ଅଂଶୀଦାରଙ୍କ ଲାଭାଂଶ ଦାବିକରି ଅର୍ବାନ୍‌ ବ୍ୟାଙ୍କ୍‌ ଘେରିଲା ଶ୍ରମିକ କଂଗ୍ରେସ

ଜଟଣୀ: ପୂର୍ବତଟ ରେଳ ଅର୍ବାନ ସମବାୟ ସମିତି ବ୍ୟାଙ୍କ୍‌ରୁ ଅଂଶୀଦାରମାନଙ୍କ ଲାଭାଂଶ ଦାବିକରି ଆଜି ପୂର୍ବତଟ ରେଳପଥ ଶ୍ରମିକ କଂଗ୍ରେସ ପକ୍ଷରୁ ଖୋର୍ଦ୍ଧାରୋଡ୍ ରେଳ ମଣ୍ଡଳସ୍ଥିତ ଅର୍ବାନ ବ୍ୟାଙ୍କ୍‌ ଘେରାଉ କରାଯାଇଥିଲା। ୨୦୧୪ ମସିହାରୁ ଆଜି ପର୍ଯ୍ୟନ୍ତ ଅଂଶୀଦାର ରେଳ କର୍ମଚାରୀମାନେ ଲାଭାଂଶ ପାଇ ନଥିବାରୁ ଏହି ପଦକ୍ଷେପ ନିଆଯାଇଥିଲା। ତେବେ ଜୁନ୍‌ ଶେଷ ସୁଦ୍ଧା ନିର୍ଦ୍ଧାରିତ ଫର୍ମରେ ଆବେଦନ କରିବାକୁ କର୍ମଚାରୀ ଅଂଶୀଦାରମାନଙ୍କୁ ବ୍ୟାଙ୍କ କର୍ତ୍ତୃପକ୍ଷ ପରାମର୍ଶ ଦେଇଥିଲା। କିନ୍ତୁ ୧୮ହଜାର ଅଂଶୀଦାର କର୍ମଚାରୀଙ୍କୁ ବ୍ୟାଙ୍କ୍‌କୁ ନ ଡକାଇ ଜମା ଖାତାରେ ଲାଭାଂଶ ଜମା କରିବାକୁ ଶ୍ରମିକ କଂଗ୍ରେସ ଦାବି କରିଥିଲା। ତେଣୁ ୨ ମାସ ମଧ୍ୟରେ ରେଳ କର୍ମଚାରୀଙ୍କ ଜମା ଖାତାକୁ ଲାଭାଂଶ ଫେରସ୍ତ କରାଯିବ ବୋଲି ବ୍ୟାଙ୍କ୍‌ର ଭାରପ୍ରାପ୍ତ ଅଧିକାରୀ ପ୍ରତିଶ୍ରୁତି ଦେବା ପରେ ଘେରାଉ ସ୍ଥଗିତ ରଖାଯାଇଥିଲା।

କିନ୍ତୁ ଆଗାମୀ ଦୁଇ ମାସ ମଧ୍ୟରେ ଲାଭାଂଶ ନ ଦେଲେ, ଆନ୍ଦୋଳନକୁ ଜୋରଦାର୍‌ କରାଯିବ ବୋଲି ଚେତାବନୀ ଦିଆଯାଇଥିଲା। ଶ୍ରମିକ କଂଗ୍ରେସର ସାଧାରଣ ସମ୍ପାଦକ ରମେଶଚନ୍ଦ୍ର ସାହୁଙ୍କ ନେତୃତ୍ୱରେ କେନ୍ଦ୍ରୀୟ ପଦାଧିକାରୀ ସୁବ୍ରତ ପଣ୍ଡା, ଶାଖା ସମ୍ପାଦକ ଏଲ ଡି ମହାନ୍ତି, ଏ ଶ୍ରୀନିବାସ ରାଓ, ଶରତ ପଣ୍ଡା, ଭି ଏସ୍‌ ପ୍ରସାଦ, ଶାଖା ସମ୍ପାଦକ ସୂର୍ଯ୍ୟକାନ୍ତ ସୁବୁଦ୍ଧି, ଗୋପାଳ ଦାସ, ବିଜେପି ଇନ୍‌ଷ୍ଟିଚ୍ୟୁଟ୍‌ ସମ୍ପାଦକ ଅକ୍ଷୟ ପ୍ରଧାନ, ନାରୀନେତ୍ରୀ ରୁନି ବେହେରା, ଅର୍ପିତା ମହାନ୍ତି, ପି. ଜାନକୀ, ବିଜୟଲକ୍ଷ୍ମୀ ଦାଶ, ରାକେଶ ଘଡେ଼ଇଙ୍କ ସମେତ ୨ଶହରୁ ଊର୍ଦ୍ଧ୍ୱ ଅଂଶୀଦାର ଆଜି ସାମିଲ ଥିଲେ।

ସମ୍ବନ୍ଧିତ ଖବର