ସୂର୍ଯ୍ୟ ମନେପକାଇଦେଲେ କପିଳଙ୍କ ୧୯୮୩ ଫାଇନାଲ୍ କ୍ୟାଚ୍: ଜିତିଲେ ‘କ୍ଷେତ୍ରରକ୍ଷକ ପଦକ’

ବ୍ରିଜଟାଉନ୍: ରବିବାରର ଭାରତ-ଦକ୍ଷିଣ ଆଫ୍ରିକା ଟ୍ବେଣ୍ଟି-୨୦ ବିଶ୍ବକପ୍ ଫାଇନାଲ୍‌ରେ ସୂର୍ଯ୍ୟକୁମାର ୟାଦବ ନେଇଥିବା ଡେଭିଡ୍ ମିଲର୍‌ଙ୍କ ଅବିଶ୍ବସନୀୟ କ୍ୟାଚ୍ କାଳଜୟୀ ଆଖ୍ୟା ପାଇଛି। ତାଙ୍କର ଏହି କ୍ୟାଚ୍‌କୁ ମଧ୍ୟ ୧୯୮୩ ଏକଦିବସୀୟ ବିଶ୍ବକପ୍ ଫାଇନାଲ୍‌ରେ ମହାନ ଭାରତୀୟ ଅଲରାଉଣ୍ଡର୍ କପିଳ ଦେବ ନେଇଥିବା ଭିଭିଆନ୍ ରିଚାର୍ଡସଙ୍କ କ୍ୟାଚ୍ ସହ ତୁଳନା କରାଯାଉଛି। ସେହିବର୍ଷର ଭାରତ-ଇଣ୍ଡିଜ୍ ଫାଇନାଲ୍‌ରେ କପିଳ ମିଡ୍‌ଅନ୍‌ରୁ ସୀମାରେଖା ଆଡ଼କୁ ପାଖାପାଖି ୨୫ ମିଟର ବାଟ ପଛୁଆ ଦୌଡ଼ି ୱେଷ୍ଟଇଣ୍ଡିଜ୍‌ର କିବଂଦନ୍ତି ବ୍ୟାଟର୍‌ ରିଚାର୍ଡସଙ୍କୁ କ୍ୟାଚ୍ ଆଉଟ୍ କରିଥି‌ଲେ। ଯାହା ମ୍ୟାଚ୍‌ର ମୋଡ଼ ବଦଳାଇ ଦେଇଥିଲା ଏବଂ ଭାରତ ଶେଷରେ ଶକ୍ତିଶାଳୀ ଇଣ୍ଡିଜ୍‌କୁ ହରାଇ ବିଶ୍ବବିଜେତା ହୋଇଥିଲା। ଏହି କ୍ୟାଚ୍ ଏବେବି ଦିନିକିଆ କ୍ରିକେଟ୍ ବିଶ୍ବକପ୍ ଫାଇନାଲର ଅନ୍ୟତମ ଶ୍ରେଷ୍ଠ କ୍ୟାଚ୍‌ର ମାନ୍ୟତା ପାଇଥାଏ। ଠିକ୍ ଏହିଭଳି ସୂର୍ଯ୍ୟ ନେଇଥିବା କ୍ୟାଚ୍‌ ମଧ୍ୟ ଭାରତକୁ ବିଶ୍ବକପ୍ ଦେଇଛି। ଏଣୁ ସୂର୍ଯ୍ୟ ୪୧ବର୍ଷ ତଳେ କପିଳ ନେଇଥିବା ସେହି ଅସାଧାରଣ କ୍ୟାଚ୍‌କୁ ମନେ ପକାଇଦେଲେ ବୋଲି କ୍ରିକେଟ୍‌ପ୍ରେମୀ ଚର୍ଚ୍ଚା କରୁଛନ୍ତି।

ସୂଚନାଯୋଗ୍ୟ ଯେ ରବିବାରର ଫାଇନାଲ୍‌ରେ ଦକ୍ଷିଣ ଆଫ୍ରିକାକୁ ବିଜୟ ପାଇଁ ଶେଷ ଓଭରରୁ ୧୬ ରନ୍‌ର ଦରକାର ଥିଲା। ହାର୍ଦିକ ପାଣ୍ଡ୍ୟାଙ୍କ ପ୍ରଥମ ବଲ୍‌କୁ ମିଲର୍‌ ମିଡ୍‌ୱିକେଟ୍ ଉପରେ ଛକା ମାରିବାକୁ ଚେଷ୍ଟା କରିଥିଲେ। ସୀମାରେଖା ପାଖରେ ପଇଁତରା ମାରୁଥିବା ସୂର୍ଯ୍ୟକୁମାର କିନ୍ତୁ ଭିନ୍ନ ଯୋଜନାରେ ଥିଲେ। ବଲ୍ ଉପରକୁ ଉଠିବା ଦେଖି ତତ୍‌କ୍ଷଣାତ୍ ସେ ଲଙ୍ଗ ଅଫ୍‌ରୁ ବିଜୁଳି ବେଗରେ ଦୌଡ଼ିଥିଲେ। ପୁଣି ସୀମା‌ରେଖା ବାହାରୁ ବଲ୍‌କୁ ଟାଣିଆଣି ପଡ଼ିଆ ଭିତରକୁ ଫିଙ୍ଗି ଦେଇଥିଲେ। ସେହିଭଳି ଦ୍ବିତୀୟ ପ୍ରୟାସରେ କ୍ୟାଚ୍ ପୂରଣ କରି ଭାରତ ବିଜୟକୁ ଏକପ୍ରକାର ପକ୍କା କରି ଦେଇଥିଲେ ସୂର୍ଯ୍ୟ। ଏହି କ୍ୟାଚ୍ ପାଇଁ ସୂର୍ଯ୍ୟ ଏବେ ସାରା କ୍ରିକେଟ୍ ଦୁନିଆରୁ ପ୍ରଶଂସା ସାଉଣ୍ଟୁଛନ୍ତି।

ବାର୍ବାଡସ୍‌: ଗତବ‌ର୍ଷର ଦିନିକିଆ ବିଶ୍ବକପ୍‌ଠାରୁ ଆରମ୍ଭ ହୋଇଥିବା ଶ୍ରେଷ୍ଠ କ୍ଷେତ୍ରରକ୍ଷକ ପଦକ ପ୍ରଦାନ ପରମ୍ପରାକୁ ଭାରତୀୟ ଦଳ ଏଥର ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ମଧ୍ୟ ଜାରି ରଖିଥିଲା। ଶନିବାର ରାତିରେ ଖେଳାଯାଇଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଫାଇନାଲ୍‌ରେ ଏକାଧିକ ଖେଳାଳି ମ୍ୟାଚ୍‌ ନିର୍ଣ୍ଣାୟକ ପ୍ରଦର୍ଶନ ‌ଦେଇଥିଲେ ମଧ୍ୟ ସୂର୍ଯ୍ୟକୁମାର ୟ‌ାଦବଙ୍କ କ୍ୟାଚ୍‌ ସବୁଠୁ ଟର୍ଣ୍ଣିଂ ପଏଣ୍ଟ୍ ଥିଲା ବୋଲି ସଭିଏ ହୃଦୟଙ୍ଗମ କରିଛନ୍ତି। ଶେଷ ଓଭର ପ୍ରଥମ ବଲ୍‌ରେ ବାଉଣ୍ଡରି ସେପାଖ ବଲ୍‌କୁ କ୍ୟାଚ୍‌ରେ ପରିଣତ କରି ଡେଭିଡ୍‌ ମିଲରଙ୍କୁ ଆଉଟ୍ କରିଥିବାରୁ ସୂର୍ଯ୍ୟଙ୍କୁ ଡ୍ରେସିଂ ରୁମ୍‌ରେ ବିସିସିଆଇ ସମ୍ପାଦକ ଜୟ ଶାହ ପଦକ ପ୍ରଦାନ ପୂର୍ବକ ଅଭିନନ୍ଦନ ଜଣାଇଥିଲେ।

‘‘ରାହୁଲ ଦ୍ରାବିଡ଼ ଭାଇ ଓ ରୋହିତ ଶର୍ମା ଭାଇଙ୍କ କହିବା ମୁତାବକ ସବୁ ଖେଳାଳି ନିଜ ନିଜ ଭୂମିକାକୁ ଭଲ ଭାବେ ଜାଣିଥିଲେ। ଆଗକୁ ଆସୁଥିବା ପ୍ରତିଟି ସୁଯୋଗକୁ ହାତେଇନେବାର ଦାୟିତ୍ବ ଥିଲା’’ ବୋଲି ପ୍ରକାଶ କରିଛନ୍ତି ଭାରତୀୟ ଦଳ କ୍ଷେତ୍ରରକ୍ଷଣ ପ୍ରଶିକ୍ଷକ ଟି ଦିଲୀପ। ପଦକ ଗ୍ରହଣ ପରେ ସୂର୍ଯ୍ୟକୁମାର କହିଥିଲେ ‘‘ଧନ୍ୟବାଦ ଦିଲୀପ ସାର୍‌, ଜୟ ସାର୍‌ଙ୍କଠାରୁ ଏହି ପଦକ ଗ୍ରହଣର ସ‌ୁଯୋଗ ଦେଇଥିବାରୁ। ଭଲ ଖେଳିଥିବାରୁ ସମସ୍ତଙ୍କୁ ଧନ୍ୟବାଦ’’। ଦଳଗତ ପ୍ରୟାସ କାରଣରୁ ବିଶ୍ବକପ୍‌ ବିଜୟ ସମ୍ଭବ ହେଲା ବୋଲି ମତପ୍ରକାଶ ପାଇଥିଲା।

ସମ୍ବନ୍ଧିତ ଖବର