚୁକ୍ତି ଖିଲାପ କରିଥିବାରୁ ରୁପେଶ କମିସନରେଟ୍‌ ପୁଲିସର ଦ୍ବାରସ୍ଥ ହେବା ସହ ଆବଶ୍ୟକ ପଡ଼ିଲେ, ସେ କୋର୍ଟରେ ଅଭିଯୋଗ କରିବେ ବୋଲି କହିଛନ୍ତି।

ଏହି ଅବସରରେ ସେ ପୁଣି କହିଛନ୍ତି ଯେ ବିତରକମାନେ ଏମିତି କଲେ ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣ କରିବାକୁ ଆଗ୍ରହ କମିବ। ପ୍ରଯୋଜକମାନେ ହାତବାନ୍ଧି ବସିବାକୁ ବାଧ୍ୟ ହେବେ। ଫଳରେ ଓଡ଼ିଆ ଚଳଚ୍ଚିତ୍ରଟିଏ ନିର୍ମାଣ କରିବାରେ ନିଯୁକ୍ତ ହେଉଥିବା ବିଭିନ୍ନ ବର୍ଗର କର୍ମଚାରୀ ଓ ଟେକ୍ନିସିଆନ୍‌ମାନେ ରୋଜଗାର ହରାଇବେ। ତେଣୁ ପ୍ରଯୋଜକମାନଙ୍କୁ ବିରତକମାନେ ସହଯୋଗ କରିବା ଉଚିତ। ମାତ୍ର ପ୍ରକାଶ ଫିଲ୍ମସ୍‌ ଭଳି ବିତରକ ସଂସ୍ଥା ହେଲେ ଓଡ଼ିଆ ଚଳଚ୍ଚିତ୍ର ବୁଡ଼ିଯିବ ବୋଲି ରୁପେଶ କହିଛନ୍ତି।

ସମ୍ବନ୍ଧିତ ଖବର