ଭୁବନେଶ୍ୱର : ବିଜେପୁର ଉପନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ରାଜଧାନୀରେ ଆଜି ତାହାର ପ୍ରଭାବ ଦେଖିବାକୁ ମିଳିଥିଲା। ଗୋଟିଏ ପଟେ ବିଜେଡି କାର୍ଯ୍ୟାଳୟରେ ବାଣ ଫୁଟିବା ସହ ନାଚ, ଗୀତ ଚାଲିଥିଲା। ଅନ୍ୟ ପଟେ ସବୁଦିନେ ଚଳଚଞ୍ଚଳ ଥିବା ବିଜେପି କାର୍ଯ୍ୟାଳୟ ଆଜି ଶୂନ୍ଶାନ୍ ଲାଗୁଥିଲା। କଂଗ୍ରେସ ଭବନ ବି ଫାଙ୍କା ଥିଲା।
![Sambad Whatsapp](https://cdn-icons-png.flaticon.com/512/2504/2504957.png)
Sambad is now on WhatsApp
Join and get latest news updates delivered to you via WhatsApp
ପୂର୍ବାହ୍ନ ୧୧ଟା ବେଳକୁ ବିଜେଡିର ବିଜୟ ନେଇ ସ୍ପଷ୍ଟ ଚିତ୍ର ଆସିଯାଇଥିବାରୁ ଦଳୀୟ କାର୍ଯ୍ୟାଳୟରେ ବିଜୟ ଉତ୍ସବ ପାଳନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିଲା। କର୍ପୋରେଟର୍, ଦଳୀୟ କର୍ମକର୍ତ୍ତା ଓ କର୍ମୀମାନଙ୍କୁ କାର୍ଯ୍ୟାଳୟ ଆସିବାକୁ କୁହାଗଲା। ମିଠା, ବାଣ, ବାଜା ସଙ୍ଗେ ସଙ୍ଗେ ଆୟୋଜନ କରାଗଲା। ୧୧ଟା ୩୦ ବେଳକୁ ଆରମ୍ଭ ହୋଇଗଲା ନାଚ, ଗୀତ। ମହିଳା କର୍ପୋରେଟର୍ ଓ ନାରୀ ନେତ୍ରୀମାନଙ୍କ ନାଚରେ ଦୁଲୁକିଲା ବିଜେଡି କାର୍ଯ୍ୟାଳୟ। ବାଜା, ବାଣରେ ସମସ୍ତେ ଖୁସି ମନାଇଲେ। ମିଠା ବି ବଣ୍ଟାଗଲା। କିଛି ସମୟ ପରେ ନବୀନ ନିବାସରେ ବି ଗହଳି ଆରମ୍ଭ ହୋଇଗଲା। ଉପନିର୍ବାଚନ ଦାୟିତ୍ୱରେ ଥିବା ଯୁବ ନେତାମାନେ ସେମାନଙ୍କ ସମର୍ଥକମାନଙ୍କ ସହ ନବୀନ ନିବାସରେ ପହଞ୍ଚିଗଲେ। ଗଣମାଧ୍ୟମ ପ୍ରତିନିଧିଙ୍କର ମଧ୍ୟ ସେଠି ଭିଡ଼ ଲାଗିଲା। ବିଜୟ ନେଇ ବେଶ୍ ଖୁସି ଥିବା ସୁପ୍ରିମୋ ନବୀନ ପଟ୍ଟନାୟକ ହସ ହସ ମୁହଁରେ ସମସ୍ତଙ୍କୁ ହାତ ହଲାଇ ଅଭିନନ୍ଦନ ଜଣାଇଲେ। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ନିଜ ଖୁସି ଜାହିର କରିଥିଲେ।
ବିଜେପି ଓ କଂଗ୍ରେସର ରାଜ୍ୟ କାର୍ଯ୍ୟାଳୟ ଦୃଶ୍ୟ ଆଜି ପୂରା ଦୟନୀୟ ଥିଲା। ଅଧିକାଂଶ ଦିନ ବିଜେପି କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଉଥିଲେ ବି ଆଜି ସେପରି କିଛି କରାଯାଇ ନ ଥିଲା। ଦଳର ପ୍ରମୁଖ ନେତାମାନଙ୍କ ଦେଖା ମିଳି ନ ଥିଲା। ଉଭୟ ଦଳର କାର୍ଯ୍ୟାଳୟରେ କାଁ ଭାଁ କର୍ମୀଙ୍କୁ ଦେଖିବାକୁ ମିଳିଥିଲା।