The year: ହରଷେ ବିଷାଦ

Advertisment

୨୦୨୫ ମସିହାରେ ରାଜଧାନୀ ବର୍ଷତମାମ ଚର୍ଚ୍ଚାରେ ରହିଛି। କେତେବେଳେ ନନ୍ଦନକାନନକୁ ନେଇ ତ କେତେବେଳେ  ପ୍ରବାସୀ ଭାରତୀୟଙ୍କ ମହାମିଳନକୁ ନେଇ ଅଶାର କିରଣ ଦେଖାଯାଇଛି। ଖଣ୍ଡଗିରି- ଉଦୟଗିରି...

୨୦୨୫ ମସିହାରେ ରାଜଧାନୀ ବର୍ଷତମାମ ଚର୍ଚ୍ଚାରେ ରହିଛି। କେତେବେଳେ ନନ୍ଦନକାନନକୁ ନେଇ ତ କେତେବେଳେ  ପ୍ରବାସୀ ଭାରତୀୟଙ୍କ ମହାମିଳନକୁ ନେଇ ଅଶାର କିରଣ ଦେଖାଯାଇଛି। ଖଣ୍ଡଗିରି- ଉଦୟଗିରି...

Untitled-2

୨୦୨୫ ମସିହାରେ ରାଜଧାନୀ ବର୍ଷତମାମ ଚର୍ଚ୍ଚାରେ ରହିଛି। କେତେବେଳେ ନନ୍ଦନକାନନକୁ ନେଇ ତ କେତେବେଳେ  ପ୍ରବାସୀ ଭାରତୀୟଙ୍କ ମହାମିଳନକୁ ନେଇ ଅଶାର କିରଣ ଦେଖାଯାଇଛି। ଖଣ୍ଡଗିରି- ଉଦୟଗିରି ସହ ଚଉଷଠୀ ଯୋଗିନୀ ପୀଠର ବିକାଶ ପାଇଁ ସରକାରଙ୍କ ଆର୍ଥିକ ଅନୁଦାନ ଘୋଷଣା  ନୂଆ ଆଶା ସୃଷ୍ଟି କରିଛି। ପୁଣି ରାଜ୍ୟ ସଂଗ୍ରହାଳୟରେ ନୂଆ ଗ୍ୟାଲେରି, ଆଞ୍ଚଳିକ ବିଜ୍ଞାନ କେନ୍ଦ୍ରରେ ମିନି ଜୁରାସିକ୍ ପାର୍କ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଛି। ଏମ୍‌ସରେ ଉପଲବ୍ଧ ବିଶ୍ବସ୍ତରୀୟ ଚିକିତ୍ସା ସେବା ସହରବାସୀଙ୍କୁ ଆଶ୍ବସ୍ତି କରିଛି। ତେବେ ସବୁ ସମ୍ଭାବନା ଭିତରେ ବାୟୂ ପ୍ରଦୂଷଣ ସହରବାସୀଙ୍କୁ କଲବଲ କରିଛି। କ୍ୟାପିଟାଲ ହସ୍ପିଟାଲରେ ବିଭିନ୍ନ ସମୟରେ ରୋଗୀସେବା ବାଧାପ୍ରାପ୍ତ ହେବା ‌ସହରବାସୀଙ୍କୁ ବିବ୍ରତ କରିଛି। ସହରରେ ମେଟ୍ରୋ ଟ୍ରେନ୍‌ ଗଡ଼ିବାର ଆଶା ବି ମଉଳିଯାଇଛି। ସମ୍ଭାବନା ଓ ନିରାଶା ମଧ୍ୟରେ କଟିଥିବା ବର୍ଷ ୨୦୨୫କୁ ନେଇ  ସ୍ବତନ୍ତ୍ର ଉପସ୍ଥାପନା।

Foreigners took away 1.6 lakh crores: ବିଦେଶୀ ନେଇଗଲେ ୧.୬ ଲକ୍ଷ କୋଟି: ୨୦୨୨ ପରେ ୨୦୨୫ ସବୁଠୁ ଖରାପ ବର୍ଷ

କନ୍ଦେଇଲା ପ୍ରଦୂଷଣ 

ବାୟୁ ପ୍ରଦୂଷଣରେ ବର୍ଷର ଅଧା ସମୟ ଘାଣ୍ଟି ହୋଇଥିଲେ ରାଜଧାନୀବାସୀ। ଏମିତିରେ ଦୀପାବଳିରେ ଅତ୍ୟଧିକ ବାଣ ଫୁଟାଯିବା ଦ୍ବାରା ବାୟୁମଣ୍ଡଳ ଖରାପ ହୋଇଥିଲା, ଯାହାକି ସୁଧୁରିବାକୁ ତିନିଦିନ ଲାଗିଯାଇଥିଲା। ତା’ପରେ ମଧ୍ୟ ବାୟୁ ପ୍ରଦୂଷଣରୁ ନିସ୍ତାର ପାଇ ନଥିଲେ ସହରବାସୀ। ନଭେମ୍ବର ଓ ଡିସେମ୍ବର ମାସରେ ବାୟୁମଣ୍ଡଳ ଏକପ୍ରକାର ଧୂଆଁ ଧୂଆଁ ହୋଇଯାଇଥିଲା। ଘନ କୁହୁଡ଼ି ପରି ଧୂଳିକଣା ସହରର ଅଧା ଅଞ୍ଚଳକୁ ଗ୍ରାସ କରିବାରୁ ଲୋକେ ତ୍ରାହି ତ୍ରାହି ଡାକୁଛନ୍ତି। ଏବେ ମଧ୍ୟ ନିସ୍ତାର ମିଳିନି। ଏହାରି ଭିତରେ ପ୍ରଦୂଷଣ ରୋକିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଯାନବାହାନର ବାୟୁ ପ୍ରଦୂଷଣ ସାର୍ଟିଫିକେଟ୍‌ ବାଧ୍ୟତାମୂଳକ କରାଯିବା ଘଟଣାକୁ ନେଇ ସହରବାସୀ ହିନସ୍ତା ହେଉଛନ୍ତି। ଗାଡ଼ି ଯାଞ୍ଚ କରିବାକୁ ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ଛିଡ଼ା ହୋଇ ସାର୍ଟିଫିକେଟ୍‌ ଯାଞ୍ଚ କରିବା ବେଶ୍‌ ଯନ୍ତ୍ରଣାଦାୟକ ରହିଛି।

ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବର ତୃତୀୟ ଦିବସ: ‘ରାଧାରାଣୀ ସଙ୍ଗେ ନାଚେ ମୂରଲୀପାଣି’

ଭାଗ ହେଲା ଝାରପଡ଼ା ଦୁର୍ଗାପୂଜା

୧୪ ବର୍ଷ ଧରି ରାଜଧାନୀର ପ୍ରମୁଖ ଆକର୍ଷଣ ପାଲଟୁଥିବା ଝାରପଡ଼ା ଦୁର୍ଗାପୂଜା ସମିତି ଚଳିତ ବର୍ଷ ଦୁଇ ଭାଗ ହୋଇଥିଲା। ପୂଜା କମିଟି ସଦସ୍ୟଙ୍କ ମଧ୍ୟରେ ବିବାଦ ଅଞ୍ଚଳର ଦୁର୍ଗାପୂଜାକୁ ନେଇ ସଂଶୟ ସୃଷ୍ଟି କରିଥିଲା। ପରିସ୍ଥିତି ଏପରି ହୋଇଥିଲା ଯେ ଲକ୍ଷ୍ମୀସାଗର ଥାନା ଅଧିକାରୀ ବିଏନ୍‌ଏସ୍‌୧୬୩ ଧାରା ଲଗାଇ ପୂଜା ସମିତି ସ୍ଥଳକୁ ନିଷିଦ୍ଧାଞ୍ଚଳ ଘୋଷଣା କରିଥିଲେ। ଏହା ‌ବିରୋଧରେ ଝାରପଡ଼ା ଦୁର୍ଗାପୂଜା ସମିତି ଉଚ୍ଚନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ। ଉଚ୍ଚନ୍ୟାୟାଳୟ ଅତିରିକ୍ତ ଡିସିପି ଭୁବନେଶ୍ୱରଙ୍କୁ ସମାଧାନ ସହିତ ଫାଇନାଲ ଅର୍ଡର ନିମିତ୍ତ ନିର୍ଦ୍ଦେଶ ଦେଇଥିଲେ। ଏନେଇ ଅତିରିକ୍ତ ଡିସିପି ଅଗଷ୍ଟ ୨୭ ତାରିଖରେ ଉଭୟ ପକ୍ଷ ଓ ଲକ୍ଷ୍ମୀସାଗର ଥାନା ଭାରପ୍ରାପ୍ତ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଅତିରିକ୍ତ ଡିସିପି ସମସ୍ତ ତଥ୍ୟକୁ ତର୍ଜମା କରି ଝାରପଡ଼ା ଦୁର୍ଗାପୂଜା ସମିତି ଓ ଝାରପଡ଼ା ୱେଲଫେୟାର୍‌ ଆସୋସିଏସନ୍‌ ନିର୍ଦ୍ଧାରିତ ସ୍ଥାନ ପରିବର୍ତ୍ତେ ଭିନ୍ନ ସ୍ଥାନରେ ପୂଜା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଶେଷରେ ଦୁର୍ଗାପୂଜା ହେବ କି ନାହିଁ, କେଉଁଠି କରିବ ସେ ନେଇ ଲାଗି ରହିଥିବା ଦ୍ବନ୍ଦ୍ବରେ ବିରାମ ଲାଗି ଦୁର୍ଗାପୂଜାର ଠିକଣା ବଦଳିଥିଲା। ଜେଲ  ଛକ ପରିବର୍ତ୍ତେ ଗୋଟେ ଗୋଷ୍ଠୀ ମେଳଣ ପଡ଼ିଆରେ ଦୁର୍ଗାପୂଜା କରିଥିବା ବେଳେ ଅନ୍ୟ ଏକ ଗୋଷ୍ଠୀ ଝାରପଡ଼ା ବିବେକାନନ୍ଦ ସ୍କୁଲ ନିକଟରେ ପୂଜା କରିଥିଲେ।

ଜୟଦେବ ବାଟିକାରେ ଯୋଡ଼ିହେଲା ଆଉ ୨ ପାର୍କ 

କବି ଜୟଦେବଙ୍କ ନାମରେ ନାମିତ ଜୟଦେବ ବାଟିକା, ବନ ଉନ୍ନୟନ ନିଗମ(ଓଏଫ୍‌ଡିସି) ଦ୍ବାରା ୧୨୦ ଏକର ପରିମିତ ଅଞ୍ଚଳରେ ପ୍ରସ୍ତୁତ କରାଯାଇଛି। ବାଟିକା ଭିତରେ ପୂର୍ବରୁ ୨ଟି କୃତ୍ରିମ ଝରଣା, କଳାମଞ୍ଚ, ଘାସ ଗାଲିଚା ଆଚ୍ଛାଦିତ ଯମୁନା ନଈ ଥିବା ବେଳେ ଏଥିରେ ଏବେ ଯୋଡ଼ି ହୋଇଛି ଜାପାନିଜ ଉଦ୍ୟାନ, ପ୍ରଜାପତି ଉଦ୍ୟାନ। ବାଟିକା ଭିତରେ ଏବେ ପ୍ରଜାପତିଙ୍କ ଗହଳ ଚହଳ। ପ୍ରଜାପତି ଆକୃତିରେ ତିଆରି ପ୍ରଜାପତି ଉଦ୍ୟାନରେ ଲାଗିଛି ଭଳିକି ଭଳି ଫୁଲ ଗଛ। ଏହି ଆକୃତିକୁ ଦେଖିବା ପାଇଁ ଏକ କାଠର ଭିୟୁ ପଏଣ୍ଟ ତିଆରି ହୋଇଛି। ଏହି ଉଦ୍ୟାନର ଗୋଟିଏ ପଟେ ପ୍ରଜାପତିର ଆଶ୍ଚର୍ଯ୍ୟଜନକ ତଥ୍ୟ ସମ୍ପର୍କରେ ଉଲ୍ଲେଖ ‌ହୋଇଥିବା ବେଳେ ଅନ୍ୟ ପଟେ ପ୍ରଜାପତିର ଡେଣାଥିବା ଏକ ଲୁହା ସୋ’କେସ୍‌ ତିଆରି ହୋଇଛି। ସେହିପରି ବାଟିକାରେ ୩ ଏକର ଜାଗାରେ  ମନଲୋଭା ଜାପାନିଜ୍‌ ଗାର୍ଡେନ୍‌ ଏବେ ପ୍ରମୁଖ ଆକର୍ଷଣ ସାଜିଛି। ପଥର, ଝରଣା, ପାଣି, ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଅଧିକ ଗୁରୁତ୍ବ ଦେଉଥିବା ଜାପାନର ବଗିଚା ପରି ଏଠାରେ ମଧ୍ୟ ନିର୍ମାଣ ହୋଇଛି ସେହିଭଳି ଏକ ଉଦ୍ୟା‌ନ। ଯାହା ଜାପାନ୍‌ର ଏକ ଉଦ୍ୟାନର ଭ୍ରମ ତିଆରି କରୁଛି। ଭିତରେ ଲମ୍ବା ଲନ୍ ସହିତ ୨ଟି ପୋଖରୀ ଓ ଏହାକୁ ଯୋଡ଼ିବାକୁ ୨ ବ୍ରିଜ୍‌ର ନିର୍ମାଣ ହୋଇଛି। ପୋଖରୀ ଭିତରେ ପାଣି ଫୁଆରା ସହିତ ଡଙ୍ଗା ଥୁଆ ହୋଇଛି। ବିଭିନ୍ନ ପ୍ରକାର ବାଉଁଶ ସହ ଲତା ଜାତୀୟ ଗଛ ପାର୍କକୁ ଅତ୍ୟନ୍ତ ଆକର୍ଷଣୀୟ କରୁଛି।

ରେଳ ଷ୍ଟେସନର ନବକଳେବର

ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ଭୁବନେଶ୍ୱର ରେଳଷ୍ଟେସନର ପୁନର୍ବିକାଶ କାର୍ଯ୍ୟ ଚାଲୁରହିଛି। ଏହାର ଏକ ଅଂଶ ଭାବେ ଯାତ୍ରୀ ସଂରକ୍ଷଣ ପ୍ରଣାଳୀ(ପିଆର୍‌ଏସ୍‌) ଏବଂ ଅଣସଂରକ୍ଷିତ ଟିକେଟିଂ ପ୍ରଣାଳୀ(ୟୁଟିଏସ୍‌) କାଉଣ୍ଟରଗୁଡ଼ିକୁ ନବନିର୍ମିତ କନକୋର୍ସକୁ ସ୍ଥାନାନ୍ତରିତ ହୋଇଥିଲା। ଯାତ୍ରୀଙ୍କ ଗତିବିଧିକୁ ଆହୁରି ସହଜ କରିବାକୁ ଟାଉନ୍ ବସ୍‌ଷ୍ଟାଣ୍ଡ/ ମନ୍ଦିର ପାର୍ଶ୍ୱରୁ ଏକ ନୂତନ ଆପ୍ରୋଚ୍ ରୋଡ୍ ଖୋଲିଛି, ଯାହାକି ଷ୍ଟେସନକୁ ଉନ୍ନତ ସଂଯୋଗ ଏବଂ ଅସୁବିଧାମୁକ୍ତ ପ୍ରବେଶକୁ ସକ୍ଷମ କରିଛି। ଷ୍ଟେସନ ନିକଟରେ ପାର୍କିଂ ଫି ଅହେତୁକ ବୃଦ୍ଧିକୁ ନେଇ ଯାତ୍ରୀ ଅସନ୍ତୋଷ ଦେଖାଦେଇଥିଲା। ଭୁ‌ବନେଶ୍ବର ନ୍ୟୁ ରେଳଷ୍ଟେସନରୁ ତିନିଟି ନୂତନ ଏକ୍ସପ୍ରେସ୍‌ ଚଳାଚଳ ସହରର ଗମନାଗମନ କ୍ଷେତ୍ରରେ ଆଉ ଏକ ସଫଳତା ଫର୍ଦ୍ଦ ଯୋଡ଼ିଛି।

ଖୋଲିଲା ୯ ଗ୍ୟାଲେରି

ଚଳିତ ବର୍ଷ ଜାନୁଆରି ୭ ତାରିଖରେ ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ନଅଟି ନୂତନ ଗ୍ୟାଲେରିକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍‌ଘାଟନ କରିଥିଲେ। କାର୍ଯ୍ୟକ୍ରମରେ ପ୍ରାଗ୍‌ଐତିହାସିକ ଗ୍ୟାଲେରି, ରାଜକୀୟ ଓ ହାତୀଦାନ୍ତ ଗ୍ୟାଲେରି, ପ୍ରାଣୀ ବିଜ୍ଞାନ ଗ୍ୟାଲେରି, ଖଣି ଓ ଭୂତତ୍ତ୍ୱ ଗ୍ୟାଲେରି, କଣ୍ଢେଇ ଗ୍ୟାଲେରି, ମୁଖା ଗ୍ୟାଲେରି, ଜନଜାତି ଗ୍ୟାଲେରି, ହସ୍ତତନ୍ତ ଗ୍ୟାଲେରି ଓ ପରିଚୟ କକ୍ଷକୁ ଉଦ୍‌ଘାଟନ କରିବା ସହିତ ସେ  ନବ-ନିର୍ମିତ ତାଳଚିତ୍ରରେ ରାମାୟଣ ପ୍ରଦର୍ଶନୀ କକ୍ଷ ଓ ଭୂତଳ କଳା ସାମଗ୍ରୀ ପ୍ରଦର୍ଶନୀକୁ ମଧ୍ୟ ବୁଲି ଦେଖିଥିଲେ। 

ଏକାଠି ହେଲେ ପ୍ରବାସୀ 

ବର୍ଷ ଆରମ୍ଭରୁ ରାଜଧାନୀରେ ପ୍ରବାସୀ ଭାରତୀୟଙ୍କ ମହାମିଳନ ହୋଇଥିଲା। ଭାରତ ସରକାରଙ୍କ ଏକ ପ୍ରମୁଖ କାର୍ଯ୍ୟକ୍ରମ ଭାବେ ଓଡ଼ିଶା ସରକାରଙ୍କ ସହାୟତାରେ ଜାନୁଆରି ୮ରୁ ୧୦ ମଧ୍ୟରେ ଏହି ସମ୍ମିଳନୀ ହୋଇଥିଲା। ୫୦ରୁ ଅଧିକ ଦେଶରେ ରହୁଥିବା ପ୍ରବାସୀ ଭାରତୀୟମାନେ ଅଂଶଗ୍ରହଣ କରି ବିଭିନ୍ନ ବିଷୟ ଉପରେ ଆଲୋଚନା କରିଥିଲେ। ରାଜଧାନୀ ସଜେଇ ହେବା ସହ ପ୍ରବାସୀମାନଙ୍କୁ ଓଡ଼ିଆ ଖାଦ୍ୟ ପରଷା ଯାଇଥିଲା। ଏକାଧିକ କେନ୍ଦ୍ର ମନ୍ତ୍ରୀଙ୍କ ସମେତ ଅଧିକାରୀମାନେ ସାମିଲ ହୋଇ ଓଡ଼ିଶାର କଳା, ସଂସ୍କୃତି, ଐତିହ୍ୟ ସମ୍ପର୍କରେ ଜାଣିବାକୁ ପାଇଥିଲେ। ଉଦ୍‌ଯାପନୀ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଯୋଗଦାନ ଉତ୍ସବକୁ ଅଧିକ ଆକର୍ଷଣ କରିଥିଲା। ସେହିପରି ଭୁବନେଶ୍ବରରେ ଇଣ୍ଡିଆନ୍‌ ରୋଡ୍‌ କଂଗ୍ରେସ(ଆଇଆର୍‌ସି)ରେ ଦେଶର ବିଭିନ୍ନ ପ୍ରାନ୍ତରୁ ହଜାରରୁ ଅଧିକ ଇଞ୍ଜିନିୟର, ବିଶେଷଜ୍ଞମାନେ ସାମିଲ ହୋଇ ରାସ୍ତା ନିର୍ମାଣରେ ଅତ୍ୟାଧୁନିକ ଜ୍ଞାନକୌଶଳର ବିକାଶ ସମ୍ପର୍କରେ ମାନସମନ୍ଥନ କରିଥିଲେ।

Untitled-4

ନନ୍ଦନକାନନରେ ନୂଆ ଅତିଥି 

 ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଏ ବର୍ଷ ଯୋଡ଼ି ହୋଇଯାଇଥିଲେ ଅନେକ ନୂଆ ଅତିଥି। କେତେକ ବିଦାୟ ବି ନେଇଥିଲେ। ଦୁଇ ସିଂହ ଶାବକ, ଦୁଇ ଜିରାଫଙ୍କ ନାମକରଣରୁ ଆରମ୍ଭ ହୋଇଥିବା ବର୍ଷ ୨୦୨୫ରେ ଗୋଟିଏ ପରେ ଗୋଟିଏ ଜୀବଜନ୍ତୁ ଯୋଡ଼ି ହୋଇଥିଲେ। ଜାନୁଆରିରେ ୩ଟି ସିଂହ ଶାବକଙ୍କ ଜନ୍ମ ବେଶ୍‌ ଉତ୍ସାହ ଖେଳାଇ ଦେଇଥିଲା। ପ୍ରାଣୀ ଉଦ୍ୟାନର ୬୦(କ) ଖୁଆଡ଼ରେ ରହୁଥିବା ସିମ୍ପାଞ୍ଜି ପରିବାରରେ ଏକ ଅଣ୍ଡିରା ଶାବକ ଜନ୍ମ ନେଇଥିଲା। କେବଳ ସେତିକିରେ ଅଟକି ନ ଥିଲା ଖୁସି। ‘ବାଘୁଣୀ’ ଅଙ୍କିତା ଔରସରୁ ଛୁଆ ଜନ୍ମ ନେବା, ୧୦ ବର୍ଷ ପରେ ଘଡ଼ିଆଳ ଅଣ୍ଡା ଫୁଟି ୧୪ ଶାବକ ଜନ୍ମ ଓ ୩୦ରୁ ଅଧିକ ଅଣ୍ଡା ଠାବ, ସରୀସୃପ ଉଦ୍ୟାନରେ ପ୍ରଥମକରି ୫ଟି ନୀଳ ଇଗୁଆନା, ୧୧ଟି ହଳଦିଆ ଆନାକୋଣ୍ଡା ଜନ୍ମ, ୪୨ ନମ୍ବର ଖୁଆଡ଼ରେ ଏକ ଭାରତୀୟ ଗୟଳ ଶାବକ ଜନ୍ମଲାଭ କରିଥିଲା। ବର୍ଷ ଶେଷ ଆଡ଼କୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ଗୁଜରାଟର ସୁରଟସ୍ଥିତ ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀ ପ୍ରାଣୀ ଉଦ୍ୟାନ ମଧ୍ୟରେ ପ୍ରାଣୀ ବିନିମୟ ହୋଇଛି। ଏହି ବିନିମୟର ଏକ ଅଂଶ ଭାବେ ନନ୍ଦନକାନନକୁ ୫ଟି ଓଧ, ୨ଟି ଇଣ୍ଡିଆନ୍ ଗ୍ରେ ଗଧିଆ, ୧୦ଟି ଇଣ୍ଡିଆନ୍ ଷ୍ଟାର କଇଁଛ ଆସିଛି। ନୂଅ ଅତିଥି ଆଗମନ ହୋଇଥିଲେ ମଧ୍ୟ ଦୁଃଖ କିଛି କମ୍‌ ନଥିଲା। ଏକ ଧଳା ବାଘ ଶାବକର ମୃତ୍ୟୁ, ବର୍ଣ୍ଣଶଙ୍କର(ହାଇବ୍ରିଡ଼) ପ୍ରଜାତିର ସିଂହ ‘ଆକାଶ’ର ମୁତ୍ୟୁ, ୮ ବର୍ଷ ବୟସ୍କା ସିଂହୀ ‘ରେବା’ ଆଖି ବୁଜିଥିଲା। ଏହାରି ଭିତରେ ନନ୍ଦନକାନନର ନବକଳେବର କରିବାକୁ ରାଜ୍ୟ ସରକାର ଏକାଧିକ ଯୋଜନା ମଧ୍ୟ କରିଥିଲେ।

Untitled-3

ଚର୍ଚ୍ଚାରେ ‘ଶମ୍ଭୁ’, ‘ରାମୁ’ 

ଚନ୍ଦକା-ଡମପଡ଼ା ହାତୀ ଅଭୟାରଣ୍ୟରେ ଦୁଇ ହାତୀଙ୍କୁ ନେଇ ବର୍ଷ ତମାମ ଚର୍ଚ୍ଚା ଲାଗିରହିଥିଲା। ୨୦୨୪ ଶେଷ ଆଡ଼କୁ ବିଦ୍ୟୁତ୍‌ ଆଘାତରେ ମୃତ୍ୟୁବରଣ କରିଥିବା ଦନ୍ତାହାତୀ ‘ରାମୁ’ କିଭଳି ମରିଥିଲା ତାହା ଜାଣିବାକୁ ବନ ବିଭାଗ ବର୍ଷତମାମ କସରତ କରିଥିଲା। ମାତ୍ର ସେଭଳି କିଛି ସଫଳତା ମିଳି ନଥିଲା। ବରଂ ଉପକଣ୍ଠବାସୀଙ୍କ ପ୍ରସ୍ତାବକୁ ସମ୍ମାନ ଜଣାଇ ‘ରାମୁ’ର କଙ୍କାଳଗୁଡ଼ିକୁ ଏକାଠି କରି ପ୍ରଦର୍ଶନ କରିବା ଦିଗରେ ପଦକ୍ଷେପ ନିଆଯାଇଛି।  କୁମାରଖୁଣ୍ଟିରେ ଥିବା ହାତୀ ପ୍ରଶିକ୍ଷଣ ଶିବିରଙ୍କୁ ରାଜ୍ୟର କୋଣ ଅନୁକୋଣରୁ ଏକାଧିକ ହାତୀଙ୍କୁ ଉଦ୍ଧାର କରାଯାଇ ଅଣାଯାଉଛି ଏବଂ ଚିକିତ୍ସା ସହ ସେମାନଙ୍କୁ କୁମ୍‌କୀ ପ୍ରଶିକ୍ଷଣ ଦିଆଯାଉଛି। ମାତ୍ର ବର୍ଷ ଶେଷ ଆଡ଼କୁ କେନ୍ଦୁଝରରୁ ଉଦ୍ଧାର ହୋଇ ଏଠାକୁ ଆସିଥିବା ହାତୀ ‘ଶମ୍ଭୁ’ ଜୀବନ ଯୁଦ୍ଧରେ ହାରିଯିବାର ଖବର ନିରାଶ ଖେଳାଇ ଦେଇଥିଲା। ଭୁବନେଶ୍ବର ସହର ଭିତରକୁ ବାରମ୍ବାର ହାତୀଙ୍କ ପ୍ରବେଶ ଲାଗିରହିଛି।

କୋର୍ଟ‌ରେ ଖଣ୍ଡଗିରି-ଉଦୟଗିରି

ଭୁବନେଶ୍ବରରେ ଥିବା ସମସ୍ତ ଐତିହ୍ୟ ମଧ୍ୟରୁ ଖଣ୍ଡଗିରି- ଉଦୟଗିରି ଚଳିତ ବର୍ଷ ସର୍ବାଧିକ ଚର୍ଚ୍ଚାରେ ରହିଥିଲା। ପାହାଡ଼ ଓ ଗୁମ୍ଫାର ବିଭିନ୍ନ ସ୍ଥାନର ଜବରଦଖଲ ନେଇ ବର୍ଷ ତମାମ କୋର୍ଟରେ ମାମଲା ଚାଲିଥିଲା। ଖଣ୍ଡଗିରିରେ ଜବରଦଖଲ ହୋଇଥିବା ନେଇ ଖଣ୍ଡଗିରି ଉଦୟଗିରି ଦିଗମ୍ବର ଜୈନ ସିଦ୍ଧ କ୍ଷେତ୍ର ପକ୍ଷରୁ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ ହୋଇଥିଲା। ଏହାର ବିଚାର ବେଳେ‌ ହାଇକୋର୍ଟ ରାଜ୍ୟ ସରକାର, ଏଏସ୍‌ଆଇ, ଜିଲ୍ଲା ପ୍ରଶାସନଙ୍କୁ ନୋଟିସ୍‌ କରିବା ସହ ସତ୍ୟପାଠ ତଲବ କରିଥିଲେ। ଜିଲ୍ଲା ପ୍ରଶାସନ ଓ ଏଏସ୍‌ଆଇ ପକ୍ଷରୁ ଏଠାରେ ଜବରଦଖଲ ଥିବା ସତ୍ୟପାଠରେ ଦର୍ଶାଯାଇଥିଲା। ତେବେ ଜବରଦଖଲ ଉଚ୍ଛେଦ ପାଇଁ ପଦକ୍ଷେପ ଗ୍ରହଣ କରାଯାଉଥିବା ଏଏସ୍‌ଆଇ ଦର୍ଶାଇଛି। କେବଳ ସେତିକି ନୁହେଁ କୋର୍ଟ ବ୍ୟତୀତ ଯମଜ ପାହାଡ଼ର ଉନ୍ନତୀକରଣ, ମା’ ବାରଭୂଜା ମନ୍ଦିରକୁ ଅଣଦେଖା, ଲାଇଟ୍‌ଆଣ୍ଡ୍‌ ସାଉଣ୍ଡ ସୋ’ ଆରମ୍ଭ ନ ହେବା, ଶୌଚାଳୟ ସମସ୍ୟା ଭଳି ଏକାଧିକ ସମସ୍ୟା ଭିତରେ ଏସ୍‌ଏସ୍‌ଆଇ ବାରମ୍ବାର ଅପଦସ୍ଥ ହୋଇଥିଲା। ୨୦୨୩ ଡିସେମ୍ବରରୁ ପ୍ରସ୍ତୁତ ହୋଇ ରହିଥିବା ଲାଇଟ୍‌ ଆଣ୍ଡ୍‌ ସାଉଣ୍ଡ ସୋ’ ପ୍ରକଳ୍ପ କାର୍ଯ୍ୟକ୍ଷମ ହେଉ ନଥିବାରୁ ସାଧାରଣରେ ସବୁଠାରୁ ଅଧିକ ଅସନ୍ତୋଷ ପ୍ରକାଶ ପାଇଥିଲା।

ଘଟଣାବହୁଳ କ୍ୟାାପିଟାଲ ହସ୍‌ପିଟାଲ 

ଚଳିତ ବର୍ଷ ରାଜଧାନୀର ପ୍ରମୁଖ କ୍ୟାପିଟାଲ୍‌ ହସ୍ପିଟାଲ୍‌ ଘଟଣା ବହୁଳ ରହିଥିଲା। ପିଜି ପାଠ୍ୟକ୍ରମ ମଧ୍ୟ ତିନିଟି ନୂଆ ବିଭାଗରେ ପାଠ୍ୟକ୍ରମ ଆରମ୍ଭ ହୋଇଛି । ପାଥୋଲୋଜି, ମାଇକ୍ରୋବାୟୋଲୋଜି ଓ ବାୟୋକେମିଷ୍ଟ୍ରି ବିଭାଗରେ ପାଠ୍ୟକ୍ରମ ଆରମ୍ଭ ହୋଇଛି। ଏହା ସହିତ କୋଭିଡ୍‌ ପରଠାରୁ ବନ୍ଦ ଥିବା ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜି ବିଭାଗରେ ଡାକ୍ତର ନିଯୁକ୍ତି ଦିଆଯାଇ ବିଭାଗକୁ ପୁଣି ଥରେ ଚାଲୁ କରାଯାଇଛି। ବିଭିନ୍ନ ପ୍ଲାଟଫର୍ମରେ ମଧ୍ୟ କ୍ୟାପିଟାଲ ହସ୍ପିଟାଲ ଉତ୍ତମ ସ୍ବାସ୍ଥ୍ୟସେବା ପାଇଁ ପୁରସ୍କୃତ ହୋଇଛି।   ସଫଳ ବର୍ଷ ମଧ୍ୟରେ କର୍ମଚାରୀ ଆନ୍ଦୋଳନ କ୍ୟାପିଟାଲ ହସ୍ପିଟାଲ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଥିଲା। ସଫେଇ କର୍ମଚାରୀଙ୍କ ଆନ୍ଦୋଳନ, ସୁରକ୍ଷାକର୍ମୀଙ୍କ ଆନ୍ଦୋଳନ, ନର୍ସିଂ ଅଫିସରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁଁ ରୋଗୀ ସେବା ବାଧାପ୍ରାପ୍ତ ହୋଇଥିଲା। ଶିଶୁ ମୃତ୍ୟୁକୁ ଅଭିଯୋଗ କରି ଅଟୋ ସଂଘ ଓ ହସ୍ପିଟାଲ କର୍ମଚାରୀ ସଂଘ ମଧ୍ୟରେ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଥିଲା। ଆକ୍ରମଣକାରୀଙ୍କୁ ଗିରଫ ଦାବିରେ ଆଉଟସୋର୍ସିଂ କର୍ମଚାରୀଙ୍କ ଆନ୍ଦୋଳନ ଫଳରେ ରୋଗୀସେବା ବାଧାପ୍ରାପ୍ତ ହୋଇଥିଲା। ଏହା ବାଦ ହସ୍ପିଟାଲ ପରିସରରେ କର୍ମଚାରୀଙ୍କ ଆତ୍ମହତ୍ୟା ମଧ୍ୟ କ୍ୟାପିଟାଲ ହସ୍ପିଟାଲକୁ ବିବାଦ ଘେରକୁ ଟାଣିଥିଲା।

ପାଣ୍ଡରା ଅତ୍ୟାଧୁନିକ ମାଛ ମାର୍କେଟ୍‌ର ଶିଳାନ୍ୟାସ 

ଗତ ଅକ୍ଟୋବର ମାସରେ ଆଭାସୀ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପାଣ୍ଡରାରେ ଏକ ବୃହତ୍ ମାଛ ମାର୍କେଟର ଶିଳାନ୍ୟାସ କରିଥିଲେ। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅତିଥି ଭାବେ ଯୋଗଦେଇ ୫୯ କୋଟି ୧୩ ଲକ୍ଷ ଟଙ୍କା ବିନିଯୋଗରେ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା ଅଧୀନରେ ଏହା ନିର୍ମିତ ହେବ ବୋଲି କହିଥିଲେ। ଏଥିରେ ୩୦ କୋଟି ଟଙ୍କା କେନ୍ଦ୍ର ସରକାର ଓ ୨୯ କୋଟି ୧୩ ଲକ୍ଷ ଟଙ୍କା ରାଜ୍ୟ ସରକାର ଖର୍ଚ୍ଚ କରିବେ । ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗ ଏବଂ ଭୁବନେଶ୍ୱର ମହାନଗର ନିଗମର ମିଳିତ ସହଯୋଗରେ କାର୍ଯ୍ୟକାରୀ ହେଉଥିବା ଏହି ମାର୍କେଟ ସିଧାସଳଖ ଭାବରେ ୧୪୩ ବ୍ୟବସାୟୀଙ୍କୁ ଉପକୃତ କରାଇବ ଓ ୨ହଜାରରୁ ଅଧିକ ଲୋକଙ୍କ ପାଇଁ ପରୋକ୍ଷ ରୋଜଗାର ମଧ୍ୟ ସୃଷ୍ଟି ହେବ ବୋଲି ଘୋଷଣା ହୋଇଥିଲା।

ଆଞ୍ଚଳିକ ବିଜ୍ଞାନ କେନ୍ଦ୍ରରେ ଶୁଭିଲା ଡାଇନୋସର୍‌ର ଗର୍ଜନ

ରାଜଧାନୀରେ ମିନି ଜୁରାସିକ୍ ପାର୍କର ମଜା। ଭଳିକି ଭଳି ଡାଇନୋସର୍‌ ସହିତ ବାଘ, ଗରିଲା ଓ ବଣମଣିଷର ନିଖୁଣ ପ୍ରତିକୃତି। ପାର୍କ ଭିତରକୁ ପଶି ଆସିଲେ ଡାଇନୋସର ଯୁଗକୁ ଗଲା ଭଳି ଭ୍ରମ ସୃଷ୍ଟି କରୁଥିବା ‘ପ୍ରାଗ୍‌ଐତିହାସିକ ସାମ୍ରାଜ୍ୟରେ ଡାଇନୋସର ଜୀବନ୍ତ’ ଶୀର୍ଷକ ପାର୍କକୁ ଗତ ମାର୍ଚ୍ଚରେ ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର ପରିସରରେ ଉଦ୍‌ଘାଟିତ ହୋଇଛି। ସେହିପରି ଏପ୍ରିଲ ମାସରେ ଭୂଖଣ୍ଡନ, ଗ୍ରହଗୁଡ଼ିକର ଗତିବିଧି, ମହାଦେଶ ତଥା ମହାସାଗରର ସୃଷ୍ଟି ଆଦି ଦର୍ଶାଉଥିବା ଘୂର୍ଣ୍ଣୟମାନ ଗୋଲକ ‘ନଲେଜ ସ୍ପିଅର’ ମଧ୍ୟ ଉଦ୍‌ଘାଟିତ ହୋଇଥିଲା। 

ଆଞ୍ଚଳିକ ପ୍ରାକୃତିକ ସଂଗ୍ରହାଳୟରେ ବର୍ଜ୍ୟବସ୍ତୁରୁ କଳାକୃତି 

ପରିବେଶ ସୁରକ୍ଷା ବର୍ତ୍ତମାନ ସମସ୍ତଙ୍କ ପାଇଁ ପ୍ରମୁଖ ଚିନ୍ତାର ବିଷୟ ପାଲଟିଛି। ତେଣୁ ବର୍ଜ୍ୟବସ୍ତୁର ସୁପରିଚାଳନା ହେଲେ ପରିବେଶ ସୁରକ୍ଷିତ ହୋଇ ରହିପାରିବାର ଉଦ୍ଦେଶ୍ୟ ନେଇ  ଜୁନ ୫ ତାରିଖରେ ଆଞ୍ଚଳିକ ପ୍ରାକୃତିକ ଐତିହ୍ୟ ସଂଗ୍ରହାଳୟରେ ଜୈବ ବିଘଟନଶୀଳ ସାମଗ୍ରୀରେ ପ୍ରସ୍ତୁତ କୁମ୍ଭୀର ‘କାଳିଆ’ ଲୋକାର୍ପିତ ହୋଇଥିଲା। ସେହିପରି ଉପକୂଳବର୍ତ୍ତୀ ଅଞ୍ଚଳ, ଏହାର ଜୈବବିବିଧତା, ଶଙ୍ଖ, ଶାମୁକା ଆଦିର ପ୍ରକାରଭେଦ, ଉତ୍ପତ୍ତି ଆଦି ବିଷୟରେ ସୂଚନା ଦେବା ପାଇଁ ମଧ୍ୟ ସଂଗ୍ରହାଳୟ ପକ୍ଷରୁ ବିଭିନ୍ନ ପ୍ରଦର୍ଶନୀ କରାଯାଇଛି।

ଚଉଷଠି ଯୋଗିନୀ, ଖଣ୍ଡଗିରି-ଉଦୟଗିରି ପାଇଁ ଆଶା ଦେଖାଇଲେ ସରକାର 

ବାଲିଅନ୍ତା ହୀରାପୁରସ୍ଥିତ ମହାମାୟା ମନ୍ଦିର ଚଉଷଠୀ ଯୋଗିନୀ ପୀଠ ଓ ଖଣ୍ଡଗିରି-ଉଦୟଗିରି ବର୍ଷବର୍ଷ ହେଲା ଅଣଦେଖା ହୋଇରହିଥିଲା। ମାତ୍ର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଉଭୟ ସ୍ଥାନର ପରିଦର୍ଶନ କରି ଏହାର ବିକାଶପାଇଁ ଆଶା ଦେଖାଇଛନ୍ତି। ଚଉଷଠୀ ଯୋଗିନୀ ପୀଠର ବିକାଶ ଓ ସୌନ୍ଦର୍ଯ୍ୟୀକରଣ ପାଇଁ ୨୦ କୋଟି ଟଙ୍କା ମଞ୍ଜୁର ହୋଇଥିବା ବେଳେ ଯମଜ ପାହାଡ଼ ଖଣ୍ଡଗିରି-ଉଦୟଗିରି ପାଇଁ ୫୨କୋଟି ଟଙ୍କା ଖର୍ଚ୍ଚ ହେବ। ଚଉଷଠି ଯୋଗିନୀ ପୀଠର ଭିତ୍ତିଭୂମି ବିକାଶ ପାଇଁ ପୀଠ ପରିସରର ୧୦୦ ମିଟର ଦୂରତା ଓ ଏହାର ଆଖପାଖରେ ମାଆଙ୍କ ନାମରେ ଥିବା ଭୂସମ୍ପତ୍ତିକୁ ଜବରଦଖଲ ମୁକ୍ତ କରାଯିବ। ଜବରଦଖଲ ଉଚ୍ଛେଦ କରାଯିବା ସହ ଚଉଡ଼ା ବ୍ରିଜ୍‌ ନିର୍ମାଣ କରାଯିବ। ମୁଖ୍ୟ ଫାଟକରେ କାରୁକାର୍ଯ୍ୟଭରା ତୋରଣ ଶୋଭାପାଇବ। ମୂର୍ତ୍ତିଗୁଡ଼ିକର ଚାରିପାଖକୁ ପଥରରେ ଢାଙ୍କି ରକ୍ଷଣାବେକ୍ଷଣ ଓ ସୁରକ୍ଷା କରାଯିବ। ‌ସେହିପରି ଖଣ୍ତଗିରି-ଉଦୟଗିରି ପାହାଡ଼କୁ ପର୍ଯ୍ୟଟକ ଅନୁକୂଳ ଓ ସୁଗମ ସ୍ଥାନ ଭାବେ ବିକଶିତ କରାଯିବ। ଆରାଇଭାଲ୍‌ପ୍ଲାଜା, ବ୍ୟାଖ୍ୟାନ କେନ୍ଦ୍ର, ଐତିହ୍ୟ ସ୍ମାରକୀଗୁଡ଼ିକୁ ସଂଯୋଗ କରୁଥିବା ଉନ୍ନତ ରାସ୍ତା, ଜୈନ ମନ୍ଦିରକୁ ପ୍ରବେଶ ପାଇଁ ଉତ୍ତମ ବ୍ୟବସ୍ଥା ଯୋଗାଇ ଦିଆଯିବ। ପର୍ଯ୍ୟଟକଙ୍କ ପାଇଁ ବିଶ୍ରାମଗୃହ ନିର୍ମାଣ ହେବ। ପରିଦର୍ଶକ କେନ୍ଦ୍ର ସ୍ଥାପନ ହେବ। ସୂଚନାକେନ୍ଦ୍ର ସହ ପର୍ଯ୍ୟଟକଙ୍କ ଖାଦ୍ୟ, ପାନୀୟ ବ୍ୟବସ୍ଥା ଲାଗି ଏହା ପରିସରରେ ଏକ କାଫେଟେରିଆ ଖୋଲାଯିବ। ସେହିପରି ଏକ ଆମ୍ଫିଥିଏଟର ସହ ବ୍ୟବସାୟ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ। ଦୁଇ ପାହାଡ଼କୁ ଉନ୍ନତ ସଂଯୋଗୀକରଣ ବ୍ୟବସ୍ଥା ହେବ। ଦିବ୍ୟା‌ଙ୍ଗଙ୍କ ପାଇଁ ସ୍ବତନ୍ତ୍ର ରାସ୍ତା ତିଆରି ହେବ। ଐତିହ୍ୟ ସ୍ଥାନକୁ ଇ-ଯାନ ପ୍ରବେଶକୁ ସହଜ କରିବା ପାଇଁ ବ୍ୟବସ୍ଥା ହେବ। ବହୁ ପ୍ରତୀକ୍ଷିତ ଉଦୟଗିରି ଲାଇଟ୍ ଆଣ୍ଡ୍ ସାଉଣ୍ଡ୍ ସୋ’ ମଧ୍ୟ କାର୍ଯ୍ୟକ୍ଷମ ହେବ।

ମଉଳିଲା ମେଟ୍ରୋ ଆଶା

ରାଜଧାନୀରେ ମେଟ୍ରୋ ଗଡ଼ିବ। ଏନେଇ ପୂର୍ବ ସରକାର ଦେଖାଇଥିବା ସ୍ବପ୍ନ ୨୦୨୫ରେ ମଉଳି ଯାଇଛି। ଚାଲିଥିବା ପ୍ରକଳ୍ପ କାର୍ଯ୍ୟ ଅଧାରୁ ବନ୍ଦ କରି ଦିଆଯାଇଛି। ଟେଣ୍ଡର ନେଇଥିବା ସଂସ୍ଥାର କାର୍ଯ୍ୟାଦେଶକୁ ବାତିଲ କରି ଦିଆଯାଇଛି। ମେଟ୍ରୋ ପ୍ରକଳ୍ପ ନେଇ ରାଜ୍ୟ ସରକାରଙ୍କ ଏକାଧିକ ମନ୍ତ୍ରୀ ବିଭିନ୍ନ ମନ୍ତବ୍ୟ ଦେଇଥିଲେ। ମାତ୍ର ବର୍ଷ ଶେଷକୁ ଜଣାଯାଇଛି ଯେ ମେଟ୍ରୋ ପ୍ରକଳ୍ପ ପାଇଁ ପୁଣି ଥରେ ଡିପିଆର୍‌ ପ୍ରସ୍ତୁତ ହେବ। ତେଣୁ ମେଟ୍ରୋ ପ୍ରକଳ୍ପ କେତେଦୂର କାର୍ଯ୍ୟକାରୀ ହେବ, ସେ ନେଇ ଅନିଶ୍ଚିତତା ସୃଷ୍ଟି ହୋଇଛି।

ବର୍ଷକରେ ୧୧ ଲକ୍ଷ ରୋଗୀଙ୍କୁ ଚିକିତ୍ସା ସେବା

ଗତ ଏକ ବର୍ଷରେ ଏମ୍‌ସ ୧୧ ଲକ୍ଷରୁ ଅଧିକ ରୋଗୀଙ୍କୁ ଚିକିତ୍ସା ସେବା ପ୍ରଦାନ କରିବାରେ ସକ୍ଷମ ହୋଇଛି। ସେହିଭଳି ୨୬ ଲକ୍ଷରୁ ଅଧିକ ‘ଆଭା’ ସଂଯୋଗୀକରଣ ହୋଇଛି। ରୋଗୀସେବା ଓ ଚିକିତ୍ସା ଉତ୍କର୍ଷତାରେ ଉଲ୍ଲେଖନୀୟ ମାଇଲଖୁଣ୍ଟ ହାସଲ କରି ଏନ୍‌ଆଇଆର୍‌ଏଫ୍-୨୦୨୫ରେ ୧୪ତମ ସ୍ଥାନ ହାସଲ କରିଛି। ୨୦୨୧ରେ ଏମ୍‌ସ ଭୁବନେଶ୍ବର ୩୧ତମ ସ୍ଥାନରେ ରହିଥିଲା। ଇଣ୍ଡିଆ-ଟୁଡେ ସର୍ଭେରେ ଭାରତରେ ଦ୍ୱିତୀୟ ଶ୍ରେଷ୍ଠ ଉଦୀୟମାନ ମେଡିକାଲ କଲେଜ ମାନ୍ୟତା ପାଇବା, ଭାଇରାଲ୍ ଡାଇଗ୍ନୋଷ୍ଟିକ୍ସ ଓ ଗବେଷଣାରେ ଉତ୍କର୍ଷତା କ୍ଷେତ୍ରରେ କେନ୍ଦ୍ରରୁ ରୌପ୍ୟ ପୁରସ୍କାର ପାଇ ପ୍ରତିଷ୍ଠାନ ଗୌରବ ଅର୍ଜନ କରିଛି। ଏଥିସହିତ ପ୍ରତିଷ୍ଠାନ ଆସ୍ଥେଟିକ୍ ସର୍ଜରୀ ସମ୍ମିଳନୀ ଓ ୟୁରୋସ୍କୋପିଆ କର୍ମଶାଳା ଆୟୋଜନ କରି ଚିକିତ୍ସା ଉତ୍କର୍ଷତା କ୍ଷେତ୍ରରେ ନୂଆ ଆଶା ସଞ୍ଚାର କରିଛି। ଜଟିଳ ଅଲ୍‌ସର, ଭାରିକୋଜ୍ ଭେନ୍ ଏବଂ ଏକଜିମା ଭଳି ଅବସ୍ଥା ପାଇଁ ଅଭିନବ ଲିଚ୍ ଥେରାପିର ପ୍ରଚଳନ, ରୋବୋଟିକ୍ ଆଣ୍ଠୁ ପ୍ରତିରୋପଣ ଆଦି ଏମ୍‌ସକୁ ଚର୍ଚ୍ଚାରେ ରଖିଥିଲା।

ବାଲେଶ୍ବର ଓ ବଳଙ୍ଗା ପୀଡ଼ିତା, ହ୍ୟୁମାନଙ୍କ ପାଇଁ ଚର୍ଚ୍ଚାରେ ଥିଲା ଏମ୍‌ସ 

ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ଏମ୍‌ସରେ ଚିକିତ୍ସିତ ହେଉଥିବା ବାଲେଶ୍ବର ଫକୀର ମୋହନ କଲେଜ ପୀଡ଼ିତାଙ୍କୁ ଭେଟିବା ସହିତ ଡାକ୍ତର ଓ ପରିବାର ବର୍ଗଙ୍କ ସହିତ ଆଲୋଚନା କରିଥିଲେ। ଫକୀର ମୋହନ କଲେଜ ପୀଡ଼ିତାଙ୍କ ମୃତ୍ୟୁ ପରେ ଏମ୍‌ସ ପରିସରରେ ବିରୋଧୀ ଦଳଙ୍କ ବିକ୍ଷୋଭ, ୧୬୩ ଧାରା ଲାଗୁ, ବର୍ଣ୍ଣ ସେଣ୍ଟର୍‌କୁ ନିଷିଦ୍ଧାଞ୍ଚଳ ଘୋଷଣା, ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ଆଦି ଚର୍ଚ୍ଚାର ବିଷୟ ପାଲଟିଥିଲା।  କଣ୍ଠଶିଳ୍ପୀ ହ୍ୟୁମାନ୍‌ ସାଗରଙ୍କ ମୃତ୍ୟୁ ଯେତିକି ଦୁଃଖଦାୟକ ଘଟଣା ଥିଲା ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର କୋମାରେ ରହି ଚିକିତ୍ସିତ ହେବା ଘଟଣା ମଧ୍ୟ ଲୋକଙ୍କୁ ଦୁଃଖ ଦେଇଛି।

Untitled-5

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe