ସାହା ହୋଇଥା’ଲୋ ମାଆ: ଘାଟିକିଆରେ ପୂଜାପାଆନ୍ତି, ମା’ ଜଟାଧାରୀ ଠାକୁରାଣୀ

ଗ୍ରାମଦେବତୀ ଓଡ଼ିଆ ଗାଁର ଆସ୍ଥା ଓ ବିଶ୍ବାସର କେନ୍ଦ୍ର। ଓଡ଼ିଶାର ଅଧିକାଂଶ ପୁରୁଣା ଗାଁରେ କେଉଁ ଆବହମାନକାଳରୁ ଜଣେ ଜଣେ ଗ୍ରାମଦେବତୀ ବିଜେ କରିଛନ୍ତି। ତାଙ୍କୁ ଗ୍ରାମବାସୀ ନିଜ ପରିବାରର ଲୋକ ଭାବେ ଗ୍ରହଣ କରନ୍ତି, ଅଭିଭାବକ ମାନନ୍ତି। ସବୁ ମାଙ୍ଗଳିକ କାର୍ଯ୍ୟରେ ପ୍ରଥମେ ସେ ନିମନ୍ତ୍ରିତ ହୁଅନ୍ତି। ଲୋକେ ବିଶ୍ବାସ କରନ୍ତି, ଗ୍ରାମଦେବତୀ ଗ୍ରାମବାସୀଙ୍କୁ ରୋଗବୈରାଗ୍ୟଠୁ ଆରମ୍ଭକରି ସବୁ ପ୍ର‌ାକୃତିକ ବିପତ୍ତିଠାରୁ ରକ୍ଷା କରନ୍ତି। ଆସୁଥିବା ଅଦୃଶ୍ୟ ବିପତ୍ତି ଓ ଶତ୍ରୁମାନଙ୍କ ସହିତ ଲଢ଼େଇକରି ସେ ନିଜ ଗାଁକୁ ଘଣ୍ଟ ଘୋଡ଼େଇ ରଖନ୍ତି। ସବୁଠୁ ଉଲ୍ଲେଖନୀୟ, ଅଧିକାଂଶ ଗ୍ରାମଦେବତୀଙ୍କର ନାଁ ନିଚ୍ଛକ ଓଡ଼ିଆ ନାଁ- ଯେମିତିକି ସେ କାହିଁ କେ‌ତେ ପିଢ଼ି ଆଗରେ ପରିବାରର ଦାୟିତ୍ବ ନେଇଥିବା ଜଣେ ସାହସିନୀ, ଶକ୍ତିଶାଳୀ ଓଡ଼ିଆ ମା’! ଗ୍ରାମଦେବତୀଙ୍କ ପୂଜକ ବ୍ରାହ୍ମଣ ହେବା ନିହାତି ଆବଶ୍ୟକ ନୁହେଁ। ବିଧିବଦ୍ଧ ଗଢ଼ା ହୋଇଥିବା ଭାବେ ତାଙ୍କର ମୂର୍ତ୍ତି ବଦଳରେ କେବଳ କାଠ ବା ପଥର ରୂପରେ ସେ ବିଜେ କରିଥାଇ ପାରନ୍ତି। ପୁଣି ଗ୍ରାମବାସୀ ଖାଉଥିବା ଖାଦ୍ୟକୁ ସେ ଆନନ୍ଦର ସହ ଭୋଗଭାବେ ଗ୍ରହଣ କରନ୍ତି। ଏବେ ଏକ ଆଧୁନିକ ସହରେ ପରିଣତ ହୋଇଥିବା ଭୁବନେଶ୍ବର ଏକଦା କିଛି ଗାଁର ସମାହାର ଥିଲା। ଆଜିର ଚଉଡ଼ା ରାସ୍ତା, ଫ୍ଲାଏଓଭର୍‌, ମଲ୍‌ ଓ କୋଠା ଆଦି ଭିତରେ ସେ ଗାଁଗୁଡ଼ିକ ହଜି ଯାଇଛନ୍ତି। କିନ୍ତୁ ଆଜି ବି ମହାନଗରର ବିଭିନ୍ନ ସ୍ଥାନରେ ଗ୍ରାମଦେବତୀମାନଙ୍କ ଆସ୍ଥାନ ରହିଛି। ହଜିଯାଇଥିବା ସେ ଅଞ୍ଚଳର ଲୋକେ ଆଜି ବି ଭଲମନ୍ଦରେ ତାଙ୍କୁ ସୁମରଣା କରି ମୁଣ୍ଡିଆ ମାରନ୍ତି। ରାଜଧାନୀର ଗ୍ରାମଦେବତୀମାନଙ୍କୁ ନେଇ ‘ସମ୍ବାଦ’ର ସ୍ବତନ୍ତ୍ର ଉପସ୍ଥାପନା

ହରପ୍ରିୟା ପୃଷ୍ଟି
ଫଟୋ: ନରସିଂହ ପରିଡ଼ା
ଖଣ୍ଡଗିରି: ଘାଟିକିଆ ଗାଁରେ କାହିଁ କେଉଁ କାଳରୁ ଗ୍ରାମଦେବତୀ ରୂପେ ମା’ ଜଟାଧାରୀ ଠାକୁରାଣୀ ପୂଜା ପାଉଛନ୍ତି। ଗ୍ରାବାସୀଙ୍କ କହିବା କଥା ଘାଟିକିଆର ସବର ରାଜା କନଦୂର୍ଗା କାଇମାଟିଆରୁ ମା’ଙ୍କୁ ପାଇ ଗ୍ରାମରେ ପ୍ରଥମେ ପୂଜା କରୁଥିଲେ। ଏଠାରେ ମା’ଙ୍କର ନାମ ଜଟାଧାରୀ ଠାକୁରାଣୀ କୁହାଗଲା। ଚନ୍ଦକା ଜଙ୍ଗଲରୁ ହାତୀ ଆସିବା ସହିତ ବିଭିନ୍ନ ବନ୍ୟ ଜନ୍ତୁ ଏଠାରେ ଆତଯାଜ କରୁଥିଲେ। ସେତେବେଳେ ଜଙ୍ଗଲ ଭିତରେ ନିମ୍ବ ଗଛମୂଳେ ପୂଜା ପାଉଥିଲେ ମା’ ଜଟାଧାରୀ ଠାକୁରାଣୀ। ମା’ଙ୍କ କୁନି କୁନି ପଥର ମୂର୍ତ୍ତିଙ୍କୁ ଏଠାରେ ପୂଜା କରାଯାଉଥିଲା। ସାହାଡ଼ା, ବର, ଓସ୍ତ, ଚାକୁଣ୍ଡା, ଜଙ୍ଗଲି ଫୁଲ ଗଛ, କଣ୍ଟେଇ କୋଳି, ଖିରି କୋଳି ଗଛ ଠାକୁରାଣୀଙ୍କ ଆଖ ପାଖରେ ଥିଲା। କ୍ରମେ ଘାଟିକିଆ ଗ୍ରାମ ଆଡ଼କୁ ସହର ବଢ଼ିଲା। ଗ୍ରାମ ଲୋକଙ୍କ ଚାଳ ଘର କୋଠାରେ ପରିଣତ ହେଲା। ଗ୍ରାମର ରକ୍ଷାକାରିଣୀଙ୍କୁ ଆଉ ନିମ୍ବ ଗଛମୂଳେ ନରଖିବାକୁ ଗ୍ରାମବାସୀ ନିଷ୍ପତ୍ତି ନେଲେ। ମା’ଙ୍କ ପାଇଁ ପ୍ରଥମେ ୧୯୬୨ ମସିହାରେ ଛୋଟିଆ ମନ୍ଦିରଟିଏ ପଥର ଥୋଇ କରାଯାଇଥିଲା। ପରେ ୨ହଜାର ମସିହା ବେଳକୁ ମା’ଙ୍କ ମନ୍ଦିରକୁ ବଡ଼ କରି ତୋଳିବାକୁ ଯୋଜନା ହେଲା। ୨୦୦୩ ମସିହାରେ ଏକ ବଡ଼ ଓ ସୁନ୍ଦର ମନ୍ଦିର ତିଆରି ହେଲା।

ମା’ଙ୍କ ପଥର ମୂର୍ତ୍ତି ଭାଙ୍ଗି ଯାଇଥିବାରୁ ନୂତନ ମୂର୍ତ୍ତି ତିଆରି କରାଯାଇ ସେଥିରେ ପ୍ରାଣ ପ୍ରତିଷ୍ଠା କରାଗଲା। ଏବେ ଗାଁର ମୂଳ ବାସିନ୍ଦାଙ୍କ ସହ ପାଖରେ ଗଢ଼ିଉଠିଥିବା ବିଭିନ୍ନ ଆପାର୍ଟମେଣ୍ଟ ଓ କଲୋନୀ ଲୋକେ ମଧ୍ୟ ମା’ଙ୍କୁ ଗ୍ରାମଦେବତୀ ରୂପେ ପୂଜା କରୁଛନ୍ତି। ବିବାହ, ବ୍ରତଘର ହେଲେ ପ୍ରଥମ ନିମନ୍ତ୍ରଣ ମା’ଙ୍କୁ ଦିଆଯାଏ। ବିବାହ ବେଳେ ଦିଅଁ ମଙ୍ଗୁଳା ପାଇଁ ମା’ଙ୍କ ପୀଠକୁ ଗ୍ରାମବାସୀ ପୂଜା ପାଇଁ ଯାଆନ୍ତି। ଯେକୌଣସି ମାଙ୍ଗଳିକ କାର୍ଯ୍ୟ ହେଲେ, ଆଗେ ମା’ଙ୍କ ପାଖରେ ପୂଜା କରାଯା‌ଏ। ଗ୍ରାମରେ କାହାର ଗାଈ, ଗୋରୁ ହଜିଲେ ଗାଈ ପଘାକୁ ନେଇ ମନ୍ଦିର ପ‌ାଖରେ ଲୋକେ ବାନ୍ଧିଦେଇ ଆସନ୍ତି। ହଜିଲା ଜିନିଷ ପାଇଁ ଏଠାରେ ପୂଜା କରିଲେ ମା’ ସାହା ହୁଅନ୍ତି। ପିଲା କି କିଛି ଜରୁରୀ ଜିନିଷ ହଜିଲେ କିମ୍ବା ଯେ କୌଣସି ବିପଦ ପଡ଼ିଲେ ମା’ଙ୍କ ପାଖରେ ଅଧିଆ ପଡ଼ି ମାନସିକ କରି ଲୋକେ ଆସନ୍ତି। ବିପଦରୁ ମୁକ୍ତି ପାଇବା ପରେ କିମ୍ବା ମାନସିକ ପୁରଣ ହେଲେ ମା’ଙ୍କ ପାଖରେ ସେମାନେ ଚାଉଳ ଖିରୀ ଭୋଗ କରନ୍ତି।

ଜଟାଧାରୀ ଠାକୁରାଣୀଙ୍କ ପାଖରେ ଆମିଷ ନିରାମିଷ ସବୁ ଭୋଗ ହୁଏ। ମା’ ମନ ଜାଣି ସବୁ ଇଚ୍ଛା ପୂରଣ କରନ୍ତି। ଆଗରୁ ଦଶହରାରେ ଏଠାରେ ବଳି ପଢ଼ୁଥିଲା। ଏବେ ବଳି ବନ୍ଦ ହୋଇ ଯାଇଥିଲେ ବି ମା’ଙ୍କ ପାଖରେ ଅନ୍ୟ ନିତିକାନ୍ତି ସବୁ ହୁଏ। ପୂର୍ଣ୍ଣିମା ଓ ଅମାବାସ୍ୟା, ଦୋଳପର୍ବରେ ବିଶେଷ ପୂଜା ହୋଇଥାଏ। ଗାଁ କୌଣସି ଗୋଟିଏ ବ୍ୟକ୍ତି ମା’ଙ୍କ ପୂଜା କରନ୍ତି ନାହିଁ। କିଏ ହାତରେ ୨ ଖଣ୍ଡ ଡାଳ ଭାଙ୍ଗିଆଣି ମା’ ଦୁଆର ଓଳେଇ ଦିଏ। କିଏ କେତେବେଳେ ମାନସିକ ପୁରଣ ହେଲେ ମା’ଙ୍କ ପାଖରେ ମା’ଙ୍କ ପ୍ରିୟ ଚାଉଳ ଖିରୀ ଭୋଗ କରିଦିଏ। ଏଇ କିଛି ବର୍ଷ ହେଲା ମନ୍ଦିରରେ ରବିନ୍ଦ୍ର ବେହେରା ପୂଜା କରୁଛନ୍ତି। ସଂକ୍ରାନ୍ତି ଓ ଅମାବାସ୍ୟାରେ ଏଠାରେ ଖେଚୁଡ଼ି ଭୋଗ କରାଯାଏ। ଦଶହରାରେ ଚାଉଳ ଖିରୀ ଓ ମାଟି ହାଣ୍ଡିରେ ପଣା ଭୋଗ ହୋଇ ଗାଁ ଲୋକଙ୍କୁ ବଣ୍ଟାଯାଏ। ହୋମ ଯଜ୍ଞ ହୁଏ। ଲୋକଙ୍କ ବିଶ୍ବାସ ଠାକୁରାଣୀଙ୍କ ମନ୍ଦିର ହେବା ପରେ ଆଉ ଗାଁରେ କିଛି କାମ ଅଟକିନି। ସବୁ ମଙ୍ଗଳକାର୍ଯ୍ୟ ଶାନ୍ତିରେ ହେଉଛି। ମେଳଣ ଠାରୁ ବ୍ରତଘର କେଉଁଥିରେ ବାଧା ଆସିନି।

ଗ୍ରାମ ଦେବତା ନୀଳକଣ୍ଠେଶ୍ବର
ଗ୍ରାମଦେବତୀଙ୍କ ଠାରୁ ଟିକିଏ ଦୂରରେ ଗ୍ରାମଦେବତା ଭାବେ ନୀଳକଣ୍ଠେଶ୍ବର ଦେବ ପୂଜା ପାଉଛନ୍ତି। ଠାକୁର ପ୍ରଥମେ ଜଙ୍ଗଲରେ ଥିଲେ। ପରେ ଚାଳ ଘରେ ରହିଲେ। ୭୦ ବର୍ଷ ପୂର୍ବେ ମନ୍ଦିର ତିଆ‌ରି ହେଲା। ସେବେଠାରୁ ଠାକୁର ମନ୍ଦିରରେ ପୂଜା ପାଉଛନ୍ତି। ଦୋଳ, ଜାଗର, କାର୍ତ୍ତିକ ପୂଣ୍ଣମୀ ପ୍ରମୁଖ ଏଠାରେ ଜାକଜକମରେ ପାଳନ କରାଯାଏ। ଦୋଳ ଉତ୍ସବରେ ବିମାନରେ ଠାକୁରଙ୍କ ଚଳନ୍ତି ପ୍ରତିମା ଚନ୍ଦ୍ରଶେଖର ଓ ମା’ ଗୌରୀ ଗାଁ ବୁଲନ୍ତି। ବର୍ଷସାରା ଠାକୁରଙ୍କ ପର୍ବପର୍ବାଣୀରେ ଗ୍ରାମବାସୀ ସାମିଲ ହୁଅନ୍ତି।

ସମ୍ବନ୍ଧିତ ଖବର