ପଞ୍ଚସଖାନଗରରେ ୱାଟ୍‌କୋ ଯନ୍ତ୍ରଣା: ବର୍ଷାରେ କଲବଲ

୨ ବର୍ଷ ହେଲା ସରୁନି ରାସ୍ତା କାମ, ନିମ୍ନମାନର ମରାମତି ଅଭିଯୋଗ

ଖଣ୍ଡଗିରି: ପଞ୍ଚସଖାନଗର ଅଧିବାସୀଙ୍କ ପାଇଁ କମୁନି ୱାଟକୋ ଯନ୍ତ୍ରଣା। ୨ ବର୍ଷ ହେଲା ୱାଟକୋ ପକ୍ଷରୁ କରାଯାଉଥିବା ସ୍ବେରେଜ ପାଇପ୍‌ ବିଛାଇବା କାମ ଆଜି ପର୍ଯ୍ୟନ୍ତ ସରିନାହିଁ। ରାସ୍ତା ଖୋଳି ଦିଆଯିବା ପରେ ମରାମତି ଏତେ ନିମ୍ନମାନର ହୋଇଛି ଯେ ବର୍ଷା ହେଲେ ଏଠାରେ ପାଣି ଜମା ହୋଇ ଯୋଗାଯୋଗ ବିଚ୍ଛିନ୍ନ ହୋଇ ପଡ଼ୁଛି। ବିଶେଷକରି ଆଇଟିଇଆର୍‌ କଲେଜରୁ ବେଲେଶ୍ବର ମନ୍ଦିର ପର୍ଯ୍ୟନ୍ତ ରାସ୍ତାରେ ପାଣି ଜମା ହୋଇ ଜଟିଳ ସ୍ଥିତି ସୃଷ୍ଟି କରୁଥିବା ନେଇ ଅଭିଯୋଗ ହୋଇଛି।

ସ୍ଥାନୀୟ ଅଧିବାସୀଙ୍କ ଅନୁସାରେ, ୨୦୨୨ ମସିହାରୁ ପଞ୍ଚସଖାନଗରରେ ୱାଟକୋର ସ୍ବେରେଜ ପାଇପ୍‌ ବିଛାଇବା କାମ ଆରମ୍ଭ ହୋଇଛି। ବର୍ତ୍ତମାନ ଏହା ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଥିଲେ ମଧ୍ୟ ଶେଷ ହୋଇନାହିଁ। ରାସ୍ତା ଖୋଳି ଦିଆଯାଇ ପାଇପ୍‌ ବିଛା କାର୍ଯ୍ୟ ଅତି ମନ୍ଥର ଗତିରେ ଚାଲିଛି। ଏହାକୁ ନେଇ ବିଭିନ୍ନ ସମୟରେ ସ୍ଥାନୀୟ ଅଧିବାସୀ ୱାଟକୋ ଯନ୍ତ୍ରୀଙ୍କୁ ଘେରାଉ ମଧ୍ୟ କରିଛନ୍ତି। ଏହା ସତ୍ତ୍ବେ କୌଣସି ଲାଭ ହୋଇନାହିଁ। ବରଂ ରାସ୍ତା ମରାମତି ଏଭଳି ହୋଇଛି ଯେ ବିଭିନ୍ନ ସ୍ଥାନରେ ଦବି ଯାଇଛି। ଫଳରେ ଅଳ୍ପବର୍ଷାରେ ପାଣି ଜମି ରହୁଛି। ୱାଟକୋର ମନ୍ଥର କାମ ସହିତ ଡ୍ରେନ ଜବରଦଖଲ ଯୋଗୁଁ ବର୍ଷାରେ ଅଞ୍ଚଳବାସୀ ୨ ବର୍ଷ ହେଲା ଅସ୍ଥାୟୀ ଜଳଘେରରେ ରହୁଛନ୍ତି। ସ୍ଥାନୀୟ ବାସିନ୍ଦା କେଏଲ୍‌ ମହାନ୍ତିଙ୍କ ଅନୁସାରେ, ୱାଟକୋର ତ୍ରୁଟିପୂର୍ଣ୍ଣ କାର୍ଯ୍ୟ ସହିତ ଡ୍ରେନ ଜବରଦଖଲ ଯୋଗୁଁ ଏଠି ରହିବା ଅଭିଶାପ ହେଲାଣି। ୯ ନମ୍ବର ପ୍ରାକୃତିକ ଡ୍ରେନର ଚଉଡ଼ା ପଞ୍ଚସଖାନଗରରେ ସର୍ବନିମ୍ନ ୫୦ ଫୁଟ ଏବଂ ଆଇଟିଇଆର୍‌ କଲେଜ ପଛପଟରେ ଚଉଡ଼ା ପୂର୍ବରୁ ୮୦ ଫୁଟ ପର୍ଯ୍ୟନ୍ତ ରହିଥିଲା। ଏଥିଯୋଗୁଁ ଯେତେ ବର୍ଷା ହେଲେ ମଧ୍ୟ ପାଣି ନିଷ୍କାସନର କୌଣସି ଅସୁବିଧା ନଥିଲା। ୨୦୧୪ ମସିହାରୁ ଡ୍ରେନ ଜବରଦଖଲ ହେବା ସହିତ ଜଳବନ୍ଦି ସମସ୍ୟା ଆରମ୍ଭ ହୋଇଛି। ସେଥିରେ ପୁଣି ଡ୍ରେନ ଉପରେ ଘର ନିର୍ମାଣ ଯୋଗୁଁ ଆଇଟିଇଆର୍‌ କଲେଜ ଠାରୁ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ଯାଇଥିବା ଡ୍ରେନଟି ସିଧା ନ ଯାଇ ବଙ୍କେଇ କି ନିର୍ମାଣ କରାଯାଇଛି। ଏଥିଯୋଗୁଁ ଡ୍ରେନର ଜଳ ନିଷ୍କାସନ କ୍ଷମତା ସଙ୍କୁଚିତ ହୋଇଛି। ପାଣି ଜମିବା ଯୋଗୁଁ ସ୍ବାସ୍ଥ୍ୟଗତ ସମସ୍ୟା ନେଇ ଚିନ୍ତା ଘାରୁଛି। ଆହୁରି ମଧ୍ୟ ଜମି ରହିଥିବା ଏହି ନଳାପାଣିର ଦୁର୍ଗନ୍ଧରେ ଲୋକେ ଅତିଷ୍ଠ ହେଉଛନ୍ତି।

ୱାର୍ଡ ନମ୍ବର ୬୪ର କର୍ପୋରେଟର ସାକିବା ମୁସରତ କହିଛନ୍ତି, ପଞ୍ଚସଖାନଗରରେ ସ୍ବେରେଜ ପାଇପ୍‌ ବିଛାଇବା କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ବର୍ତ୍ତମାନ କେବଳ ସଂଯୋଗ କାର୍ଯ୍ୟ ହେଉଛି। ଏଠାରେ ମାଟି ଏଭଳି ଯେ ସ୍ବେରେଜ କାର୍ଯ୍ୟ ବିଳମ୍ବିତ ହୋଇଛି। ୱାଟକୋ ପକ୍ଷରୁ ବିଭିନ୍ନ ସ୍ଥାନରେ ରାସ୍ତା ମରାମତି ଠିକ୍‌ ଭାବରେ ହୋଇନଥିବା ନେଇ ସେ ନିଜେ ମଧ୍ୟ ବିଭିନ୍ନ ସମୟରେ ୱାଟକୋ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ପଞ୍ଚସଖାନଗରରେ ଅଢ଼େଇ କିଲୋମିଟର ଡ୍ରେନ ଏବଂ ରାସ୍ତା ନିର୍ମାଣ ଖୁବ୍‌ଶୀଘ୍ର ଆରମ୍ଭ ହେବ। ଏଥିପାଇଁ ଟେଣ୍ଡର କରାଯାଇ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ଏହାପରେ ଜଳବନ୍ଦି ସମସ୍ୟାର ସମାଧାନ ହେବାର ଆଶା ଅଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର