ଭରତପୁର ଜଙ୍ଗଲରେ ଛଡ଼ାହେବେ କୁଟୁରା: ପଥରଗାଡ଼ିଆରେ ପଶିଲା ଦନ୍ତା

ଚନ୍ଦ୍ରଶେଖରପୁର: ଚନ୍ଦକା-ଡମପଡ଼ା ଅଭୟାରଣ୍ୟର ଭରତପୁର ସଂରକ୍ଷିତ ଜଙ୍ଗଲରେ ପୁନରୁଦ୍ଧାର ହେବେ କୁଟୁରା। ପ୍ରାୟ ଏକ ଦଶନ୍ଧି ହେବ ରାଜଧାନୀ ଉପକଣ୍ଠ ଏହି ଜଙ୍ଗଲରୁ ଲୋପ ପାଇଯାଇଥିବା କୁଟୁରା ବଂଶ ଫେରାଇ ଆଣିବାକୁ ବନ ବିଭାଗ ଯୋଜନା ପ୍ରସ୍ତୁତ କରିଛି। ‌ପ୍ରାରମ୍ଭିକ ପର୍ଯ୍ୟାୟରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରୁ ୧୦ଟି କୁଟୁରାଙ୍କୁ ଭରତପୁର ଜଙ୍ଗଲକୁ ସ୍ଥାନାନ୍ତର କରାଯିବ। ଦୁଇରୁ ତିନି ମାସ ଯାଏ ସେମାନଙ୍କୁ ଏକ ଏନ୍‌କ୍ଲୋଜର ମଧ୍ୟରେ ରଖାଯିବ। ଜଙ୍ଗଲୀ ପରିବେଶ ସହ ଖାପଖୁଆଇବା ପରେ ସେମାନଙ୍କୁ ଜଙ୍ଗଲରେ ଛଡ଼ାଯିବ। ଜୁଲାଇ/ଅଗଷ୍ଟ ମାସରେ ଏହି ସ୍ଥାନାନ୍ତର ପ୍ରକ୍ରିୟା କରିବାକୁ ବନ ବିଭାଗ ଲକ୍ଷ୍ୟ ରଖିଛି।

କୁଟୁରା ପ୍ରାୟତଃ ହରିଣ ପ୍ରଜାତିର। ଏମାନଙ୍କ ଲୋମ ଛୋଟ, କୋମଳ ଓ ମାଟିଆ କିମ୍ବା ପାଉଁଶିଆ ରଙ୍ଗର ହୋଇଥାନ୍ତି। କିଛି କୁଟୁରାଙ୍କ ଦେହରେ ଏକ ପ୍ରକାରର ଦାଗ ରହିଥାଏ। ଘାସ, ଫଳ, କରଡ଼ି, ମଞ୍ଜି, ପକ୍ଷୀଙ୍କ ଅଣ୍ଡା ଓ ଛୋଟ ଜୀବଙ୍କୁ ଆହରଣ କରିଥାନ୍ତି। ପଚିସଢ଼ି ଯାଇଥିବା ଶବ ଖାଇଥାନ୍ତି। କୌଣସି ଶିକାରୀ ଜୀବର ଉପସ୍ଥିତି ଅନୁଭବ କଲେ ଏମାନେ ଭୁକିବା ପରି ସତର୍କ ଡାକ ଦିଅନ୍ତି। ଅଣ୍ଡିରା କୁଟୁରାଙ୍କର ଦୁଇଟି ଛୋଟ ଶିଙ୍ଗ ରହିଥିବା ବେଳେ ସ୍ୱାନଦାନ୍ତ ମଧ୍ୟ ରହିଛି, ଯାହାକୁ ସହଜରେ ଦେଖିହେବ। ଅଣ୍ଡିରା କୁଟୁରାମାନେ କ୍ଷେତ୍ର ଚିହ୍ନଟ କରି ତାହାର ନିୟନ୍ତ୍ରଣ କରିଥାନ୍ତି। ଆକାର ଛୋଟ ହୋଇଥିଲେ ମଧ୍ୟ ସେମାନେ ଆକ୍ରମଣ କରିଥାନ୍ତି। କ୍ଷେତ୍ର ନିୟନ୍ତ୍ରଣ ପାଇଁ ଅଣ୍ଡିରା କୁଟୁରାଙ୍କ ମଧ୍ୟରେ ଘୋର ଯୁଦ୍ଧ ହୋଇଥାଏ ଏବଂ ଲଢ଼ିବା ସମୟରେ ଏମାନେ ନିଜର ଶିଙ୍ଗ ଓ ହାତୀଦାନ୍ତ ପରି ବାହାରିଥିବା ସ୍ୱାନଦାନ୍ତର ବ୍ୟବହାର କରନ୍ତି। ବେଳେବେଳେ ଏହି ସବୁର ଉପଯୋଗ କରି ଏମାନେ ମାଂସଭୋଜୀ ଶିକାରୀ ପ୍ରାଣୀଙ୍କଠାରୁ ମଧ୍ୟ ନିଜର ରକ୍ଷା କରିପାରନ୍ତି। ତେଣୁ ଏମାନଙ୍କ ପାଇଁ ଚନ୍ଦକା-ଡମପଡ଼ା ଅଭୟାରଣ୍ୟ ସୁରକ୍ଷିତ ସ୍ଥାନ ପାଲଟିଛି। ଚନ୍ଦକା ଜଙ୍ଗଲରେ ଅନେକ କୁଟୁରା ରହିଥିବା ବେଳେ ଭରତପୁରରେ ଏମାନଙ୍କ ବଂଶ ଶୂନ ହୋଇଯାଇଛି।

ବନ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ ଅନୁକୂଳ ବାତାବରଣ ଓ ବଂଶବୃଦ୍ଧି ଉପରେ ଲଗାମ୍‌ ଲଗାଇବାରେ ବିଫଳ ଯୋଗୁଁ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ କୁଟୁରାଙ୍କ ସଂଖ୍ୟା ହୁ’ହୁ ହୋଇ ବଢ଼ି ଚାଲିଛି। କୁଟୁରାଙ୍କ ସଂଖ୍ୟା ଶହେ ଅତିକ୍ରମ କଲାଣି। ତେଣୁ ଏହି ବନ୍ୟଜନ୍ତୁଙ୍କୁ ରଖାଯାଇଥିବା ଖୁଆଡ଼ରେ ଜାଗା ସଂକୀର୍ଣ୍ଣ ହେବାରେ ଲାଗିଛି। ଅନେକ ସମୟରେ ଏମାନେ ପରସ୍ପର ମଧ୍ୟରେ ସଂଘର୍ଷ କରି ମୃତ୍ୟୁମୁଖ‌ରେ ପଡ଼ୁଛନ୍ତି। ସେହିପରି ଦିଆଯାଉଥିବା ଖାଦ୍ୟ, ପାନୀୟ ମଧ୍ୟ ସେମାନଙ୍କୁ ପର୍ଯ୍ୟାପ୍ତ ହେଉନାହିଁ। ଏ ସବୁ କଥାକୁ ଦୃଷ୍ଟିରେ ରଖି ପର୍ଯ୍ୟଟକଙ୍କ ଦେଖିବା ଲାଗି ଖୁଆଡ଼ରେ ଅଳ୍ପ କିଛି କୁଟୁରା ଅନ୍ୟମାନଙ୍କୁ ସ୍ଥାନାନ୍ତର କରିବାକୁ ଯୋଜନା ହୋଇଛି।

ପଥରଗାଡ଼ିଆରେ ପଶିଲା ଦନ୍ତା
ଚନ୍ଦ୍ରଶେଖରପୁର: ରାଜଧାନୀରେ ପୁଣି ପଶିଲା ଦନ୍ତା ହାତୀ। ସେଭଳି କିଛି କ୍ଷତି କରି ନ ଥିଲେ ମଧ୍ୟ ହାତୀକୁ ନେଇ ଭୁବନେଶ୍ବର ଉପକଣ୍ଠରେ ଆତଙ୍କ ଖେଳିଯାଇଛି। ଏକ ହାତୀ ଆଜି ଭୋର ସମୟରେ ଶିଖରଚଣ୍ଡୀ ପାହାଡ଼ ପାଦଦେଶ ସମେତ ପଥରଗାଡ଼ିଆ ଓ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ବୁଲୁଛି। କେଉଁଠି ପନିପରିବା ଚାଷ ଉଜାଡ଼ି ଦେଇଛି ତ କେଉଁଠି ପାଚେରି ଭାଙ୍ଗିଛି। ହାତୀ ଉତ୍ପାତ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଥିଲେ ମଧ୍ୟ ବନ ବିଭାଗ ଅଧିକାରୀ ପହଞ୍ଚି ନ ଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଲଗାତାର ଭାବେ ହାତୀଙ୍କ ପ୍ରାଦୁର୍ଭାବ ବଢ଼ୁ୍‌ଥିବାରୁ ଅଞ୍ଚଳବାସୀ ‌ପ୍ରଶାସନର ସହାୟତା ଲୋଡ଼ିଛନ୍ତି। ହାତୀଙ୍କ କବଳରୁ ତୁରନ୍ତ ସୁରକ୍ଷା ନ ଦେଲେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ପଥରଗାଡ଼ିଆ ଗ୍ରାମାବାସୀ କହିଛନ୍ତି।

ସେମାନଙ୍କ ଅଭିଯୋଗ ହେଉଛି ଯେ ରାଜଧାନୀକୁ ଲାଗିରହିଥିବା ଚନ୍ଦକା ଜଙ୍ଗଲରୁ ଭରତପୁର ଜଙ୍ଗଲକୁ ଏବେ ନିୟମିତ ବ୍ୟବଧାନରେ ହାତୀଙ୍କ ଚଳପ୍ରଚଳ ଜାରି ରହିଛି। ପ୍ରତି ମାସେ କିମ୍ବା ଦୁଇ ମାସ ଅନ୍ତରରେ ଚନ୍ଦକା ଅଭୟାରଣ୍ୟରୁ ହାତୀ ପଲ ବାହାରି ଭରତପୁର ମୁହାଁ ହେଉଥିଲେ। ମାତ୍ର କିଛି ମାସ ହେଲା ଏକ ୧୬ ଟିକିଆ ହାତୀ ପଲ ଭରତପୁର ଜଙ୍ଗଲରେ ଡେରା ପକାଇ ରହିଛନ୍ତି। ଗୋଟିଏ ଦନ୍ତା ଦିନେ ଦୁଇଦିନ ଅନ୍ତରରେ ଜଙ୍ଗଲ ବାହାରକୁ ଆସି ଉତ୍ପାତ କରୁଛି। ଗତକାଲି ରାତିରେ ଲୋକେ ଘର ବାହାରେ ଥିବା ସମୟରେ ଏକ ଦନ୍ତା ରାସ୍ତାରେ ଚାଲି ଚାଲି ଯାଉଥିବା ଦେଖିବାକୁ ପାଇଥିଲେ। ହଠାତ୍‌ ଦନ୍ତାକୁ ଦେ‌ଖି ଲୋକେ ଭୟଭୀତ ହୋଇଯାଇଥିଲେ। ସକାଳୁ ହାତୀଟି ଜଙ୍ଗଲ ଆଡ଼କୁ ଫେରୁଥିବା ଲୋକେ ଦେଖିଛନ୍ତି। ଏହା ପ୍ରଥମ ଘଟଣା ନୁହେଁ, ପୂର୍ବରୁ ମଧ୍ୟ ଏକାଧିକ ହାତୀ ଗଣେଶ ବିହାରରେ ବ୍ୟାପକ କ୍ଷତି କରିଛନ୍ତି। ଗାଁ ନିକଟରେ ଥିବା କଦଳୀ ଫାର୍ମ ହାଉସ୍ ପାଚେରି ଭାଙ୍ଗି ଆନେକ କଦଳୀ ଗଛ ଭାଙ୍ଗି ଦେଇଥିଲେ। ଆଜିର ଘଟଣା ‌ପରେ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି।

 

ସମ୍ବନ୍ଧିତ ଖବର