ପୁରାଣର ଚରିତ୍ର: ଭଉଣୀ ଯାତନାକୁ ବିବାହ କରିଥିଲା ନରକ

ନରକାସୁର ଥିଲା ଭଗବାନ ବରାହ ଓ ଦେବୀ ପୃଥ୍ୱୀଙ୍କର ସନ୍ତାନ। କିନ୍ତୁ ଜଗତ୍‌ପିତା ଓ ଜଗତ୍‌ମାତାଙ୍କର ସନ୍ତାନ ହୋଇଥିଲେ ମଧ୍ୟ, ସେ ଅସୁରଗୁଣସଂପନ୍ନ ହୋଇ ନିଜର ନାମ ଅନୁରୂପ ଆଚରଣ କରିଥିଲା। କିନ୍ତୁ ଆମ ପୁରାଣରେ ଅନ୍ୟ ଏକ ନରକର ଉଲ୍ଲେଖ ଅଛି।ଏ ନରକ କିନ୍ତୁ କୌଣସି ଦେବତା ଓ ଦେବୀଙ୍କର ପୁତ୍ର ନୁହେଁ। ଏହାର ବଂଶ ପରିଚୟ ବଡ଼ ବିଚିତ୍ର।

ଆମ ଶାସ୍ତ୍ର, ପୁରାଣରେ ଚାରିଟି ଯୁଗର ବର୍ଣ୍ଣନା ଅଛି। ସେହି ଚାରିଯୁଗ ହେଉଛି- ସତ୍ୟ, ତ୍ରେତୟା, ଦ୍ୱାପର ଓ କଳି। କଳି ହେଉଛନ୍ତି ଏହି ଯୁଗର ପ୍ରବର୍ତ୍ତକ ଦେବତା। ‘ଭବିଷ୍ୟ ପୁରାଣ’ ଅନୁସାରେ, କଳିଙ୍କର ପିତା- କ୍ରୋଧ ଓ ମାତା- ହିଂସା। ତାଙ୍କର ଭଗିନୀ- ଦୁରୁକ୍ତି ଏବଂ ପୁତ୍ର- ଭୟ ଓ କନ୍ୟା- ମୃତ୍ୟୁ।
‘କଳ୍‌କୀ ପୁରାଣ’ ଅନୁସାରେ- ଦ୍ୱାପର ଯୁଗର ଶେଷରେ, ବ୍ରହ୍ମା ନିଜର ପିଠିରୁ ଅଧର୍ମଙ୍କୁ ସୃଷ୍ଟି କରିଥିଲେ। ଅଧର୍ମଙ୍କର ପତ୍ନୀ- ମିଥ୍ୟା। ଅଧର୍ମ ଓ ମିଥ୍ୟା ପରସ୍ପରକୁ ବିବାହ କଲେ ଏବଂ ତାଙ୍କଠାରୁ ଏକ କୋପନ ପୁତ୍ର ଜାତ ହେଲା। ତାହାର ନାମ- ଦମ୍ଭ। ତାହାର ଭଉଣୀ- ମାୟା। ଦମ୍ଭ ନିଜର ଭଉଣୀ ମାୟାକୁ ବିବାହ କଲା। ତାଙ୍କର ପୁତ୍ର- ଲୋଭ ଓ କନ୍ୟା- ନିବୃତି। ଲୋଭ ଓ ନିବୃତି ଭାଇ-ଭଉଣୀ ହେଲେ ମଧ୍ୟ ପରସ୍ପରକୁ ବିବାହ କଲେ। ତାଙ୍କର ପୁତ୍ର- କ୍ରୋଧ ଓ କନ୍ୟା- ହିଂସା। କ୍ରୋଧ ଓ ହିଂସା ମଧ୍ୟ ପରସ୍ପରକୁ ବିବାହ କଲେ। ତାଙ୍କର ପୁତ୍ର- କଳି ଓ କନ୍ୟା- ଦୁରୁକ୍ତି। ଭାଇ-ଭଉଣୀ କଳି ଓ ଦୁରୁକ୍ତି ମଧ୍ୟ ପରସ୍ପରକୁ ବିବାହ କଲେ। ଭୟ ଓ ମୃତ୍ୟୁ ତାଙ୍କର ପୁତ୍ର ଓ କନ୍ୟା। ସେ ଦୁହେଁ ମଧ୍ୟ ପରସ୍ପରକୁ ବିବାହ କରିଥିଲେ। ନିରୟ ଓ ଯାତନା ତାଙ୍କର ପୁତ୍ର ଓ କନ୍ୟା। ‘ନିରୟ’ର ଅର୍ଥ ‘ନରକ’। ସେ ମଧ୍ୟ ନିଜର ଭଉଣୀ ଯାତନାକୁ ବିବାହ କଲା ଏବଂ ତାଙ୍କର ବହୁ ପୁତ୍ର-କନ୍ୟା ଜାତ ହେଲେ।

ଏଣୁ ଏହା ସୂଚାଏ- ଯେ କଳିଯୁଗରେ କଳିର ଏ ପରିବାରଟି ବିରାଟ। ମାନବୀୟ ଦୁର୍ଗୁଣମାନ ହିଁ ସେହି ପରିବାରର ଦାୟାଦ। ନରକ ଓ ଯାତନା କଳିର ନାତି ଓ ନାତୁଣୀ। ଏହି କଳିଯୁଗରେ ଏବେ ତାଙ୍କର ବିରାଟ ପରିବାର ବିସ୍ତାର ଲାଭ କରିଛି।

ସମ୍ବନ୍ଧିତ ଖବର