ସିଲି ପଏଣ୍ଟ୍‌: ନୂଆ ଲୁକ୍‌ରେ ଧୋନି

ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ‌ମହେନ୍ଦ୍ର ସିଂହ ଧୋନି ଏବେ ପୁଣି ଏକ ନୂଆ ଲୁକ୍‌ରେ ଆସିଛନ୍ତି। ସେଲିବ୍ରିଟି ହେୟାର ଷ୍ଟାଇଲିଷ୍ଟ ଆଲିମ୍‌ ହାକିମ୍‌ ସାମାଜିକ ଗଣମାଧ୍ୟମରେ ଧୋନିଙ୍କ ନୂଆ ଲୁକ୍‌ର ଏକ ଫଟୋ ସେୟାର କରିଛନ୍ତି। ଯାହାକୁ ତାଙ୍କ ପ୍ରଶଂସକମାନେ ବହୁମାତ୍ରାରେ ପସନ୍ଦ କରିଛନ୍ତି। କେତେକ ଏହି ନୂଆ ଷ୍ଟାଇଲ୍‌ ପାଇଁ ତାଙ୍କୁ ପ୍ରଶଂସା କରିଥିଲା ବେଳେ ପୂର୍ବାପେକ୍ଷା ସେ ଅଧିକ ଯୁବ ସୁଲଭ ହୋଇଯାଇଥିବା ପ୍ରତିକ୍ରିୟା ଦେଇଛନ୍ତି। ଆଇପିଏଲ୍‌ ସମୟରେ ‌ଧୋନି ଲମ୍ବା ଚୁଟି ରଖୁଥିବା ଦେଖାଯାଇଥିଲା ବେଳେ ଏବେ ସେ ଛୋଟ ଚୁଟି ରଖିଛନ୍ତି।

ଆଲିମ ହାକିମ୍ ହେଉଛନ୍ତି ଧୋନିଙ୍କ ନିୟମିତ ହେୟାର ଷ୍ଟାଇଲିଷ୍ଟ। ମଝିରେ ମଝିରେ ସେ ଧୋନିଙ୍କ ନୂଆ ଲୁକ୍‌ର ଫଟୋକୁ ସାମାଜିକ ଗଣମାଧ୍ୟମରେ ପୋଷ୍ଟ୍‌ କରିଥାନ୍ତି। ଧୋନି ମଧ୍ୟ ତାଙ୍କ ପ୍ରଶଂସକଙ୍କ ପାଇଁ ଚୁଟି ମାଧ୍ୟମରେ ଭଲ ଦେଖାଯିବା ପାଇଁ ନୂଆନୂଆ ଲୁକ୍‌ରେ ଆସୁଛନ୍ତି। ପୂର୍ବରୁ ଚୁଟି ସଜାଡ଼ିବାକୁ ତାଙ୍କୁ ଯେଉଁଠି ୨୦ ମିନିଟ୍‌ ସମୟ ଲାଗୁଥିଲା, ଏବେ ସେଠାରେ ଘଣ୍ଟାଏ ୧୦ ମିନିଟ୍‌ ସମୟ ଲାଗୁଥିବା ଧୋନି ଏକ ସାକ୍ଷତକାରରେ କହିଥିଲେ। ତେବେ ପ୍ରଶଂସକମାନେ ଏଭଳି ଲୁକ୍‌କୁ ପସନ୍ଦ କରୁଥିବାରୁ ସେ ହେୟାର ଷ୍ଟାଇଲ୍‌କୁ ନିୟମିତ ଅନ୍ତରାଳରେ ପରିବର୍ତ୍ତନ କରୁଛନ୍ତି। କିନ୍ତୁ ଏମିତି ଏକ ଦିନ ଆସିବ, ଯେତେବେଳେ ସକାଳୁ ଉଠିବି ଓ ବାସ୍‌ ଏତିକି କହିବା ସହ ସବୁ ଚୁଟି କାଟିଦେବି ବୋଲି ଉକ୍ତ ସାକ୍ଷାତକାରରେ କହିଥିଲେ।

ସମ୍ବନ୍ଧିତ ଖବର