ସାଫ୍‌ ଚାମ୍ପିଅନ୍‌ସିପ୍‌ : ଆଜି ଭାରତ-କୁଏତ୍‌ ମୁକାବିଲା

ବେଙ୍ଗାଲୁରୁ: ଗ୍ରୁପ୍‌-ଏ ଟେବୁଲ ଶୀର୍ଷରେ ଥିବା ଦୁଇ ଦଳ ଆୟୋଜକ ଭାରତ ଓ କୁଏତ୍‌ ମଙ୍ଗଳବାର ବଙ୍ଗବନ୍ଧୁ ସାଫ୍‌ ଚାମ୍ପିଅନ୍‌ସିପ୍‌ର ଶେଷ ଗ୍ରୁପ୍‌ ମ୍ୟାଚ୍‌ରେ ମୁହାଁମୁହିଁ ହେବେ। ଏହି ମ୍ୟାଚ୍‌ ବେଙ୍ଗାଲୁରୁର ଶ୍ରୀ କାନ୍ତୀରଭା ଷ୍ଟାଡିୟମରେ ରାତି ୭.୩୦ରେ ଖେଳାଯିବ। ଉଭୟ ଦଳ ପଏଣ୍ଟ (୬) ଏବଂ ଗୋଲ୍‌ ବ୍ୟବଧାନ (+୬)ରେ ସମାନ ସ୍ତରରେ ରହି ସେମିଫାଇନାଲ୍‌ ସ୍ଥାନ ପକ୍କା କରିସାରିଛନ୍ତି। ତେଣୁ ଏହି ଦୁଇ ଦଳ ମଧ୍ୟରୁ ଯିଏ ଟେବୁଲ ଶୀର୍ଷରେ ରହିବ ସେହି ଦଳ ସେମିଫାଇନାଲ୍‌ରେ ଗ୍ରୁପ୍‌-ବି’ର ଦ୍ବିତୀୟ ଦଳକୁ ଭେଟିବ। ତେଣୁ ଉଭୟ ଦଳ ଆସନ୍ତା କାଲିର ମ୍ୟାଚ୍‌ ଜିତି ଶୀର୍ଷ ସ୍ଥାନ ଦଖଲ କରିବାକୁ ଚାହିବେ। ପୂର୍ବରୁ କୁଏତ୍‌କୁ ଭାରତ ୩ ଥର ଭେଟିଥିଲା ବେଳେ ଥରେ ଜିତିଛି ଓ ୨ ଥର ହାରିଛି। ଆବୁଧାବିରେ ଶେଷ ଥର ଲାଗି ଉଭୟ ଦଳ ୨୦୧୦ରେ ଏକ ବନ୍ଧୁତ୍ବପୂର୍ଣ୍ଣ ମ୍ୟାଚ୍‌ ଖେଳିଥିଲେ। ଏହି ମ୍ୟାଚ୍‌ରେ ଭାରତ ୧-୯ ଗୋଲ୍‌ ବ୍ୟବଧାନରେ ହାରିଥିଲା। ଭାରତ କେବଳ ୨୦୦୪ରେ କୁଏତ୍‌ ସିଟିରେ ଘରୋଇ ଦଳକୁ ୩-୨ରେ ପରାସ୍ତ କରିଥିଲା। ସଂପ୍ରତି କୁଏତ୍‌ର ବିଶ୍ବ ମାନ୍ୟତା ୧୪୩ ରହିଥିଲା ବେଳେ ଭାରତ ୯୯ରେ ରହିଛି। ପର୍ତୁଗିଜ୍‌ ମୁଖ୍ୟ ପ୍ରଶିକ୍ଷକ ରୁଇ ବେଣ୍ଟୋଙ୍କ ଅଧିନରେ କୁଏତ୍‌ ଗତ ୮ ମ୍ୟାଚ୍‌ରୁ ୭ ବିଜୟୀ ହୋଇଛି। ଅନ୍ୟପକ୍ଷରେ ସ୍ପେନ୍‌ର ଇଗୋର ଷ୍ଟିମାକ୍‌ଙ୍କ ପ୍ରଶିକ୍ଷଣରେ ଭାରତ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳୁଛି। ‘‘ଫଳାଫଳ ଅନୁଯାୟୀ ସେମିଫାଇନାଲ୍‌ରେ ଏକ ସହଜ ପ୍ରତିପକ୍ଷ ପାଇବା ଛଡ଼ା ଏଥିରେ ଆଉ କିଛି ନାହିଁ। ଅନ୍ୟ ମ୍ୟାଚ୍‌ ପରି ଖେଳିବୁ ଏବଂ ଜିତିବାକୁ ଚେଷ୍ଟା କରିବୁ। ଆରମ୍ଭରୁ ଗୋଲ୍‌ ଦେଇ ଆଗରେ ରହିବା ଆମର ଲକ୍ଷ୍ୟ। ଗତ ୮ ମ୍ୟାଚ୍‌ରେ ଆମ ଦୃଢ଼ ରକ୍ଷଣଭାଗ ପାଇଁ ଆରମ୍ଭରୁ ଗୋଲ୍‌ ବରଣ କରିନୁ।’’ ବୋଲି ଷ୍ଟିମାକ କହିଛନ୍ତି।

ସମ୍ବନ୍ଧିତ ଖବର