ଅନ୍ଧାରରେ ଜଟଣୀ-ତଳଖେତା ରାସ୍ତା: ଷ୍ଟ୍ରିଟ୍ ଲାଇଟ୍ ସାତ ସପନ

ଜଟଣୀ: ଦିନକୁ ଦିନ ରାଜଧାନୀ ଉପକଣ୍ଠ ଜଟଣୀ ପରିସୀମା ବୃଦ୍ଧି ପାଉଛି। ଫଳରେ ଗତକିଛି ବର୍ଷ ହେଲା ଜଟଣୀ-ତଳଖେତା ରାସ୍ତା ଉପରେ ନିର୍ଭର କରୁଥିବା ଲୋକଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ମାତ୍ର ଏହି ରାସ୍ତାରେ ଷ୍ଟ୍ରିଟ୍ ଲାଇଟ୍ ଲାଗିନଥିବାରୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଜଟଣୀ ଗେଟ୍‌ରୁ ହରି ଭାଇନା ଛକ ପର୍ଯ୍ୟନ୍ତ ପ୍ରାୟ ୭କିମି ରାସ୍ତା ମଧ୍ୟରୁ ୫କିମି ଅନ୍ଧାରରେ ରହିଛି। ଜଟଣୀ ଗେଟ୍ ନିକଟରୁ ଜଟଣୀ ପୌରପାଳିକା ଷଣ୍ଢପୁର ପର୍ଯ୍ୟନ୍ତ ଷ୍ଟ୍ରିଟ୍ ଲାଇଟ୍ ନଥିବାରୁ ରାତି ହେଲେ ଏହି ୱାନ୍ ୱେ ରାସ୍ତା ମରଣଯନ୍ତା ପାଲଟିଯାଉଛି। ଏହି ମୁଖ୍ୟ ରାସ୍ତା ଦେଇ ପ୍ରତିଦିନ ଜଟଣୀ ବ୍ଲକ ଓ ପୌରାଞ୍ଚଳର ଲୋକମାନେ ଯାତାୟାତ କରୁଥିବା ବେଳେ ଷ୍ଟ୍ରିଟ୍ ଲାଇଟ୍ ଲଗାଇବାକୁ ଦାବି କରି ଆସୁଛନ୍ତି। ହେଲେ ପ୍ରଶାସନ କର୍ଣ୍ଣପାତ କରୁନାହିଁ। ଏଣୁ ଧୀରେ ଧୀରେ ଜନଅସନ୍ତୋଷ ବଢ଼ୁଛି।

ପୂର୍ବରୁ ଏହି ରାସ୍ତାଟି ଏକ ଗ୍ରାମାଞ୍ଚଳ ରାସ୍ତା ଭାବେ ପରିଗଣିତ ହେଉଥିଲା। ଖୋର୍ଦ୍ଧାରୋଡ୍ ରେଳ ଜଙ୍କସନ୍, ଏଫସିଆଇ, ମାଲଗୋଦାମ ଓ ଜଟଣୀସ୍ଥିତ ବିଭିନ୍ନ ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍‌କୁ ଭାରୀଯାନ ଏହି ରାସ୍ତାରେ ଅଳ୍ପ ଯାତାୟାତ କରୁଥିଲା। ସଂଧ୍ୟା ହେଉ ହେଉ ଏହି ରାସ୍ତା ନିଛାଟିଆ ହୋଇ ପଡ଼ୁଥିଲା। କିନ୍ତୁ ଗତ ୧୦ବର୍ଷ ହେଲା ସ୍ଥିତି ସମ୍ପୂର୍ଣ୍ଣ ବଦଳିଯାଇଛି। ପ୍ରତିଦିନ ଏହି ରାସ୍ତା ଦେଇ ଶହ ଶହ ଯାନବାହନ ଯାତାୟାତ କରୁଛି। ନାଇଜର, ଆଇଆଇଟି, ସେଞ୍ଚୁରିୟନ୍ ବିଶ୍ୱବିଦ୍ୟାଳୟ, କିଷ୍ଟ, ଫାଟୁଆ ଗବେଷଣା କେନ୍ଦ୍ର ଭଳି ବଡ଼ ବଡ଼ ଅନୁଷ୍ଠାନ ପ୍ରତିଷ୍ଠା ହେବା ପରଠୁ ଜଟଣୀ ଓ ଭୁବନେଶ୍ୱର ଏକାକାର ହୋଇଯାଇଛି। ସେହିପରି ଜଟଣୀ, ଗଙ୍ଗପଡ଼ା, ପିତାପଲ୍ଲୀ, ଯାଆଁଳା, ତଳଖେତା ଆଦି ଅଞ୍ଚଳରେ ବହୁ ଆପାର୍ଟମେଣ୍ଟ ଗଢ଼ି ଉଠୁଛି। ଜଟଣୀ ସହର ଉପରେ ନିର୍ଭର କରୁଥିବା ଲୋକଙ୍କ ସଂଖ୍ୟା ଆଶାତୀତ ଭାବେ ବଢ଼ି ଚାଲିଛି। ତେଣୁ ସ୍ୱାଭାବିକ ଭାବେ ଜଟଣୀ-ତଳଖେତା ରାସ୍ତାରେ ଗାଡ଼ି ଚଳାଚଳ ବଢ଼ିଛି। ମାତ୍ର ଏହି ରାସ୍ତାର ପ୍ରଶସ୍ତୀକରଣ ହୋଇପାରି ନାହିଁ। ପୂର୍ତ୍ତ ବିଭାଗ ଅଧୀନରେ ଥିବା ଏହି ରାସ୍ତା ନବୀକରଣ ହେଉଛି ସିନା ପ୍ରଶସ୍ତ ହେଉନାହିଁ।

ଫଳରେ ଦିନ ବେଳା ଲୋକେ ଟ୍ରାଫିକ ଜାମ୍‌ରେ ଫସି ହନ୍ତସନ୍ତ ହେଉଛନ୍ତି। କିନ୍ତୁ ରାତି ହେଲେ ରାସ୍ତାଟି ପାଲଟିଯାଉଛି ମରଣଯନ୍ତା। ଅଙ୍କାବଙ୍କା, ଅଣଓସାରିଆ ରାସ୍ତାରେ ଷ୍ଟ୍ରିଟ୍ ଲାଇଟ୍ ନଥିବାରୁ ବାଇକ୍‌ ଆରୋହୀ ଓ ସାଇକେଲ୍‌ ଚାଳକମାନେ ବିପଦରେ ପଡ଼ୁଛନ୍ତି। ପ୍ରାୟ ସବୁ ଦିନ କିଛି ଛୋଟମୋଟ ଦୁର୍ଘଟଣା ଘଟୁଛି। ୱାନ ୱେ ରାସ୍ତା ଥିବାରୁ କେହି ରାସ୍ତା କଡ଼ ଖାଲରେ ପଡ଼ି ଆହତ ହେଉଛନ୍ତି ତ କେହି ବଡ଼ ଗାଡ଼ିରେ ପିଟି ହୋଇ ମରଣମୁହଁକୁ ଠେଲି ହୋଇଯାଉଛନ୍ତି। ସେହିପରି ଷଣ୍ଢପୁର, ଗୋବିନ୍ଦପୁର, ତଳଖେତା ଆଦି ଗାଁର ଗାଈଗୋରୁମାନେ ରାସ୍ତା ଉପରେ ଚଳପ୍ରଚଳ କରୁଥିବାରୁ ରାତିରେ ସେମାନଙ୍କୁ ଭଲରେ ଦେଖି ନ ପାରି ବାଇକ୍ ଆରୋହୀମାନେ ଦୁର୍ଘଟଣାର ଶିକାର ହେଉଛନ୍ତି। ତେଣୁ ଜିଲ୍ଲା ପ୍ରଶାସନ ତୁରନ୍ତ ଏଦିଗରେ ପଦକ୍ଷେପ ନେବାକୁ ବିଭିନ୍ନ ମହଲରୁ ଦାବି ହେଉଛି।

ସମ୍ବନ୍ଧିତ ଖବର