ରାଜଧାନୀରେ ଛୋଟ ହୋଟେଲରୁ ଆରମ୍ଭ କରି ବଡ ବଡ଼ ରେସ୍ତୋରାଁ ଯାଏ ବିଭିନ୍ନ ରକମର ଖାଦ୍ୟ ମିଳୁଛି। ଖାଦ୍ୟର ନାମ ମଧ୍ୟ ଭଳିକି ଭଳି ରହିଛି। ଏହା ସତ୍ତ୍ବେ ମନ୍ଦିର ପ୍ରସାଦର ଚାହିଦା ମଧ୍ୟ ଢେର୍ ରହିଛି। ଲୋକମାନେ ହୋଟେଲର ଅତ୍ୟଧିକ ତେଲ ମସଲା ଖାଦ୍ୟକୁ ଛାଡ଼ି ମନ୍ଦିରର ଶୁଦ୍ଧ ଶାକାହାରୀ ତଥା ସ୍ବାତ୍ତ୍ବିକ ଅନ୍ନ ଡାଲମାକୁ ପସନ୍ଦ କରୁଛନ୍ତି। ଶାନ୍ତ ଆଧ୍ୟାତ୍ମିକ ପରିବେଶରେ ତଳେ ବସି ପ୍ରସାଦକୁ ଶ୍ରଦ୍ଧାଳୁମାନେ ଅତି ଆନନ୍ଦର ସହ ଗ୍ରହଣ କରୁଛନ୍ତି। ଲୋକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ବିଭିନ୍ନ ମନ୍ଦିରରେ ଏବେ ପ୍ରସାଦ ସେବନର ବ୍ୟବସ୍ଥା
କରାଯାଇଛି।
![Sambad Whatsapp](https://cdn-icons-png.flaticon.com/512/2504/2504957.png)
Sambad is now on WhatsApp
Join and get latest news updates delivered to you via WhatsApp
ରାନୀ ନାୟକ
ଭୁବନେଶ୍ୱର: ବାଣୀବିହାର ଛକର ଜାତୀୟ ରାଜପଥ କଡ଼ରେ ରହିଛି ଶନିଶ୍ଚର ମନ୍ଦିର। ଯେଉଁଠି ଠାକୁରଙ୍କୁ ଦର୍ଶନ ପାଇଁ ପ୍ରତିଦିନ ହଜାର ହଜାର ଶ୍ରଦ୍ଧାଳୁଙ୍କ ସୁଅ ଛୁଟେ। ମନ୍ଦିର ପକ୍ଷରୁ ଦୀର୍ଘ ୨୦ ବର୍ଷ ହେଲା ଶ୍ରଦ୍ଧାଳୁମାନଙ୍କ ପାଇଁ ଶାନ୍ତ ପରିବେଶରେ ବସି ପ୍ରସାଦ ସେବନ କରିବାର ବ୍ୟବସ୍ଥା କରାଯାଇଛି। ପ୍ରତିଦିନ ଏଠାରେ ୮ଶହ ଲୋକଙ୍କ ପାଇଁ ପ୍ରସାଦ ପ୍ରସ୍ତୁତ ହୁଏ। କିନ୍ତୁ ଶନିବାର ଏହା ଏକ ହଜାରକୁ ଛୁଏଁ। ଅନ୍ନ, ଡାଲମା, ଶାଗମୁଗ, ଖଟା, ଖିରି, ମିକ୍ସି ତରକାରି ଆଦି ପ୍ରସାଦରେ ମିଳେ। ଯାହାର ମୂଲ୍ୟ ୭୦ ଟଙ୍କା ରହିଛି। ଦିନ ୧୨ ଟା ୩୦ରୁ ୩ଟା ଯାଏ ଏଠାରେ ପ୍ରସାଦ ମିଳେ। କେହି କେହି ପାର୍ସଲ ନିଅନ୍ତି ଆଉ କିଛି ଲୋକ ମନ୍ଦିର ପ୍ରାଙ୍ଗଣରେ ବସି ସେବନ କରନ୍ତି। ବିଭିନ୍ନ ବ୍ରତଘର, ମେଳା ଆଦିରେ ମଧ୍ୟ ଅର୍ଡର ରଖାଯାଏ। ମନ୍ଦିରରେ ପ୍ରାୟ ୨ଶହ ଲୋକଙ୍କ ପାଇଁ ଏକ ସାଙ୍ଗରେ ଖାଇବାର ବ୍ୟବସ୍ଥା କରାଯାଇଛି। ମନ୍ଦିରର ପ୍ରସାଦ ପ୍ରସ୍ତୁତି ପାଇଁ ପ୍ରତିବର୍ଷ ଟେଣ୍ଡର ବାହାରେ। ମନ୍ଦିର କମିଟି ଏହି ଟେଣ୍ଡର ଟଙ୍କାକୁ ମନ୍ଦିରର ଉନ୍ନତୀକରଣ ହେଉ କିମ୍ୱା ନୀତିକାନ୍ତି, ପୂଜକ ଦରମା ଆଦିରେ ଖର୍ଚ୍ଚ କରିଥାନ୍ତି।
ମନ୍ଦିରର ପୂଜକ ରବୀନ୍ଦ୍ର ପାଢ଼ୀଙ୍କ କହିବା ଅନୁଯାୟୀ, ମନ୍ଦିରଟି ପ୍ରାୟ ୪୫ବର୍ଷ ପୁରୁଣା। ଏଠାରେ ଶନି, ରାହୁ, କେତୁ, ଦକ୍ଷିଣ କାଳୀ ପୂଜା ପାଉଛନ୍ତି। ପ୍ରଥମେ ମନ୍ଦିରଟି ଯେତେବେଳେ ତିଆରି ହୋଇନଥିଲା, ସେତେବେଳେ ଗୋଟିଏ ବରଗଛ ତଳେ ତିନୋଟି ଇଟା ପୂଜା ପାଉଥିଲେ। ସେହି ଗଛ ପାଖରେ ଏକ ନାଳ ଥିଲା। ଲୋକେ ତାକୁ ଡେଇଁ ଯାତାୟାତ କରୁଥିଲେ। ପଟିଆ ଗ୍ରାମର ବୈରାଗୀ ଚରଣ ମହାରଣା ଉତ୍କଳ ବିଶ୍ୱବିଦ୍ୟାଳୟର କର୍ମଚାରୀ ଥିଲେ। ସେ ପ୍ରତିଦିନ ଏହି ରାସ୍ତା ଦେଇ ଯିବା ଆସିବା କରନ୍ତି। ତାଙ୍କ ତତ୍ତ୍ୱାବଧାନରେ ସେ ଭୋଇନଗରର କିଛି ଲୋକଙ୍କୁ ଏକଜୁଟ କରି ଶନିଶ୍ଚର ମନ୍ଦିର କରିବାକୁ ସଂକଳ୍ପ ନେଲେ। ବିଭିନ୍ନ ଗାଁ ବୁଲି କିଛି ଟଙ୍କା ସଂଗ୍ରହ କରି ମାଘ ସପ୍ତମୀରେ ଆରମ୍ଭ କଲେ ଏହି ଶନିଶ୍ଚର ମହାଗ୍ରହ ମନ୍ଦିର। ପ୍ରଥମେ ଏଠାରେ ଶନି, ରାହୁ, କେତୁ, ପୂଜା ପାଉଥିଲେ। ପୂଜକଙ୍କ କହିବା କଥା ବୈରାଗୀଙ୍କୁ ସ୍ୱପ୍ନାଦେଶ ହେବାରୁ ତାଙ୍କ ଘରର ମାଟି ତଳୁ ଏକ ମୂର୍ତ୍ତି ବାହାରିଲା। ତା’ ପରେ ସେହି ମୂର୍ତ୍ତିଟି ଦକ୍ଷିଣକାଳୀ ନାମରେ ଏଠାରେ ୨୦ ବର୍ଷ ହେଲା ପୂଜା ପାଉଛନ୍ତି।
ପ୍ରତିବର୍ଷ ମାଘସପ୍ତମୀରେ ଏଠାରେ ବଡ଼ ଆକାରର ଯଜ୍ଞ ହୁଏ। ଏହାବାଦ ଅକ୍ଷତୃତୀୟା ଦିନ ଶନିଙ୍କ ଜନ୍ମଦିନ ଥିବାରୁ ତିନିଦିନ ଧରି ଯଜ୍ଞ ହୁଏ। ରାଜଧାନୀର ଏହା ହେଉଛି ପ୍ରଥମ ଶନି ମନ୍ଦିର। ମନ୍ଦିରରେ ପ୍ରତିଦିନ ସକାଳେ ବାଳ ଭୋଗ, ମଧ୍ୟାହ୍ନରେ ଅନ୍ନ ଭୋଗ, ସନ୍ଧ୍ୟାରେ ଖିରି, କାକରା ଭୋଗ ଲାଗି ହୁଏ। ବିଭିନ୍ନ ପ୍ରାନ୍ତରୁ ଲୋକ ଆସି ନବଗ୍ରହ ପୂଜା, ପାଞ୍ଚପାଳି ମେଳା ଆଦି କରିଥାନ୍ତି। ମନ୍ଦିରରେ ପ୍ରତିଦିନ ଦୁଇଜଣ ପୂଜକ ପୂଜା କରିବା ସହ ପ୍ରତି ଶନିବାରରେ ସାଲେପୁରରୁ ଦୁଇଜଣ ପୂଜକ ମଧ୍ୟ ଆସିଥାନ୍ତି।