ବିପିଏସ୍‌ପିଏରେ ସ୍ନେକ୍ ହେଲ୍‌ପଲାଇନ୍‌: ପୁଲିସ ପଢ଼ିଲେ ସାପ ଦ୍ବାରା ସଂଗଠିତ ଅପରାଧର ପାଠ

ଭୁବନେଶ୍ବର: ସାପକୁ ଅସ୍ତ୍ର ଭାବରେ ବ୍ୟବହାର କରି ସଂଗଠିତ ହେଉଛି ସଂଗିନ୍‌ ଅପରାଧ। କେତେବେଳେ ମର୍ଡର, ଡବଲ୍ ମର୍ଡର ତ କେତେବେଳେ ବଳାତ୍କାର କରିବାକୁ ନିଶା ପ୍ରୟୋଗ କରିବାକୁ ସାପକୁ ବ୍ୟବହାର କରାଯାଉଛି। ବାହାରକୁ ସାପ କାମୁଡ଼ା ଭଳି ଦେଖାଯାଉଥିବ‌ା ମାମଲା ପଛରେ ହତ୍ୟାକାଣ୍ଡ ଛପି ରହୁଛି। ଏଭଳି କାଣ୍ଡ ଓଡ଼ିଶାରେ ଆଉ ନୂଆ ହୋଇନାହିଁ। ତେଣୁ ଏବେ ପୁଲିସକୁ ଏହି ଦିଗରେ ଅଧିକ ଦକ୍ଷ ହେବାକୁ ପଡ଼ିବ। ପୁଲିସ ନିକଟରେ ସାପ କାମୁଡ଼ା ଜ୍ଞାନ ରହିବା ଜରୁରି। ଏଥିପାଇଁ ଆଜି ବିଜୁ ପଟ୍ଟନାୟକ ରାଜ୍ୟ ପୁଲିସ ଏକାଡେମୀରେ ୫ ଜଣ କ୍ୟାଡେଟ୍‌ ଡିଏସ୍‌ପି ଓ ୩୫୦ ଜଣ କ୍ୟାଡେଟ୍‌ ସବ୍‌ଇନ୍‌ସ୍ପେକ୍ଟରଙ୍କୁ ସାପ କାମୁଡ଼ା ଉପରେ ଶିକ୍ଷା ଦିଆଯାଇଛି। ଏହି କାର୍ଯ୍ୟକ୍ରମରେ ସ୍ନେକ୍ ହେଲ୍‌ପଲାଇନ୍ ପକ୍ଷରୁ ସହଯୋଗ କରାଯାଇଥିଲା।

ନିକଟରେ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅଞ୍ଚଳରେ ସାପକୁ ବ୍ୟବହାର କରି ଏକ ଡବଲ ମର୍ଡର ହୋଇଥିଲା। ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅଧୀନରେ ଘରେ ସାପ ଛାଡ଼ି ଭୟଭୀତ କରାଇ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିଲା। ସେହିଭଳି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନାରେ ଜଣେ ସାପ ଧରାଳିଙ୍କୁ ସାପ କାମୁଡ଼ି ମାରିଦେବା ଭଳି ଘଟଣା ଘଟିଛି। ବେଙ୍ଗାଲୁରୁରେ ଏକ ରେଭ୍‌ ପାର୍ଟିରେ କିଙ୍ଗ୍‌କୋବ୍ରା ବ୍ୟବହାର କରାଯାଇଥିବା ଖବର ଜଣାପଡ଼ିଛି। ଏସବୁ ଉପରେ କ୍ୟାଡେଟ୍‌ମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା। ସେହିପରି ସାପ କାମୁଡ଼ିବା ପରେ କିଭଳି କିପ୍ରକାରର ପ୍ରାଥମିକ ଚିକିତ୍ସା କରାଯିବ, ସେନେଇ ସ୍ନେକ୍‌ ହେଲ୍‌ପ ଲାଇନ୍‌ ତରଫରୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ସାପ କାମୁଡ଼ିଥିବା ସ୍ଥାନରେ ରକ୍ତ ସଞ୍ଚାଳନ ସଂପୂର୍ଣ ବନ୍ଦ ନକରିବା ପାଇଁ ପରାମର୍ଶ ଦିଆଯାଇଥିଲା। ସେହିଭଳି କ୍ଷତ ସ୍ଥାନକୁ କିଭଳି କ୍ରେପ୍‌ ବ୍ୟାଣ୍ଡ ବା ଗାମୁଛାରେ ଗୁଡ଼ାଇବାକୁ ହେବ ସେନେଇ ମକ୍‌ ଡ୍ରିଲ୍‌ କରାଯାଇଥିଲା।

ସମ୍ବନ୍ଧିତ ଖବର