ଆୟୁର୍ବେଦୀୟ ବୃକ୍ଷ ଚିକିତ୍ସକ ବିନୁ

କେରଳ ଅନ୍ତର୍ଗତ ମାଲୟିନଚିପ୍ପରାରେ ଥିବା ‘ସେନ୍‌ଟ ଜୋସେଫ୍‌ସ ସ୍କୁଲ୍‌’ ପରିସରରେ ଏକ ପୂର୍ଣ୍ଣ ବିକଶିତ ଆମ୍ବ ଗଛ ହଠାତ୍‌ ରୋଗାକ୍ରାନ୍ତ ହେବା, ସମସ୍ତଙ୍କୁ ବିସ୍ମିତ କରିଥିଲା। ତାହା ପରେ ଡକାଯାଇଥିଲା କେ ବିନୁଙ୍କୁ। ସେ ବୃତ୍ତିରେ ଶିକ୍ଷକ ଏବ˚ ରୁଚିରେ ବୃକ୍ଷ ଚିକିତ୍ସକ। ବିନୁ ରୋଗାକ୍ରାନ୍ତ ଗଛର ଚିକିତ୍ସା ଦାୟିତ୍ବ ଗ୍ରହଣ କରିବା ସହ ଅଳ୍ପ କିଛି ଦିନ ଭିତରେ ସବୁ ଠିକ୍‌ କରିଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ସେ ଓ ତାଙ୍କର ସାଥୀମାନେ ଗଛର ମୃତ ଛେଲି ସଫା କରିବା ସହ କୌଣସି ଆୟୁର୍ବେଦୀୟ ଔଷଧ ବୋଳି, କନା ପଟି ବାନ୍ଧି‌େଦଇଛନ୍ତି। ଉପଚାର କିଛି ଦିନ ଚାଲିଲେ, ଗଛ ପୂର୍ବାବସ୍ଥା ଫେରିପାଇବ ବୋଲି ସେ ନିଶ୍ଚିତ।

The News Minute

ଏକାବନ ବର୍ଷ ବୟସ୍କ ବିନୁ ବୃକ୍ଷ ଆୟୁର୍ବେଦ ବିଶେଷଜ୍ଞ। ପ୍ରାଚୀନ ଶାସ୍ତ୍ରାଦି ଅଧ୍ୟୟନ କରି, ସେ ଏ ବାବଦରେ ଜ୍ଞାନ ଆହରଣ କରିଥିବା କହନ୍ତି। ଗତ ଛଅ ବର୍ଷ ହେଲା ସେ ବିଭିନ୍ନ ସ୍ଥାନ ବୁଲି ବୃକ୍ଷ ଚିକିତ୍ସା କରୁଛନ୍ତି। ଶହେ ବର୍ଷରୁ ଅଧିକ ବୟସ୍କ ତେଇଶଟି ମୃତପ୍ରାୟ ବୃକ୍ଷକୁ ସେ ନବଜୀବନ ଦେଇଥିବା ପ୍ରକାଶ। ବୃକ୍ଷ ଆୟୁର୍ବେଦର ପ୍ରସାର ପାଇଁ ସେ କେତେ ଖଣ୍ତ ବହି ଲେଖିଛନ୍ତି। ତାଙ୍କ ଚିକିତ୍ସା ପଦ୍ଧତି ବେଶ୍‌ ସରଳ। ବ୍ୟବହୃତ ଚିକିତ୍ସା ସାମଗ୍ରୀ ମଧ୍ୟ ସୁଲଭ; ଯଥା- ଉଇ ହୁଙ୍କା ଓ ଧାନ ବିଲର ମାଟି, ଗୋବର, ଦୁଗ୍‌ଧ, ଗୋ-ଘୃତ, ମଧୁ, କଦଳୀ, ସୂତା କପଡ଼ା। କେଉଁ ସାମଗ୍ରୀ କେତେ ମାତ୍ରାରେ ମିଶ୍ରଣ କରାଯିବ ଏବଂ ଚିକିତ୍ସା କେତେ ଦିନ ଚାଲିବ, ଅବସ୍ଥା ଦେଖି ସେ ନିର୍ଣ୍ଣୟ କରନ୍ତି। ତାଙ୍କ କ୍ଷେତ୍ରରେ ବୃକ୍ଷ ଚିକିତ୍ସା ଏକ ସେବା। ଏଥି ପାଇଁ ସେ କୌଣସି ଅର୍ଥ ଦାବି କରନ୍ତିନାହିଁ।

ସମ୍ବନ୍ଧିତ ଖବର