ମନୋକ୍ରୋମ୍‌ରେ ମହାନଗର: ଦିନରେ ଶୁଭୁଥିଲା ବାଘ ହେଣ୍ଟାଳ

ଭୁବନେଶ୍ୱର: ଏବେ ଯେଉଁଠି ରୁକୁଣା ରଥ ତିଆରି ପାଇଁ ରଥଖଳା ହେଉଛି, ସେଠାରେ ଧାନ ଗଦାହୋଇ ରହୁଥିଲା। ସେଠି ଲୋକଙ୍କର ଧାନଖଳା ଥିଲା। ୧ଟଙ୍କାରେ ୧୬ ଗଉଣି ଧାନ ମିଳୁଥିଲା। ସେତେବେଳେ ଘୋଡା ବା ବଳଦ ପିଠିରେ ଓ ବଳଦ ଗାଡ଼ିରେ ଜିନିଷପତ୍ର ପରିବହନ ହେଉଥିଲା। ସ୍କୁଲ ଛୁଟିଥିବାରୁ ଆମେସବୁ ଏହି ରୁକୁଣା ରଥଯାତ୍ରା ଦେଖ‌ିବା ପାଇଁ ଆସୁଥୁଲୁ। ରଥର ସାରଥୀ ଅଶ୍ଳୀଳ ଗୀତ ବୋଲୁଥିବାରୁ କ୍ବଚିତ୍‌ ସ୍ତ୍ରୀ ଲୋକ ରଥଟଣା ବେଳେ ସେଠାକୁ ଯାଉଥିଲେ। କପିଳେଶ୍ୱରର ମଲିଆମାନେ ରଥଯାତ୍ରାବେଳେ ଆଖପାଖ ଗାଁମାନଙ୍କରୁ ସେମାନଙ୍କ ଯଜମାନମାନଙ୍କୁ ଆଣି ରହିବା ଓ ଖାଇବାର ବନ୍ଦୋବସ୍ତ କରୁଥିଲେ। ମଲିଆମାନେ ସେମାନଙ୍କ ଯଜମାନ ରହୁଥ‌ିବା ଗ୍ରାମମାନଙ୍କୁ ଫସଲ ଅମଳବେଳେ ଯାଉଥିଲେ। ସାଙ୍ଗରେ ନେଉଥିଲେ କପିଳନାଥଙ୍କ ଭୋଗ। ଯଜମାନମାନଙ୍କଠାରୁ ସେମାନେ ଫସଲ ସଂଗ୍ରହ କରୁଥିଲେ। ଲିଙ୍ଗରାଜଙ୍କ ଅଶୋକାଷ୍ଟମୀ ଯାତ୍ରା ଚୈତ୍ର ଶୁକ୍ଳ ଅଷ୍ଟମୀଠାରୁ ପାଞ୍ଚଦିନ ବ୍ୟାପି ହେଉଥିଲା। ଆଖପାଖ ଗାଁମାନଙ୍କରୁ ବହୁ ଲୋକ ଯାତ୍ରା ଦେଖିବା ଆସୁଥିଲେ। ବିଭିନ୍ନ ଘରକରଣା ଓ ଚାଷ ଉପକରଣ ଜିନିଷମାନ ଏଠାରୁ ଲୋକେ କିଣୁଥିଲେ। ବିଶେଷକରି ବିଭାଘର ସ୍ଥିର, ପୁଅ-ଝିଅ ଦେଖା ଓ ନିର୍ବନ୍ଧ ଆଦି ଏହି ଯାତ୍ରାରେ ହେଉଥିଲା। ସେଥ‌ିପାଇଁ ଶଗଡ଼ ଗାଡ଼ିରେ ଦୂର ଗାଁମାନଙ୍କରୁ ଉଭୟ ପକ୍ଷର ଲୋକ ଏଠାରେ ଆସି ରୁଣ୍ଡ ହେଉଥିଲେ। ଗଲାବେଳେ ସାଙ୍ଗରେ କେଦାରଗୌରୀ ବା ବିନ୍ଦୁସାଗରର ପାଣି ମାଠିଆ ବା ପିତଳଗରାରେ ନେଇ ଯାଉଥିଲେ। ମାଉସୀମା ମନ୍ଦିରଠାରୁ ବିନ୍ଦୁସାଗର ପର୍ଯ୍ୟନ୍ତ ବହୁତ ଗଛ ଥିଲା। ଯାତ୍ରୀମାନେ ଗଛତଳେ ଇଟା ବା ପଥରରେ ଯୋଡ଼ା ଚୁଲିକରି ରୋଷେଇ କରୁଥିଲେ। ଶଗଡ଼ ଓ ବଳଦମାନଙ୍କୁ ସେହି ଛାଇତଳେ ବାନ୍ଧି ରଖୁଥିଲେ। ରେଳରେ ଆସୁଥ‌ିବା ଯାତ୍ରୀମାନେ ବୁଦ୍ଧେଶ୍ୱରୀ ଷ୍ଟେସନରେ ଓହ୍ଲାଇ ଭଡ଼ା ଶଗଡ଼ଗାଡ଼ି ଯୋଗେ ଯାତ୍ରା ଦେଖ‌ିବାକୁ ଆସୁଥିଲେ।

ମାଘମାସ ଶୁକ୍ଳ ସପ୍ତମୀରେ ଖଣ୍ଡଗିରିରେ ମାଘମେଳା ହେଉଥିଲା। ତେବେ ଖଣ୍ଡଗିରି ଯାତ୍ରାକୁ ଗଲେ ଘୋର ଜଙ୍ଗଲ ମଧ୍ୟରେ ଯିବାକୁ ପଡୁଥିଲା ଓ ଲୋକେ ଦଳଦଳ ହୋଇ ଯାଉଥିଲେ। ରାତି ହେଲେ ନିଆଁହୁଳା ଜଳା ହେଉଥିଲା। ଭଡ଼ାଟିଆ ବନ୍ଧୁକବାଲାଙ୍କୁ ମଧ୍ୟ ସାଙ୍ଗରେ ନିଆଯାଉଥିଲା। ଜଙ୍ଗଲ ବାଟ ପାର କରିଦେଲେ ସେମାନଙ୍କୁ ଦୁଇଅଣା ବା ଚାରିଅଣା ପଇସା ମଜୁରି ବାବଦରେ ଦିଆ ଯାଉଥିଲା। ଯାତ୍ରାରେ ନୂଆହାଣ୍ଡିରେ ଚାଉଳ ଓ ଖାଣ୍ଟି ମଇଁଷିକ୍ଷୀରରେ ଖିରୀ କରି ସୂର୍ଯ୍ୟଙ୍କୁ ଭୋଗ ଲଗାଯାଉଥିଲା। ଖାଇସାରିବା ପରେ ଲୋକେ ହାଣ୍ଡିଟିକୁ ଭାଙ୍ଗି ଦେଉଥିଲେ। ସନ୍ଧ୍ୟା ହେଲେ ଜଙ୍ଗଲ ବାଟରେ କେହି ଆସୁନଥିଲେ। ସେଠାରେ ଥ‌ିବା ଗଛମୂଳ ବା ଗୁମ୍ଫା ଭିତରେ ରହିବାକୁ ପଡୁଥିଲା। ଖଣ୍ଡଗିରିରେ ବହୁ ଝରଣା ଥିଲା। ସେହି ଝରଣା ପାଣିକୁ ଲୋକେ ବ୍ୟବହାର କରୁଥିଲେ। ଜଙ୍ଗଲ ଭିତରେ କୋଚିଲା, ବେଲ, ଆମ୍ବ, ପଣସ, ବେତ ଗଛମାନ ଥିଲା। ଶଗଡ଼ ଆସିବା ବାଟରେ ଆମେ କଣ୍ଟେଇ କୋଳି, ଦୁଧକୋଳି, ଶଗଡ଼ବାଟୁଆ କୋଳିମାନ ଯଥେଷ୍ଟ ତୋଳି ଖାଉଥିଲୁ। ଜଙ୍ଗଲରେ ବି କାଙ୍କଡ଼, କୁନ୍ଦୁରି ପ୍ରଭୃତି ଲତା ମାଡ଼ି ବହୁତ ଫଳୁଥିଲା। ଦିନରେ ବି ବାଘର ହେଣ୍ଟାଳ ମନରେ ଭୟ ସଂଚାର କରୁଥିଲା। ହରିଣ, ଠେକୁଆ, ମୟୂରମାନେ ନିର୍ଭୟରେ ବୁଲୁଥୁଲେ। ଏହି ଦୁଇ ବଡ଼ଯାତ୍ରା ଛଡ଼ା ଭିଙ୍ଗାରପୁରର ଜମିଦାର ବଂଶର ଦୟଣାଚୋରୀ ଯାତ୍ରା, ରାମଚନ୍ଦ୍ରପୁରର କଣ୍ଢେଇମେଲଣ, ବାଲିଅନ୍ତାର ବାଲିଘାଇ ମେଲଣ, ବାଳକାଟି ମେଳଣ ମଧ୍ୟ ପ୍ରସିଦ୍ଧ ଥିଲା।

ପଣ୍ଡିତ ନେହୁରଙ୍କ ଦ୍ବାରା ୧୯୪୮ ମସିହାରେ ରାଜଧାନୀର ଆନୁଷ୍ଠାନିକ ଶୁଭ ପଡ଼ିଥିଲା। ବର୍ତ୍ତମାନ ବିଧାନସଭା ଆଗରେ ଯେଉଁଠି ପ୍ରତିଷ୍ଠା ଫଳକ ଲଗାଯାଇଛି, ତାହା ପ୍ରକୃତ ସ୍ଥାନ ନ ଥିଲା। ବର୍ତ୍ତମାନର ଏଜି ଛକ ଓ ଡାକ୍ତରଖାନା ମଧ୍ୟବର୍ତ୍ତୀ ଏକ ସ୍ଥାନରେ ଏହାର ଶୁଭ ଦିଆଯାଇଥିଲା। ଏହି ଉତ୍ସବ ଦେଖ‌ିବା ପାଇଁ ଆମେ ପିଲାମାନେ ଦଳବାନ୍ଧି ଯାଇଥିଲୁ। ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲେ ନେହରୁ। ସେତେବେଳେ ଉକ୍ତ ଅଞ୍ଚଳର ଚାରିଆଡ଼େ କୋଚିଲା ଗଛ, ବେତବଣ ଓ କଣ୍ଟେଇ କୋଳିର ଲଟା ଭରିଥିଲା। ରାଜଭବନ ଓ ସଚିବାଳୟ ଯେଉଁଠାରେ ହୋଇଛି, ସେଠି ଏତେ ଜଙ୍ଗଲ ଥିଲା ଯେ ତା’ଭିତରେ ପଶି ହେଉନଥିଲା। ଦଳ ଦଳ ମଇଁଷି ସେହି ଜଙ୍ଗଲ ଭିତରେ ପଶି ଚରୁଥିଲେ। ବାଣୀବିହାର ଯେଉଁ ସ୍ଥାନରେ ଅଛି, ତାହା ବୁଦା ଜଙ୍ଗଲରେ ଭରିଥିଲା। ଶିକାରୀମାନେ ସେଠାରେ ଫାଶ ବସାଇ ଠେକୁଆ ଓ ଝିଙ୍କ ଆଦି ଧରୁଥିଲେ। ରାଜଧାନୀ ଗଢ଼ିବା ଓ ଜଙ୍ଗଲ ସଫା କରିବା ନିମନ୍ତେ ବହୁ ବିହାରୀ ଓ ପଞ୍ଜାବୀ ଠିକାଦାର ଆସି ଗଛ କାଟୁଥିଲେ।

ଆଗରୁ ଏଅଞ୍ଚଳରେ ଫୁଟବଲ ଖେଳ ବହୁତ ହେଉଥିଲା। ଆଜିକାଲି କାହିଁ ସେ ଖେଳ ଦେଖିବାକୁ ମିଳୁନାହିଁ। ପଟିଆ କେଳାମାନଙ୍କର ସାପଖେଳ ଥିଲା ସେତେବେଳେ ବି ଭାରି ମନୋରଂଜନ କରୁଥିଲା। ଲିଙ୍ଗରାଜ ମନ୍ଦିର ନିକଟରେ ଥିଲା ରୂପମନ୍ଦିର ସିନେମା ହଲ୍। ଭୁବନେଶ୍ବରକୁ କଟକରୁ ସରକାରୀ ଅଫିସମାନ ଆସିବାପରେ କଳ୍ପନା ସିନେମା ହଲ୍‌ ତିଆରି ହେଲା। ରୂପମନ୍ଦିର ଓ କଳ୍ପନା ସିନେମା ଦେଖିବାକୁ ସାଙ୍ଗମାନଙ୍କ ସହିତ ମୁଁ ବହୁଥର ଯାଉଥିଲି। ଭିଙ୍ଗାରପୁରର ଚୌଧୁରୀ ବଳରାମ ଦାସ ‘ରାଧାକୃଷ୍ଣ ଟକିଜ୍’ ନାମରେ ଏକ ବୁଲାସିନେମା ହଲ୍‌ ଚଳାଉଥିଲେ। ଜେନେରେଟର ସାହାଯ୍ୟରେ ଏହି ସିନେମା ଚାଲୁଥିଲା। ଏହାକୁ ଦେଖ‌ିବାପାଇଁ ଗାଁ ଲୋକମାନଙ୍କର ଭାରି ଭିଡ଼ ହେଉଥିଲା। ତମ୍ବୁ ତିଆରି ହଲ୍‌ରେ ସେ ସିନେମା ଚାଲୁଥିଲା। ଗାଁ ଗହଳର ଲୋକେ ଧାନ, ଚାଉଳ ପ୍ରଭୃତି କୃଷିଜାତ ଦ୍ରବ୍ୟ ବିକି ସିନେମା ଦେଖିବାକୁ ଯାଉଥିଲେ। ଟିକେଟ୍‌ର ମୂଲ୍ୟ ଥିଲା ପ୍ରଥମଶ୍ରେଣୀ-ବାରଅଣା, ଦ୍ବିତୀୟଶ୍ରେଣୀ-ଆଠଅଣା, ତୃତୀୟଶ୍ରେଣୀ-ଚାରିଅଣା। ସିନେମା ଦେଖିବା ପାଇଁ ମୁରବୀମାନେ ବାରଣ କଲେ ମଧ୍ୟ ମହିଳା ଓ ପିଲାମାନେ ଲୁଚାଇ ସିନେମା ଦେଖୁଥିଲେ।

ବରିଷ୍ଠଙ୍କ ସ୍ମୃତିରେ ରାଜଧାନୀ

ପ୍ରସ୍ତୁତି: ଲିଙ୍ଗରାଜ ସାହୁ

ସମ୍ବନ୍ଧିତ ଖବର