ଯେଉଁଠି ପତ୍ନୀଙ୍କ ଜନ୍ମଦିନ ଭୁଲିଲେ ମିଳେ ଜେଲ୍‌ ଦଣ୍ଡ!

ସାଧାରଣତଃ ପତ୍ନୀଙ୍କ ଜନ୍ମଦିନକୁ ବାରମ୍ବାର ଭୁଲିଯିବା କଥାକୁ ଅନେକ ସ୍ବାମୀ ସ୍ବୀକାର କରନ୍ତି। ଏଭଳି ସ୍ଥଳେ କ୍ଷମା ଯାଚନା ଶ୍ରେଷ୍ଠ ପନ୍ଥା ହୋଇଥାଏ। ମାତ୍ର ଦକ୍ଷିଣ ପ୍ରଶାନ୍ତ ମହାସାଗରରେ ଅବସ୍ଥିତ ସାମୋଆ ଦେଶରେ ପ୍ରାଣପ୍ରିୟା ପତ୍ନୀଙ୍କ ଜନ୍ମଦିନ ଭୁଲିଯିବା ହେଉଛି ବେଆଇନ ଏବଂ ଏକ ଅକ୍ଷମଣୀୟ ଅପରାଧ। ଏଭଳି ଅପରାଧ ପାଇଁ ସ୍ବାମୀଙ୍କୁ ପାଞ୍ଚ ବର୍ଷ ଯାଏ କାରାବାସ ଭୋଗିବାର ପ୍ରାବଧାନ ସେଇ ଦେଶରେ ରହିଛି। ଅବଶ୍ୟ ଜଣେ ସ୍ବାମୀ ଯଦି ପ୍ରଥମ ଥର ପାଇଁ ତାଙ୍କ ପତ୍ନୀଙ୍କର ଜନ୍ମଦିନକୁ ଭୁଲିଯାଆନ୍ତି, ତେବେ ସେଥିପାଇଁ ସରକାରୀ ଭାବେ ତାଙ୍କୁ ସତର୍କ କରାଇ ଦିଆଯାଇଥାଏ। ମାତ୍ର ଦ୍ବିତୀୟ ଥର ପାଇଁ ସେ ଭୁଲ୍‌ର ପୁନରାବୃତ୍ତି ଘଟିଲେ, ସଂପୃକ୍ତ ସ୍ବାମୀଙ୍କୁ ଜରିମାନା ବା କାରାବାସ ଦଣ୍ଡାଦେଶ ହୋଇଥାଏ।

ଉକ୍ତ ଦେଶରେ ପତ୍ନୀଙ୍କ ଜନ୍ମଦିନକୁ ମନେ ରଖିବାର ନିୟମ କଡ଼ାକଡ଼ି ପାଳନ ହେଉଛି ନା ନାହିଁ, ସେଥିପାଇଁ ସେଠାରେ ଏକ ସ୍ବତନ୍ତ୍ର ତଦନ୍ତକରାରୀ ଦଳ ରହିଛନ୍ତି। ସେହି ଧାରା ଉଲ୍ଲଂଘନ ସୂଚନା ପୁଲିସ ପାଖରେ ପହଞ୍ଚିଲେ ଆଉ ଏକ ସ୍ବତନ୍ତ୍ର ଦଳ ତ୍ବରିତ କାର୍ଯ୍ୟାନୁଷ୍ଠାନ ନେଇଥାଏ। ଏହା ବ୍ୟତୀତ ଏହି ଆଇନ ବାବଦରେ ପତ୍ନୀମାନଙ୍କୁ ଅବଗତ କରାଇବା ପାଇଁ ବିଭିନ୍ନ ସମୟରେ ସଚେତନତା ଶିବିରର ଆଯୋଜନ କରାଯାଇଥାଏ। ଏପରି ବିଚିତ୍ର ଆଇନ ପଛର କାରଣ ସ୍ପଷ୍ଟ ହୋଇନଥିଲେ ହେଁ ସାମୋଆର ସାଂସ୍କୃତିକ ପରମ୍ପରାରେ ସମ୍ପ୍ରଦାୟ ଓ ପରିବାରକୁ ଖୁବ୍ ଗୁରୁତ୍ବ ଦିଆଯାଉଥିବାରୁ ଏପରି ହୋଇଥିବା ଅନୁମାନ କରାଯାଏ।

ସମ୍ବନ୍ଧିତ ଖବର