ମୋଡ଼ ବଦଳାଇଲେ ବୁମ୍‌ରା

ସମସ୍ତ ଫର୍ମାଟ୍‌ର ଫାଇନାଲ୍‌ ଖେଳିବାରେ ରୋହିତ ଦ୍ବିତୀୟ ଅଧିନାୟକ

ବାର୍ବାଡସ୍‌: ଏଥରର ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଭାରତର ପ୍ରାରମ୍ଭିକ ଯୋଡ଼ିର ଭାର ରହିଥିଲା ବିଶ୍ବ କ୍ରିକେଟ୍‌ର ଦୁଇ ମହାନ ଖେଳାଳି ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଉପରେ। କିନ୍ତୁ ଏହି ଦୁଇ ଅଭିଜ୍ଞ ବ୍ୟାଟରଙ୍କଠାରୁ ଆଶା ମୁତାବକ ସଫଳତା ମିଳି ନଥିଲା। ଫାଇନାଲ୍‌କୁ ମିଶାଇ ଭାରତ ଖେଳିଥିବା ୮ ମ୍ୟାଚ୍‌ରୁ ଗୋଟିଏ ବି ୪୦ ରନ୍ ଟପି ପାରି ନଥିଲା। ଆୟର୍ଲାଣ୍ଡ୍ ବିପକ୍ଷରେ ୨୨ ରନ୍ (୨.୪ ଓଭର), ପାକିସ୍ତାନ ବିପକ୍ଷରେ ୧୨ ରନ୍ (୧.୩ ଓଭର), ଆମେରିକା ବିପକ୍ଷରେ ୧ ରନ୍ (୦.୨ ଓଭର), ଆଫଗାନିସ୍ତାନ ବିପକ୍ଷରେ ୧୧ ରନ୍ (୨.୫ ଓଭର), ବାଂଲାଦେଶ ବିପକ୍ଷରେ ୩୯ ରନ୍ (୩.୪ ଓଭର), ଅଷ୍ଟ୍ରେଲିଆ ବିପକ୍ଷରେ ୬ ରନ୍ (୧.୪ ଓଭର), ଇଂଲଣ୍ଡ ବିପକ୍ଷ ସେମିଫାଇନାଲ୍‌ରେ ୧୯ ରନ୍ (୨.୪ ଓଭର) ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷ ଫାଇନାଲ୍‌ରେ ୨୩ ରନ୍ (୧.୪ ଓଭର) କରିଥିଲେ ଭାରତୀୟ ଯୋଡ଼ି। ଆଇପିଏଲରେ ଜବରଦସ୍ତ ଫର୍ମରେ ରହି କମଳା ଟୋପି ହାତେଇଥିବା ବିରାଟ କୋହ‌ଲି ଅଧିକାଂଶ ସମୟ ବିଫଳ ହେବା ଦଳକୁ ଚାପରେ ରଖିଥିଲା। କିନ୍ତୁ ଆହ୍ବାନଭରା ପିଚ୍‌ ଥିବା ସତ୍ତ୍ବେ ଭାରତର ଦଳଗତ ପ୍ରଦର୍ଶନରେ ଏହା ଖୁବ୍ କମ୍ ପ୍ରଭାବ ପକାଇଥିଲା। କାରଣ ମିଳିତ ପ୍ରଦର୍ଶନ ଓ ବୋଲିଂ ବଳରେ ଦଳ ବିଜୟୀ ହୋଇପାରୁଥିଲା। କୋହଲି ଫାଇନାଲ୍ ପୂର୍ବ ପର୍ଯ୍ୟନ୍ତ ବିଫଳ ହେଉଥିଲେ। ତାଙ୍କ ପ୍ରତି ମ୍ୟାଚ୍‌ ପାଳି କ୍ରମ ଥିଲା ଏଭଳି-୧, ୪, ୦, ୨୪, ୩୭, ୦, ୯। ଏହି କାରଣରୁ କଡ଼ା ସମାଲୋଚିତ ହୋଇ ପ୍ରଶଂସକଙ୍କଠାରୁ ଖୁବ୍ ଗାଳି ଶୁଣିଥିଲେ। ଫାଇନାଲ୍‌ରେ କିନ୍ତୁ କୋହଲି ଅପେକ୍ଷାକୃତ ଭଲ ଖେଳିଥିଲେ। ପ୍ରଥମ ଓଭରରୁ ଧୂଆଁଧାର ଆରମ୍ଭ କରିଥିଲେ ମଧ୍ୟ ପାୱାର ପ୍ଲେ ଭିତରେ ଭାରତ ୩ ୱିକେଟ୍ ହରାଇଦେବାରୁ ସାମାନ୍ୟ ସତର୍କତାର ସହ ଖେଳିବାକୁ ବାଧ୍ୟ ହୋଇଥିଲେ। ତେବେ ଦକ୍ଷିଣ ଆଫ୍ରିକା ପାଳିର ଠିକଣା ସମୟରେ ୱିକେଟ୍‌ ନେଇ ଯଶ୍‌ପ୍ରୀତ ବୁମରାଙ୍କ ସହ ହାର୍ଦ୍ଦିକ ପାଣ୍ଡ୍ୟା ମ୍ୟାଚ୍‌ର ମୋଡ ବଦଳାଇ ଦେଇଥିଲେ।

‌ରୋହିତ ଜିତିଥିଲେ ଟସ୍‌
ଶନିବାରର ଫାଇନାଲ୍ ମ୍ୟାଚ୍‌ରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଟସ୍ ଜିତିଥିଲେ। ଏଠାରେ ପୂର୍ବରୁ ଖେଳିଥିବା ମ୍ୟାଚ୍‌ର ଅଭିଜ୍ଞତା ଭିତ୍ତିରେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ଶିବମ ଦୁବେଙ୍କୁ ନେଇ ଉଠିଥିବା ସମାଲୋଚନା ସ୍ବରକୁ ପଛରେ ପକାଇ ସମାନ ଦଳ ସହ ପଡ଼ିଆକୁ ଓହ୍ଲାଇଥିଲା। ଦକ୍ଷିଣ ଆଫ୍ରିକା ଅଧିନାୟକ ଏଦୈନ ମାରକ୍ରମ ମଧ୍ୟ ସେମିଫାଇନାଲ୍ ଦଳକୁ ଅପରିବର୍ତିତ ରଖି ଖେଳିଥିଲା।
ଭାରତୀୟ ଚୂଡାନ୍ତ ଏକାଦଶ: ରୋହିତ ଶର୍ମା (ଅଧିନାୟକ), ବିରାଟ କୋହଲି, ଋଷଭ ପନ୍ତ୍‌ (ୱିକେଟରକ୍ଷକ), ସୂର୍ଯ୍ୟକୁମାର ୟାଦବ, ଶିବମ ଦୁବେ, ହାର୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ୍‌, ରବୀନ୍ଦ୍ର ଜାଡ଼େଜା, ଅର୍ଶଦୀପ ସିଂହ, କୁଲଦୀପ ୟାଦବ, ଯଶପ୍ରୀତ୍ ବୁମରା।
ଦକ୍ଷିଣ ଆଫ୍ରିକା ଚୂଡାନ୍ତ ଏକାଦଶ: କ୍ବିଣ୍ଟନ୍ ଡି’କକ୍ (ୱିକେଟରକ୍ଷକ), ରିଜା ହେଣ୍ଡ୍ରିକ୍ସ, ଏଦୈନ ମାରକ୍ରମ (ଅଧିନାୟକ), ଡେଭିଡ୍ ମିଲର୍‌, ତ୍ରିଷ୍ଟାନ୍ ଷ୍ଟବ୍ସ, ହେନରିକ୍ କ୍ଲାସେଁ, ମାର୍କୋ ୟାନସେନ୍‌, କେଶବ ମହାରାଜ, କାଗିସୋ ରବାଡ଼ା, ଅନରିକ୍ ନର୍ଖିୟା, ତାବ୍ରାଇଜ୍ ସାମସି।

ପାୱାର ପ୍ଲେ’ରେ ପରାସ୍ତ
ବିରାଟ କୋହଲି ପ୍ରଥମ ଓଭରରେ ମାର୍କୋ ୟାନସେନ୍‌ଙ୍କଠାରୁ ୧୫ ରନ୍ ଆଦାୟ କରିଥ‌ିଲେ ୩ଟି ସୁନ୍ଦର ଚୌକା ସହିତ। କିନ୍ତୁ ପ୍ରଥମ ପାୱାର ପ୍ଲେ ୬ ଓଭରରେ ଦକ୍ଷିଣ ଆଫ୍ରିକା ୩ ୱିକେଟ୍ ବାହାର କରି ଏହି ସମୟର ସମ୍ମାନକୁ ହା‌ତେଇ ନେଇଥିଲା। ପଡ଼ିଆ କଟକଣା ଉଠିବା ବେଳକୁ ଭାରତ ୪୫ ରନ୍ କରିଥିଲା। ଦ୍ବିତୀୟ ଓଭରରୁ ସ୍ପିନ୍ ଆକ୍ରମଣ ଆରମ୍ଭ କରିଥିବା କେଶବ ମହାରାଜ ଭାରତର ୨ ପ୍ରମୁଖ ବ୍ୟାଟର୍ ରୋହିତ ଶର୍ମା, ଋଷଭ ପନ୍ତ୍‌ଙ୍କୁ ଗୋଟିଏ ବଲ୍ ବ୍ୟବଧାନରେ ଆଉଟ୍ କରିଦେଇ ବିରାଟଙ୍କ ଧୂଆଁଧାର ଆରମ୍ଭକୁ ତୁରନ୍ତ ଅଙ୍କୁଶ ଲଗାଇଥିଲେ। ଦକ୍ଷିଣ ଆଫ୍ରିକା ବିପକ୍ଷରେ ବିଗତ ୬ ଟ୍ବେଣ୍ଟି-୨୦ ପାଳିରେ ଥରେ ମାତ୍ର ଅର୍ଦ୍ଧଶତକ ହାସଲ କରିପାରି ନଥିବା ସୂର୍ଯ୍ୟକୁମାର ୟାଦବ ଏଥର ବିଫଳ ହୋଇଥିଲେ। ରବାଡ଼ାଙ୍କୁ ବଡ଼ ସଟ୍ ଖେଳିବାକୁ ଯାଇ ବାଉଣ୍ଡରି ନିକଟରେ ହେନରିକ୍ କ୍ଲାସେଁଙ୍କ ହାତରେ ଧରାପଡ଼ିଯାଇଥିଲେ। ମାରକ୍ରମ ମଧ୍ୟ ଏକ ଟାଇଟ୍ (୧,୧,୧,୧,୧,୧) ବୋଲିଂ କରିଥିଲେ ପାୱାର ପ୍ଲେ ଶେଷ ଓଭରକୁ।

ଫାଇନାଲ୍‌ ଛକା ତାଲିକାରେ ଅକ୍ଷର
କୌଣସି ଏକ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଫାଇନାଲ୍‌ରେ ସର୍ବାଧିକ ଛକା ମାରିବା ରେକର୍ଡ ରହିଛି ୱେଷ୍ଟଇଣ୍ଡିଜ୍‌ର ମାର୍ଲନ ସାମୁଏଲ୍ସଙ୍କ ନାମରେ। ୨୦୧୨ ସଂସ୍କରଣରେ କଲମ୍ବୋରେ ସାମୁଏଲ୍ସ ଶ୍ରୀଲଙ୍କା ବିପକ୍ଷରେ ୬ ଛକା ମାରିଥିଲେ। ଏହି ତାଲିକାରେ ବିରାଟ କୋହଲି ସାମିଲ ଥିବାବେଳେ ଶନିବାର ଯୋଡ଼ି ହୋଇଛନ୍ତି ଅକ୍ଷର ପଟେଲ୍‌। ପାକିସ୍ତାନର ମିସ୍‌ବା ଉଲ୍ ହକ୍ (ବନାମ ଭାରତ, ୨୦୦୭), ଭାରତର ବିରାଟ କୋହଲି (ବନାମ ଶ୍ରୀଲଙ୍କା,୨୦୧୪), ୱେଷ୍ଟଇଣ୍ଡିଜର କ୍ରେଗ୍ ବ୍ରାଥ୍‌ୱେଟ୍ (ବନାମ ଇଂଲଣ୍ଡ, ୨୦୧୬), ଅଷ୍ଟ୍ରେଲିଆର ମିଚେଲ୍‌ ମାର୍ସ (ବନାମ ନ୍ୟୁଜିଲାଣ୍ଡ୍‌, ୨୦୨୧) ଏବଂ ଭାରତର ଅକ୍ଷର ପଟେଲ୍ (ବନାମ ଦକ୍ଷିଣ ଆଫ୍ରିକା, ୨୦୨୪) ପ୍ରମୁଖ ସମାନ ୪ ଲେଖାଏଁ ଛକା ମାରିଥିଲେ।

ରୋହିତ-କୋହଲିଙ୍କ ରେକର୍ଡ
ଶନିବାର ଟ୍ବେଣ୍ଟି-୨୦ ବିଶ୍ବକପ୍‌ ପାଇଁ ଭାରତ ବ୍ୟାଟିଂକୁ ଓହ୍ଲାଇବା ମାତ୍ରେ ଉଭୟ ରୋହିତ ଶର୍ମା ଓ ବିରାଟ କୋହଲି ନୂଆ ରେକର୍ଡ କରିଛନ୍ତି। ଆଇସିସି ପ୍ରତିଯୋଗିତାର ସର୍ବାଧିକ ଫାଇନାଲ୍‌ ଖେଳିବାରେ ଏହି ଦୁଇ ଭାରତୀୟ ବ୍ୟାଟର୍‌ ଯୁଗ୍ମ ଭାବେ ଶୀର୍ଷକୁ ଆସିଛନ୍ତି। ଉଭୟ ରୋହିତ ଓ କୋହଲିଙ୍କ ପାଇଁ ଏହା ଅଷ୍ଟମ ଫାଇନାଲ୍‌ ଥିଲା। ପୂର୍ବରୁ ଭାରତୀୟ ଅଲରାଉଣ୍ଡର୍‌ ଯୁବରାଜ ସିଂହ ୭ଟି ଫାଇନାଲ୍‌ ଖେଳି ଏହି ତାଲିକାରେ ଦ୍ବିତୀୟ ସ୍ଥାନରେ ଅଛନ୍ତି। ୨୦୦୭ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଫାଇନାଲ୍‌ରେ ରୋହିତ ଖେଳିଥିଲେ ଓ କୋହଲି ଦଳରେ ନଥିଲେ। ସେହିପରି ୨୦୧୧ ଦିନିକିଆ ବିଶ୍ବକପ୍‌ ଫାଇନାଲ୍‌ରେ କୋହଲି ଖେଳିଥିଲା ବେଳେ ରୋହିତ ଦଳରେ ସ୍ଥାନ ପାଇ ନଥିଲେ। ଏହାବାଦ୍‌ ୨୦୧୧ ପରଠୁ ଭାରତ ଖେଳିଥିବା ସମସ୍ତ ଆଇସିସି ଫାଇନାଲ୍‌ରେ ଏହି ଦୁଇ ଖେଳାଳି ଖେଳିଛନ୍ତି। ସେଥିମଧ୍ୟରେ ୨୦୧୩ ଚାମ୍ପିଅନ୍ସ ଟ୍ରଫି, ୨୦୧୪ ଟ୍ବେଣ୍ଟି-୨୦ ବିଶ୍ବକପ୍‌, ୨୦୧୭ ଚାମ୍ପିଅନ୍ସ ଟ୍ରଫି, ୨୦୨୧ ଓ ୨୦୨୩ ଡବ୍‌ଲ୍ୟୁସିଟି, ୨୦୨୩ ଦିନିକିଆ, ୨୦୨୪ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଫାଇନାଲ୍‌ରେ ରୋହିତ ଓ କୋହଲି ମିଳିତ ଭାବେ ଖେଳିଛନ୍ତି।

ସମସ୍ତ ଫର୍ମାଟ୍‌ର ଫାଇନାଲ୍‌ ଖେଳିବାରେ ରୋହିତ ଦ୍ବିତୀୟ ଅଧିନାୟକ

ବ୍ରିଜଟାଉନ୍‌: ନ୍ୟୁଜିଲାଣ୍ଡର କେନ୍ ୱିଲିୟମସନ୍‌ଙ୍କ ପରେ ରୋହିତ ଶର୍ମା ଦ୍ବିତୀୟ ଅଧିନାୟକ ଭାବେ ଆଇସିସିର ସମସ୍ତ ତିନୋଟି ଫର୍ମାଟ୍‌ର ଫାଇନାଲ୍‌ ଖେଳିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷରେ ଶନିବାର ଖେଳିବା ବେଳେ ରୋହିତ ଏହି ମାଇଲ୍‌ଖୁଣ୍ଟରେ ପହଞ୍ଚିଛନ୍ତି। ରୋହିତ ୨୦୨୩ ଡବ୍‌ଲ୍ୟୁଟିସି, ଦିନିକିଆ ବିଶ୍ବକପ୍‌ ଓ ଏବେ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଭାରତର ନେତୃତ୍ବ ନେଇଛନ୍ତି। ପୂର୍ବରୁ ୱିଲିୟମସନ୍‌ ୨୦୨୧ ଡବ୍‌ଲ୍ୟୁଟିସି, ୨୦୧୯ ଦିନିକିଆ ବିଶ୍ବକପ୍‌ ଏବଂ ୨୦୨୧ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ନ୍ୟୁଜିଲାଣ୍ଡ୍‌ର ଅଧିନାୟକ ରହିଥିଲା। ନ୍ୟୁଜିଲାଣ୍ଡ ଉଭୟ ଧଳାବଲ୍‌ ଫାଇନାଲ୍‌ରେ ଉପବିଜେତା ହୋଇଥିଲା ବେଳେ ଡବ୍‌ଲ୍ୟୁଟିସି ଫାଇନାଲ୍‌ରେ ଭାରତକୁ ହରାଇ ବିଜେତା ହୋଇଥିଲା।

ସମ୍ବନ୍ଧିତ ଖବର