ବୁଡ଼ିବ ପୁରୁଣା ଭୁବନେଶ୍ବର!

୭ ନମ୍ବର ଡ୍ରେନ୍‌ ସଙ୍କୁଚିତ କରି ଚାଲିଛି ଏକାମ୍ର ପ୍ରକଳ୍ପ ‌କାମ

ଭୁବନେଶ୍ବର: ଅଧିକ ବର୍ଷା ହେଲେ ପୁରୁଣା ଭୁବନେଶ୍ବର ବୁଡ଼ିବ। କାରଣ ପୁରୁଣା ଭୁବନେଶ୍ବର ଅଞ୍ଚଳର ଅତ୍ୟଧିକ ବର୍ଷା ପାଣି ନିଷ୍କାସନ କରୁଥିବା ୭ ନମ୍ବର ଡ୍ରେନ୍‌ ସମ୍ପୂର୍ଣ୍ଣ ସଫା ହୋଇନାହିଁ। କେବଳ ଏତିକି ନୁହେଁ ଏହାର ଗତିପଥ ବଦଳାଯିବା ସହ ଏହାକୁ ଅବରୋଧ ମଧ୍ୟ କରାଯାଇଛି। ତେଣୁ ପୂର୍ବାପେକ୍ଷା ବର୍ଷାରେ ସ୍ଥିତି ସାଂଘାତିକ ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି। ବରମୁଣ୍ଡାରୁ ବାହାରିଥିବା ୭ ନମ୍ବର ଡ୍ରେନ୍‌ରେ ପୁରୁଣା ଭୁବନେଶ୍ବର ଅଞ୍ଚଳର ଅଧିକାଂଶ ଛୋଟ ବଡ଼ ଡ୍ରେନ୍‌ ସଂଯୋଗ ହୋଇଛି। ବଡ଼ ଡ୍ରେନ୍‌ ବରମୁଣ୍ଡା ଅଞ୍ଚଳରୁ ବାହାରି ନବୀନ ନିବାସ ପଛପଟ ଦେଇ ବ୍ୟାଙ୍କ କଲୋନି ଓ ବାରିକସାହି ମଝି ଦେଇ ରଥରୋଡ୍‌ର ଅସୁଲକିଆରୀଠାରେ ରାସ୍ତା ପାର୍‌ ହୋଇଛି। ଏହାପରେ ସାନିଟାରିୟମ୍‌ ଛକ ଦେଇ କେଦାରଗୌରୀ ଛକ, କୋଟିତୀର୍ଥ ରୋଡ୍‌, ଲୁଇସ୍ ରୋଡ୍‌ ଦେଇ ଗଙ୍ଗୁଆ ନାଳରେ ମିଶିଛି। କିନ୍ତୁ ବର୍ଷ ବର୍ଷ ଧରି ଏହି ଡ୍ରେନ୍‌କୁ ଭଲ ଭାବେ ସଫା କରାଯାଉ ନଥିବା ଦେଖିବାକୁ ମିଳୁଛି। ରେଲୱେ କଲଭର୍ଟଠାରୁ ରଥରୋଡ୍‌ ପର୍ଯ୍ୟନ୍ତ ଏକ ବିରାଟ ଅଞ୍ଚଳ ଡ୍ରେନ୍‌ ପାଣିରେ ବର୍ଷ ସାରା ବୁଡ଼ି ରହିଛି। ଏହି ଅଞ୍ଚଳ ବର୍ଷ ବର୍ଷ ଧରି ସଫା ହୋଇନାହିଁ।

ଯେଉଁଥିପାଇଁ ଆଖପାଖର ଲୋକେ ମାଛି ଓ ମଶା ଦାଉରୁ ରକ୍ଷା ପାଉନାହାନ୍ତି। କିଛି ଦିନ ତଳେ ସ୍ଥାନୀୟ ଲୋକଙ୍କ ଅଭିଯୋଗ ପରେ ରଥରୋଡ୍‌ଠାରୁ କିଛି ବାଟ ସଫା କରାଯାଇଛି। ଯେଉଁଠି ପାଣି ସହଜରେ ଆସୁଛି। କିନ୍ତୁ ଏହାପରେ ‘ଏକାମ୍ର ପ୍ରକଳ୍ପ’ ନିର୍ମାଣ କରାଯାଉଥିବା ପାର୍କିଂ ସ୍ଥଳ ପାଇଁ ଡ୍ରେନ୍‌ର ଗତିପଥକୁ ବଦଳାଇ ଦିଆଯାଇଛି। ଏବେ ଡ୍ରେନ୍‌ ପାଣି ସିଧା ନଯାଇ ଅଙ୍କାବଙ୍କା ଭାବେ ଯାଉଛି। ରଥ ରୋଡ୍‌ରୁ ପାର୍କିଂକୁ ଯିବା ପାଇଁ ୭ ନମ୍ବର ଡ୍ରେନ୍‌ ଉପରେ ଏକ ବ୍ରିଜ୍‌ ନିର୍ମାଣ କରାଯାଉଛି। ଏହି ବ୍ରିଜ୍‌ ଅଧାଥିବାରୁ ଡ୍ରେନ୍‌ର ଗତିପଥ ବଦଳାଯାଇଥିବା କୁହାଯାଉଛି। ସେହିପରି ବିନ୍ଦୁସାଗର ନିକଟରେ ତାଳେଶ୍ବରରୁ କୋଟିତୀର୍ଥେଶ୍ବର ବକ୍ସ ଡ୍ରେନ୍‌ କାମ କରାଯାଉଛି। ଯେଉଁଠି ତଳେ ଡ୍ରେନ୍‌ ପାଣି ଯିବ ଓ ଉପରେ ରାସ୍ତା ନିର୍ମାଣ କରାଯିବ। କିନ୍ତୁ ଏ କାମ ବି ଅଧାରେ ପଡ଼ିଛି। ଏହି କାମ ପାଇଁ ଏଠି ବାଲିବସ୍ତା ଦେଇ ଡ୍ରେନ୍‌ର ଗତିପଥକୁ ସଙ୍କୁଚିତ କରାଯାଇଛି।

ଯାହା ଦ୍ବାରା ବଡ଼ ବର୍ଷା ହେଲେ ଠିକ୍‌ ଭାବେ ବର୍ଷାଜଳ ନିଷ୍କାସିତ ହୋଇପାରୁନାହିଁ ଏବଂ ବିଭିନ୍ନ ଅଞ୍ଚଳ ବୁଡ଼ୁଛି। ସାମାନ୍ୟ ବର୍ଷା ହେଲେ ପୁରୁଣା ଭୁବନେଶ୍ବର ଅଞ୍ଚଳ ଜଳାର୍ଣ୍ଣବ ହୋଇଯାଉଛି। ରଥରୋଡ୍‌, ବ୍ୟାଙ୍କ୍ କଲୋନିଠାରୁ ଆରମ୍ଭ କରି ଶ୍ରୀରାମନଗର ଛକ ଭଳି ବିଭିନ୍ନ ସ୍ଥାନରେ ପାଣି ଜମୁଥିବାରୁ ଲୋକେ ଦୟନୀୟ ଅବସ୍ଥା ଭୋଗୁଛନ୍ତି। ଏମିତିକି ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିର ପରିସରରେ ଦୀର୍ଘ ସମୟ ଧରି ପାଣି ଜମି ରହୁଛି। ବର୍ଷାରେ ନର୍ଦ୍ଦମା ପାଣି ଘରେ ପଶୁଥିବାରୁ ପୁରୁଣା ଭୁବନେଶ୍ବରବାସୀ ତ୍ରାହି ତ୍ରାହି ଡାକୁଛନ୍ତି। ଦର୍ଶନ କରିବାକୁ ଆସୁଥିବା ପର୍ଯ୍ୟଟକମାନେ ମଧ୍ୟ ହୀନସ୍ତା ହେଉଛନ୍ତି। ତୁରନ୍ତ ଏଦିଗରେ ପଦକ୍ଷେପ ନେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର