ଇଣ୍ଡିଆ=ଇଣ୍ଡିଜ୍=ଇଂଲଣ୍ଡ

ବ୍ରିଜ୍‌ଟାଉନ୍‌: ଅସୀମିତ ଉତ୍କଣ୍ଠାଭରା ଫାଇନାଲ୍‌ରେ ଦକ୍ଷିଣ ଆଫ୍ରିକାକୁ ୭ ରନ୍‌ରେ ହରାଇ ଟ୍ବେଣ୍ଟି-୨୦ ବିଶ୍ବକପ୍-୨୦୨୪ ଜିତିବା ପରେ ଭ‌ାରତ ଏକାଧିକ ରେକର୍ଡ କରିଛି। ୧୭ ବର୍ଷ ପରେ ଟ୍ବେଣ୍ଟି-୨୦ ବିଶ୍ବକପ୍ ଜିତି ଇଂଲଣ୍ଡ ଓ ୱେଷ୍ଟ୍‌ଇଣ୍ଡିଜ୍ କ୍ଲବ୍‌ରେ ସାମିଲ ହୋଇଛି। ୨୦୦୭ରେ ଭାରତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ପ୍ରଥମ ସଂସ୍କରଣ ଜିତିଥିଲା। ଏବେ ନବମ ସଂସ୍କରଣ ଜିତି ଦୁଇ ଥର ବିଜେତା ହେବାରେ ଉଭୟ ଇଂଲଣ୍ଡ ଓ ୱେଷ୍ଟଇଣ୍ଡିଜ୍ ସହ ସମକକ୍ଷ ହୋଇଛି। ଭାରତ ୨୦୦୭ ଓ ୨୦୨୪ରେ ଟ୍ବେଣ୍ଟି-୨୦ ବିଶ୍ବକପ୍ ଜିତିଥିଲା ବେଳେ ଇଂଲଣ୍ଡ ୨୦୧୦ ଓ ୨୦୨୨ ଏବଂ ୱେଷ୍ଟଇଣ୍ଡିଜ୍ ୨୦୧୨ ଓ ୨୦୧୬ରେ ଏଭଳି ଐତିହାସିକ ସଫଳତା ଲାଭ କରିଛି।

କୋହଲିଙ୍କ ଆଇସିସି କୀର୍ତ୍ତି
ଚଳିତବର୍ଷର ଟ୍ବେଣ୍ଟି-୨୦ ବିଶ୍ବକପ୍ ଜିତି ମହାନ କ୍ରିକେଟର୍ ବିରାଟ କୋହଲି ଆଇସିସି ଟ୍ରଫି ଜିତିବାରେ ବିଶ୍ବ ରେକର୍ଡ କରିଛନ୍ତି। ୧୯ ବର୍ଷରୁ କମ୍ ବିଶ୍ବକପ୍ (୨୦୦୮), ଏକଦିବସୀୟ ବିଶ୍ବକପ୍ (୨୦୧୧), ଚାମ୍ପିଅନ୍ସ ଟ୍ରଫି (୨୦୧୩) ଓ ଟ୍ବେଣ୍ଟି-୨୦ ବିଶ୍ବକପ୍ (୨୦୨୪) ଜିତିବାରରେ ସେ ବିଶ୍ବର ଏକମାତ୍ର ଖେଳାଳି ହୋଇଛନ୍ତି। ସେହିଭଳି ଭାରତୀୟ ଅଧିନାୟକ ରୋହିତ ଶର୍ମା, ବାଂଲ‌ଦେଶର ସାକିବ-ଅଲ୍‌-ହାସନଙ୍କ ସହ ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ସମସ୍ତ ୯ଟି ଯାକ ସଂସ୍କରଣ ଖେଳିବାର ଗୌରବ ଅର୍ଜନ କରିଛନ୍ତି। ସେହିଭଳି ସେ ଜଣେ ଖେଳାଳି (୨୦୦୭) ଓ ଅଧିନାୟକ ଭାବେ (୨୦୨୪) ଟ୍ବେଣ୍ଟି-୨୦ ବିଶ୍ବକପ୍ ଜିତିବାରେ ପ୍ରଥମ ଓ ଏକମାତ୍ର ଖେଳାଳି ହୋଇଛନ୍ତି। ରୋହିତ ମଧ୍ୟ ଅଧିନାୟକ ଭାବେ ୫୦ ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟ ଜିତିଛନ୍ତି। ଏହି ମାଇଲଖୁଣ୍ଟ ଛୁଇଁବାରେ ସେ ମଧ୍ୟ ପ୍ରଥମ ଖେଳାଳି ‌ହୋଇଛନ୍ତି। କୋହଲି ମଧ୍ୟ ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟରେ ସର୍ବାଧିକ ଥର (୧୬) ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିଛନ୍ତି।

ଭାରତର ଅପରାଜେୟ ରେକର୍ଡ
ପୂରା ପ୍ରତିଯୋଗିତାରେ ଅପରାଜେୟ ରହି ବିଜେତା ହେବାରେ ଭାରତ ମଧ୍ୟ ପ୍ରଥମ ଦଳ ହୋଇଛି। ପୂର୍ବରୁ ଶ୍ରୀଲଙ୍କା (୨୦୦୯), ଅଷ୍ଟ୍ରେଲିଆ (୨୦୧୦), ଭାରତ (୨୦୧୪) ଓ ଦକ୍ଷିଣ ଆଫ୍ରିକା (୨୦୨୪) ଅପରାଜେୟ ରହିଥିଲେ ମଧ୍ୟ ଫାଇନାଲ୍‌ରେ ହାରିଥିଲେ। ସେହିଭଳି ଭାରତ ଏଥର ବି କୌଣସି ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ସର୍ବାଧିକ ସଂଖ୍ୟକ ମ୍ୟାଚ୍ ଜିତିବାର ଗୌରବ ହାସଲ କରିଛି। ଭାରତ ଏଥର ଲଗାତାର ୮ଟି ମ୍ୟାଚ୍ ଜିତିଛି। ଭାରତର ଯୁବ ଦ୍ରୁତ ବୋଲର ଅର୍ଶଦୀପ ସିଂହ, ଆଫଗାନିସ୍ତାନର ଫଜଲହକ୍ ଫାରୁକିଙ୍କ ସହ ଯୁଗ୍ମଭାବେ ସର୍ବାଧିକ ୧୭ ୱିକେଟ୍ ନେଇଛନ୍ତି। ଉଭୟ ୨୦୨୧ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଶ୍ରୀଲଙ୍କା ସ୍ପିନର ୱାନିନ୍ଦୁ ହସରଙ୍ଗା ନେଇଥିବା ୧୬ ୱିକେଟ୍ ରେକର୍ଡକୁ ଟପିଛନ୍ତି।

ସମ୍ବନ୍ଧିତ ଖବର