ଝାଡ଼ଖଣ୍ଡ : ତିନି ତିନି ଥର ବିଧାୟକଙ୍କ ସ୍ତ୍ରୀ ବଜାରରେ ବିକୁଛନ୍ତି ପରିବା

ଗତ ଶୁକ୍ରବାର ଦିନ ଝାଡ଼ଖଣ୍ଡର ବଡ଼କାଗାଓଁ ବିଧାନସଭା କ୍ଷେତ୍ରର ବିଜେପି ବିଧାୟକ ପ୍ରାର୍ଥୀ ଲୋକନାଥ ମାହାତୋ ନାମାଙ୍କନ ପତ୍ର ଦାଖଲ କରୁଥିବା ସମୟରେ ତାଙ୍କ ସ୍ତ୍ରୀ ବଜାରରେ ପରିବା ବିକ୍ରିରେ ବ୍ୟସ୍ତ ଥିଲେ। ତିନି ତିନି ଥର ବିଧାୟକଙ୍କ ସ୍ତ୍ରୀ ଏପରି କାହିଁକି ବା କରିବେ ବୋଲି ଅନେକଙ୍କ ମନରେ ପ୍ରଶ୍ନ ଉଠିପାରେ। ପ୍ରଥମେ ଲାଗିପାରେ ଯେ ଇଏ ବୋଧହୁଏ ନିର୍ବାଚନ ପ୍ରଚାରର ଏକ ନୂଆ ଉପାୟ। ହେଲେ ଏ ସମ୍ପର୍କରେ ବିଧାୟକଙ୍କ ସ୍ତ୍ରୀ ମୌଲିନି ଦେବୀ ଯାହା କହନ୍ତି ତାହା ଅତ୍ୟନ୍ତ ପ୍ରେରଣାଦାୟୀ। ‘ମୋ ସ୍ବାମୀ ନାମାଙ୍କନ ପତ୍ର ଦାଖଲ କଲାବେଳେ ମୁଁ ସେଠାରେ ଉପସ୍ଥିତ ରହିଲେ ଘର କାମ କିଏ କରିବ? ମୋ ସ୍ବାମୀ ବିଧାୟକ ହେବା ପୂର୍ବରୁ ମୁଁ ପରିବା ବିକୁଥିଲି। ସେ ତିନି ଥର ବିଧାୟକ ହେବା ପରେ ମଧ୍ୟ ମୁଁ ଚାଷକାମ ଜାରି ରଖିଛି। ଏଥିରେ ଲାଜ କରିବାରେ କିଛି ନାହିଁ। ଘର ବଗିଚାରେ ଯାହା ପରିବା ଚାଷ ହୁଏ ସେଥିରୁ ପରିବାର ପାଇଁ ରଖି ବାକିତକ ଉତ୍ପାଦକୁ ନେଇ ବଜାରରେ ବିକେ।’ ସବୁଠାରୁ ବଡ଼ କଥା ସେ ଏହି ପଇସାରେ ନିଜ ଖର୍ଚ୍ଚ ଉଠାଇଥାନ୍ତି। ସ୍ବାମୀଙ୍କ ଉପରେ ସେ ନିର୍ଭରଶୀଳ ନୁହନ୍ତି ବୋଲି ମୌଲିନି ଅତ୍ୟନ୍ତ ଗର୍ବର ସହ କହନ୍ତି।

Oneindia Tamil

ଯେହେତୁ ଚାଷ କାମ ତାଙ୍କର କୌଳିକ ବୃତ୍ତି ତେଣୁ ସ୍ତ୍ରୀ ପରିବା ବିକିବାରେ କୌଣସି ଭୁଲ୍ ନାହିଁ ବୋଲି ବିଧାୟକ ପ୍ରାର୍ଥୀ ଲୋକନାଥ ପ୍ରକାଶ କରିଛନ୍ତି। ସମୟ ମିଳିଲେ ସେ ମଧ୍ୟ ପତ୍ନୀଙ୍କୁ ଚାଷକାମରେ ସାହାଯ୍ୟ କରନ୍ତି। ବିଧାୟକ ଭାବେ ତାଙ୍କର ସମସ୍ତ ଉପାର୍ଜନକୁ ନିଜ ନିର୍ବାଚନମଣ୍ଡଳୀର ଗରିବ ଝିଅଙ୍କ ବିବାହ ଏବଂ ଚିକିତ୍ସାରେ ଖର୍ଚ୍ଚ କରିଥାନ୍ତି। ସେ ୧୯୯୫ରୁ ଲଗାତାର ଭାବେ ତିନିଥର ବିଧାୟକ ହେଇଥିଲେ। ୨୦୦୫ରେ ସେ ଶ୍ରେଷ୍ଠ ବିଧାୟକ ପୁରସ୍କାର ମଧ୍ୟ ପାଇଥିଲେ। ୭୪ ବର୍ଷ ବୟସ୍କ ଲୋକନାଥଙ୍କୁ ବିଜେପି ଦଳ ତରଫରୁ ଟିକେଟ୍ ମିଳିଛି।

ସମ୍ବନ୍ଧିତ ଖବର