ମୃତ୍ୟୁଯନ୍ତା ଏନ୍‌ଏଚ୍‌-୧୬ ନେଲା ପୁଣି ୨ ମୁଣ୍ଡ: ତମାଣ୍ଡୋ ଓ ବରମୁଣ୍ଡାରେ ୨ ଯୁବକ ମୃତ

ଭୁବନେଶ୍ବର: ମୃତ୍ୟୁଯନ୍ତା ଭାବେ ଜଣାଶୁଣା ୧୬ ନମ୍ବର ଜାତୀୟ ରାଜପଥ ଗତ ୨ ଦିନ ହେଲା ଲଗାତାର ମୁଣ୍ଡ ନେଉଛି। ଗତକାଲି ରାତିରେ ଜୟଦେବବିହାର ଫ୍ଲାଏଓଭର ବ୍ରିଜ୍‌ରେ ଘଟିଥିବା ସଡ଼କ ଦୁର୍ଘଟଣାରେ ଜଣେ ଟ୍ରାଫିକ୍‌ କନେଷ୍ଟବଳଙ୍କ ମୃତ୍ୟୁ ଘଟିଥିଲା। ସେହି ଦୁର୍ଘଟଣାର ୨୪ ଘଣ୍ଟା ନ ପୂରୁଣୁ ଆଜି ପୁଣି ୨ଟି ପୃଥକ ପୃଥକ ଦୁର୍ଘଟଣାରେ ୨ ଜଣଙ୍କ ଜୀବନ ଯାଇଛି। ତମାଣ୍ଡୋ ଗୋହିରା ଫ୍ଲାଏଓଭର ବ୍ରିଜ୍‌ରେ ଜଣେ ଓ ବରମୁଣ୍ଡା ଓଭରବ୍ରିଜ୍‌ରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଏହି ଦୁଇ ଦୁର୍ଘଟଣାରେ ୬ ଜଣ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ଏବଂ ୩ ଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବା ଜଣାପଡ଼ିଛି। ଦ୍ରୁତଗତି ଓ ଅନ୍ୟମନସ୍କ ଭାବେ ଗାଡ଼ିକୁ ଅତିକ୍ରମ କରିବାକୁ ଯାଇ ଏଭଳି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି।

ଆଜି ରାତି ପ୍ରାୟ ସାଢ଼େ ୯ଟା ବେଳେ ୧୬ ନମ୍ବର ଜାତୀୟ ରାଜପଥ ତମାଣ୍ଡୋ ହ୍ୟୁଣ୍ଡାଇ ସୋ’ ରୁମ୍‌ ନିକଟରେ ଘଟିଥିବା ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି ଏବଂ ଅନ୍ୟ ୪ ଜଣ ଗୁରୁତର ହୋଇଛନ୍ତି। ମୃତକ ‌ହେଲେ ବାଲିଅନ୍ତା ଅଞ୍ଚଳର ବିଶ୍ବଜିତ୍‌ ରାୟ(୧୮)। ସେହିଭଳି ଗୁରୁତରମାନେ ହେଲେ ସୌରଭ ଲେଙ୍କା, ସୌରଭ ଭୂୟାଁ, ପ୍ରିୟବ୍ରତ ଦାସ ଓ ଅନ୍ୟଜଣଙ୍କ ନାମ ଜଣାପଡ଼ିନାହିଁ। ଆହତମାନଙ୍କୁ ଏମ୍‌ସରେ ଭର୍ତ୍ତି କରାଯାଇଛି। ଯୁବକମାନଙ୍କ କାର୍‌ ଡିଭାଇଡର୍‌ ଡେଇଁ ଅପରପାର୍ଶ୍ବରେ ଯାଉଥିବା ଟ୍ରକ୍‌କୁ ଧକ୍କା ଦେବାରୁ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବା କୁହାଯାଉଛି। ଗୋହିରା ଛକ ଫ୍ଲାଏଓଭର ବ୍ରିଜ୍‌ ଉପରେ ଲାଇଟ୍‌ ଜଳୁନଥିବାରୁ ବାରମ୍ବାର ଏଭଳି ଦୁର୍ଘଟଣା ଘଟୁଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

ତମାଣ୍ଡୋ ଓ ବରମୁଣ୍ଡାରେ ୨ ଯୁବକ ମୃତ
୬ ଗୁରୁତରଙ୍କ ମଧ୍ୟରୁ ୩ଙ୍କ ଅବସ୍ଥା ସଂକଟାପନ୍ନ
ଡିଭାଇଡର୍‌ ଡେଇଁ ଟ୍ରକ୍‌କୁ ପିଟିଲା କାର୍‌
କାଳ ହେଲା ଦ୍ରୁତଗତିରେ ଅତିକ୍ରମ

ରବିବାର ସନ୍ଧ୍ୟା ସମୟରେ ୫ ସାଙ୍ଗ ବୁଲାବୁଲି କରିବାକୁ କାର୍‌ ଯୋଗେ ରାଜଧାନୀରୁ ଖୋର୍ଦ୍ଧା ଆଡ଼କୁ ଯାଇଥିଲେ। ରାତି ପାଖାପାଖି ସାଢ଼େ ୯ଟା ସମୟରେ ସେମାନେ ଭୁବନେଶ୍ବର ଫେରୁଥିଲେ। ସେମାନେ ଗୋହିରା ଫ୍ଲାଏଓଭର ବ୍ରିଜ୍‌ ଅତିକ୍ରମ କରୁଥିବା ବେଳେ ଅର୍ଥାତ୍ ହ୍ୟୁଣ୍ଡାଇ ସୋ’ରୁମ୍‌ ପାଖାପାଖି ହେଉଥିବା ବେଳେ ହଠାତ୍ ଚାଳକ ଭାରସାମ୍ୟ ହରାଇଥିଲେ। ଅନ୍ଧାର ସାଙ୍ଗକୁ ଦ୍ରୁତବେଗ ଯୋଗୁ କାର୍‌ଟି ଡିଭାଇଡର୍‌ ଡେଇଁ ଅପରପାର୍ଶ୍ବକୁ ଛିଟିକି ପଡ଼ିଥିଲା। ଠିକ୍‌ ସେତିକିବେଳକୁ ଭୁବନେଶ୍ବରରୁ ଖୋର୍ଦ୍ଧା ଦିଗରେ ଯାଉଥିବା ଏକ ଟ୍ରକ୍‌ ସହ କାର୍‌ଟି ମୁହାଁମୁହିଁ ଧକ୍କା ଲାଗିଥିଲା। ଫଳରେ କାର୍‌ଟି ଟ୍ରକ୍‌ ଭିତରକୁ ପଶିଯାଇଥିଲା ଏବଂ ଭିତରେ ୫ ଜଣଯାକ ଚାପି ହୋଇ ରହିଯାଇଥିଲେ। ଟ୍ରକ୍‌ ଓ କାର୍‌ ରାଜପଥ ମଝିରେ ରହିଯିବାରୁ ଭୁବନେଶ୍ବରରୁ ଖୋର୍ଦ୍ଧା ଦିଗରେ ଯାନବାହାନ ଚଳାଚଳ ବନ୍ଦ ହୋଇଯାଇଥିଲା। ଦୁର୍ଘଟଣା ଦେଖି ସ୍ଥାନୀୟ ଲୋକେ ଧାଇଁ ଆସିଥିଲେ ଏବଂ ଚୁରମାର୍‌ ହୋଇଯାଇଥିବା କାର୍‌ ଭିତରୁ ଆହତମାନଙ୍କୁ ବାହାର କରିବାରେ ଲାଗିପଡ଼ିଥିଲେ। ଲୋକଙ୍କ ସହାୟତାରେ ତମାଣ୍ଡୋ ଥାନା ପୁଲିସ ସମସ୍ତଙ୍କୁ ଭୁବନେଶ୍ବର ଏମ୍‌ସ ପଠାଇଥିଲା। କିନ୍ତୁ ସେଠାରେ ବିଶ୍ବଜିତଙ୍କୁ ମୃତ ଘୋଷଣା କରାଯାଇଥିଲା।

ସେହିଭଳି ରାତି ପ୍ରାୟ ୧୧ଟା ବେଳେ ବରମୁଣ୍ଡା ଓଭରବ୍ରିଜ୍ ନିକଟରେ ୩ ବାଇକ୍‌ ଆରୋହୀଙ୍କ ଉପ‌ରେ ଟ୍ରକ୍‌ ମାଡ଼ିଯାଇଥିବା ଜଣାପଡ଼ିଛି। ଏଥିରେ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଦୁଇଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। କଟକର ଏହି ତିନି ଯୁବକଙ୍କ ପରିଚୟ ମିଳିପାରିନାହିଁ। କଟକର ଏହି ତିନି ଯୁବକ ଏକ ବାଇକ୍‌ରେ ଖଣ୍ଡଗିରି ପଟୁ କଟକ ଆଡ଼କୁ ଦ୍ରୁତଗତି‌‌ରେ ଯାଉଥିଲେ। ସେମାନେ ବରମୁଣ୍ଡା ଓଭରବ୍ରିଜ୍‌ରେ ଏକ କାର୍‌କୁ ଅତିକ୍ରମ କରୁଥିବା ସମୟରେ କାର୍‌ ପଛରେ ବାଇକ୍‌ ବାଜିଯାଇଥିଲା। ଫଳରେ ସେମାନେ ବାଇକ୍‌ ସହ ରାସ୍ତାରେ ପଡ଼ି ଯାଇଥିଲେ। ଠିକ୍ ସେତିକିବେଳେ ପଛରୁ ଆସୁଥିବା ଏକ ଟ୍ରକ୍‌ ସେମାନଙ୍କ ଉପରେ ଚଢ଼ି ଯାଇଥିଲା। ଖବର ପାଇ ଖଣ୍ଡଗିରି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲା। ଡାକ୍ତର ଜଣଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ଟ୍ରକ ଚାଳକକୁ ଅଟକ ରଖିଛି।

ସମ୍ବନ୍ଧିତ ଖବର