କାମ ଦେଲା ନବୀନଙ୍କ ମାଷ୍ଟର ଷ୍ଟ୍ରୋକ୍‌

ଭୁବନେଶ୍ୱର : ୧୦ମାସ ତଳେ ପଞ୍ଚାୟତ ନିର୍ବାଚନରେ ଝଟ୍‌କା ଲାଗିଥିଲା ବିଜେଡିକୁ। ନିର୍ବାଚନ ପୂର୍ବରୁ ଦଳର ବରିଷ୍ଠ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଥିଲେ ସରକାର ଓ ଦଳର ମୁଖିଆ ନବୀନ ପଟ୍ଟନାୟକ। ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ବି ନିଲମ୍ବନ କରାଯାଇଥିଲା। ନିଜର ଦଳର ନେତାଙ୍କୁ ଟିକେଟ୍‌ ଦେବା ବଦଳରେ କଂଗ୍ରେସରୁ ପ୍ରାର୍ଥୀ (ରୀତା ସାହୁଙ୍କୁ) ଅଣାଯିବା କାରଣରୁ ଅସନ୍ତୋଷ ଦେଖାଦେଇଥିଲା। ଏସବୁ ସତ୍ତ୍ୱେ ଭୋଟ ଗଣିତରେ ନିଜକୁ ପୁଣି ଥରେ ବାଦ୍‌ଶାହ ବୋଲି ପ୍ରମାଣିତ କରିଛନ୍ତି ନବୀନ ପଟ୍ଟନାୟକ। ନିର୍ବାଚନ ପ୍ରକ୍ରିୟା ଭିତରେ ମୁଖ୍ୟମନ୍ତ୍ରୀ ଦି’ପାଦ ଆଗକୁ ଯାଇ କହିଥିଲେ, ରୀତା ସାହୁ ଭଲ ଭୋଟ ବ୍ୟବଧାନରେ ବିଜୟ ଲାଭ କରିବେ। ଆଜି ନିର୍ବାଚନ ଫଳାଫଳ ସେମିତି ହିଁ ହୋଇଛି। ଯେଉଁ ଅଞ୍ଚଳରେ ବିଜେଡି ଶଙ୍ଖର ସ୍ୱର ନିଷ୍ପ୍ରଭ ହୋଇଯାଇଥିଲା, ସେହି ବିଜେପୁରରେ ବିଜେଡି ବିଜୟ ଧ୍ୱଜା ଉଡ଼ାଇଛି।

ବିଜେପୁର ପାଇଁ ମାଳ ମାଳ ଯୋଜନା ଘୋଷଣା କରିଥିଲେ ସରକାର। ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ନେତୃତ୍ୱରେ ବିଜେଡିର ଯୁବ କାର୍ପଟଦାର ସଂଜୟ ଦାସବର୍ମା, ଅତନୁ ସବ୍ୟସାଚୀ ନାୟକ, ଅରୁଣ ସାହୁ, ପ୍ରଣବ ପ୍ରକାଶ ଦାସ ପ୍ରମୁଖ ନିର୍ବାଚନ ପ୍ରଚାରର ମଙ୍ଗ ଧରିଥିଲେ। ସ୍ଥାନୀୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ସୁଶାନ୍ତ ସିଂ, ସ୍ନେହାଙ୍ଗିନି ଛୁରିଆଙ୍କୁ ଓ ପର୍ଯ୍ୟବେକ୍ଷକ ପ୍ରଫୁଲ୍ଲ ମଲ୍ଲିକଙ୍କୁ ସାମ୍ନାରେ ରଖି ଗୋଟିଚାଳନା କରିଥିଲା ଦଳ। କେବଳ ସେତିକି ନୁହେଁ, ଦଳର ତୁଙ୍ଗ ନେତାଙ୍କ ଠାରୁ ଆରମ୍ଭ କରି ୫୦ ପାଖାପାଖି ବିଧାୟକ, ଯୁବ ଓ ଛାତ୍ର ନେତା ସେଠାରେ ତିନି ସପ୍ତାହ ଧରି ଡେରା ପକାଇଥିଲେ। ଖୋଦ୍‌ ମୁଖ୍ୟମନ୍ତ୍ରୀ ବରଗଡ଼ରେ ୩ଟି ନିର୍ବାଚନୀ ସଭା, ଦୁଇଟି ରୋଡ୍‌ ସୋ କରିଥିଲେ ଓ ରାତି କଟାଇଥିଲେ। ନିଜେ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେଇଥିଲେ ଯେ ସେ ହିଁ ବିଜେପୁର ଦାୟିତ୍ୱ ବୁଝିବେ।

ବିଜେଡି ନେତାମାନଙ୍କର ଦାବି ହେଉଛି, ଏସବୁ ପାଇଁ ଦଳକୁ ଆଜି ବୃହତ୍‌ ବିଜୟ ମିଳିଛି। ଦିବଂଗତ ବିଧାୟକ ସୁବଳ ସାହୁଙ୍କ ଲୋକପ୍ରୟିତାରୁ ମଧ୍ୟ ଅନୁକମ୍ପା ଗୋଟାଇଛି ଦଳ।

ହେଲେ ରାଜନୈତିକ ପର୍ଯ୍ୟବେକ୍ଷକ ମହଲର କହିବା କଥା ହେଉଛି, ରୀତା ସାହୁଙ୍କୁ ପ୍ରାର୍ଥୀ କରି ନବୀନ ମାଷ୍ଟର ଷ୍ଟ୍ରୋକ୍‌ ଖେଳିଥିଲେ। ଏହା ହିଁ ବିଜେଡିର ସଫଳତାର ପ୍ରଥମ ଗୋଟିଥିଲା। ପରବର୍ତ୍ତୀ ସମୟରେ ମୁଖ୍ୟମନ୍ତ୍ରୀଙ୍କୁ ଚଫଲ ଫିଙ୍ଗା ଘଟଣା ବିଜେପୁର ଭୋଟକୁ ଅସଲ ମୋଡ ଦେଇଥିଲା। ନବୀନ ଏହା ଉପରେ ଉଁ କି ଚୁଁ ପ୍ରତିକ୍ରିୟା ପ୍ରକାଶ ନ କରି ସମ୍ଭବତଃ ସ୍ଥାନୀୟ ଲୋକଙ୍କ ମନ ଜିଣିଥିଲେ। ସେହିଭଳି ଦଳୀୟ ଅସନ୍ତୋଷକୁ ପ୍ରଶମିତ କରିବା ଲାଗି ନବୀନଙ୍କ କସରତ ବିଜେଡିକୁ ନିର୍ବାଚନମଣ୍ଡଳୀରେ ଅଧିକ ପ୍ରଭାବୀ ସାବ୍ୟସ୍ତ କରିଥିଲା। ନବୀନ ମଞ୍ଚ ଉପରେ ଛିଡା ହୋଇ ନିଜେ ହିଁ ସବୁ କାର୍ଡ ଖେଳିଥିଲେ। ସିଧାସଳଖ କାହାକୁ ସମାଲୋଚନା ନ କରି ମହାନଦୀ ପ୍ରସଙ୍ଗ ଉଠାଇଥିଲେ। ବୁଣାକାରଙ୍କ ମନ ଜିଣିବାକୁ ଉଦ୍ୟମ କରିଥିଲେ ଓ ଚାଷୀଙ୍କ ସମସ୍ୟା ସମାଧାନ ଲାଗି ବି ସ୍ୱପ୍ନ ଦେଖାଇଥିଲେ। ଶେଷ ମୁହୂର୍ତରେ ବିଜେଡି ନେତାଙ୍କ ଉପରେ ଆକ୍ରମଣ ଘଟଣା ବିଜେଡି ସପକ୍ଷରେ ଜନମତ ପାଇଁ ଖୋରାକ ଯୋଗାଇଥିଲା।

ଜନାଦେଶକୁ ସ୍ୱୀକାର କରୁଛୁ

ନୂଆଦିଲ୍ଲୀ/ଭୁବନେଶ୍ୱର : ବିଜେପୁର ଉପନିର୍ବାଚନ ଫଳାଫଳ ନେଇ ମୁହଁ ଖୋଲିଛନ୍ତି କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ନୂଆଦିଲ୍ଲୀରେ ସେ ଗଣମାଧ୍ୟମକୁ କହିଛନ୍ତି, ଉପନିର୍ବାଚନର ଜନାଦେଶକୁ ବିଜେପି ନମ୍ରତାର ସହ ସ୍ୱୀକାର କରୁଛି। ପରାଜୟକୁ ନେଇ ବିଜେପି ଆତ୍ମସମୀକ୍ଷା କରିବ। ଏଥିରୁ ଦଳ ଶିକ୍ଷା ଗ୍ରହଣ କରିବ, ଯାହାକି ୨୦୧୯ ନିର୍ବାଚନ ପାଇଁ ସହାୟକ ହେବ।

ବିଜେଡିର ବିଜୟୀ ପ୍ରାର୍ଥୀ ରୀତା ସାହୁଙ୍କୁ ଅଭିନନ୍ଦନ ଜଣାଇବା ସହ କଂଗ୍ରେସ ଦଳ ବିଜେଡି ସହ ଏକ ଅହେତୁକ ଓ ଅଦୃଶ୍ୟ ବୁଝାମଣା ଥିବା ସମ୍ପର୍କରେ ବିଜେପି ଯେଉଁ ଅଭିଯୋଗ କରୁଥିଲା, ଏହି ନିର୍ବାଚନ ଫଳାଫଳ ତା’କୁ ପ୍ରମାଣିତ କରୁଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ସେ ଆହୁରି କହିଛନ୍ତି, ରାଜ୍ୟ ସରକାରଙ୍କ ସ୍ଥାଣୁତା ଓ ଅପାରଗତା ସମ୍ପର୍କରେ ବିଜେପି ତା’ର ଅଭିମତକୁ ବିଜେପୁରର ଜନସାଧାରଣଙ୍କୁ ଠିକ୍‌ ଭାବେ ବୁଝାଇବାରେ ସଫଳ ହୋଇପାରି ନାହିଁ। କଂଗ୍ରେସ ରାଜ୍ୟ ରାଜନୀତିରେ ଅପ୍ରାସଙ୍ଗିକ ହୋଇଯିବାର ବାର୍ତ୍ତା ଏହି ନିର୍ବାଚନରେ ମତଦାତାମାନେ ଦେଇଛନ୍ତି। ରାଜ୍ୟର ପ୍ରମୁଖ ବିରୋଧୀ ଦଳ ହିସାବରେ ଆହୁରି ମୁଖର ଭାବେ ଜନ ସମସ୍ୟାକୁ ନେଇ ବିଜେପି କାମ କରିବ। ପୂର୍ବାପେକ୍ଷା ଅଧିକ ଭୋଟ୍‌ ପାଇଲେ ମଧ୍ୟ ଏହା ବିଜୟ ପାଇଁ ଯଥେଷ୍ଟ ନ ଥିଲା।

ଫଳାଫଳ ପରେ ପ୍ରାର୍ଥୀଙ୍କ ପ୍ରତିକ୍ରିୟା

ସ୍ୱାମୀଙ୍କୁ ଜନତା ଶ୍ରଦ୍ଧାଞ୍ଜଳି ଦେଲେ : ରୀତା

ବିଜୟ ହାସଲ ପରେ ଭାବବିହ୍ଵଳ ହୋଇ ରୀତା ସାହୁ ସମସ୍ତ ଶ୍ରେୟ ନିର୍ବାଚନ ମଣ୍ଡଳୀର ଜନତାଙ୍କୁ ଦେଇଛନ୍ତି। ସ୍ୱାମୀ (ସୁବଳ ସାହୁ)ଙ୍କୁ ଲୋକେ ଶ୍ରଦ୍ଧାଞ୍ଜଳି ଦେଲେ। ମୋ’ ଉପରେ ଆସ୍ଥା ଦେଖାଇଥିବାରୁ ଋଣୀ। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ସମୁଦାୟ ବିଜେଡି ପରିବାର ତାଙ୍କ ଉପରେ ଯେଉଁ ଆସ୍ଥା ଦେଖାଇଛନ୍ତି, ନିର୍ବାଚନ ମଣ୍ଡଳୀର ସେବା କରି ଏହାକୁ ପରିଶୋଧ କରିବି ବୋଲି ରୀତା ପ୍ରତିକ୍ରିୟାରେ କହିଛନ୍ତି। ସେହିପରି ଏତିକି ବଡ଼ ବ୍ୟବଧାନରେ ଜିତିବା ସୁବଳ ସାହୁ ଏବଂ ବିଜେଡି ପ୍ରତି ଲୋକଙ୍କ ଭଲ ପାଇବା ବାରି ହେଉଛି ବୋଲି ସେ କହିଛନ୍ତି।

ଟଙ୍କା ଖେଳରେ ପଛେ ରହିଗଲି : ପ୍ରଣୟ

ଏହି ଉପନିର୍ବାଚନରେ ପ୍ରଚୁର ଟଙ୍କାର ଖେଳ ଚାଲିଲା। ଯେଉଁଥିରେ ମୁଁ ପଛରେ ରହିଗଲି। ମୁଁ ଜଣେ ଚାଷୀ ପୁଅ। ବ୍ୟୟବହୁଳ ପ୍ରଚାର କରିବା ମୋ’ ପକ୍ଷେ ସମ୍ଭବପର ହେଲା ନାହିଁ। ଅନ୍ୟ ଦଳ ଭଳି ଟଙ୍କା ବାଣ୍ଟି ପାରିଲିନି। ମୁଁ ନିର୍ବାଚନ ଲଢ଼ୁଛି ବୋଲି ଭୋଟର୍‌ ଗ୍ରହଣ କରିପାରିଲେନି। ଏହାବ୍ୟତିତ ମୋ’ ନାମରେ ନାନାଦି ଅପପ୍ରଚାର କରାଗଲା। ଏକାକୀ ଏହାର ମୁକାବିଲା କରିବା ସମ୍ଭବ ହେଲାନି। ଫଳାଫଳକୁ ସ୍ୱୀକାର କରିବାକୁ ହେବ ବୋଲି କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁ ପ୍ରତିକ୍ରିୟା ରଖିଛନ୍ତି।

ଅଧିକ ଭୋଟ୍‌ ଶୁଭସଂକେତ : ଅଶୋକ

୨୦୧୪ ନିର୍ବାଚନରେ ବିଜେପିକୁ ୩୦ ହଜାର ଭୋଟ୍‌ ମିଳିଥିଲା। ଏଥର ପରାଜୟ ହେଲେ ବି ଦୁଇଗୁଣା ଭୋଟ୍‌ ବଢ଼ିଛି। ଯାହା ଆମ ଦଳ ପାଇଁ ଶୁଭ ସଂକେତ। ବିଜେପିକୁ ବିଜେପୁରବାସୀ ଗ୍ରହଣ କରି ସାରିଲେଣି। ଏହି ଭୋଟ୍‌ ହାର ବଜାୟ ରଖିଲେ ୨୦୧୯ରେ ବିଜୟ ନିଶ୍ଚିତ। ଫଳାଫଳ ନେଇ କିଛି ଅଲଗା ଟିପ୍ପଣୀ କରାଯିବା ଉଚିତ ନୁହଁ ବୋଲି ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀ ପ୍ରତିକ୍ରିୟାରେ କହିଛନ୍ତି।

ସମ୍ବନ୍ଧିତ ଖବର