ୱାକାର ୟୁନିସ୍‌ଙ୍କ ଚାଞ୍ଚଲ୍ୟକର ଦାବି: ଭାରତୀୟ ରାଜନେତାଙ୍କୁ ଆଫ୍ରିଦି ଅସମ୍ମାନ କରିଥିଲେ

ଲାହୋର: ଏକ ଟେଲିଭିଜନ୍ କାର୍ଯ୍ୟକ୍ରମରେ ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ୱାକାର ୟୁନିସଙ୍କ ଚାଞ୍ଚଲ୍ୟକାର ଦାବି ଭାରତ ସହ ପାକିସ୍ତାନରେ ମଧ୍ୟ ଆଲୋଡ଼ନ ସୃଷ୍ଟି କରିଛି। ପାକିସ୍ତାନର ପୂର୍ବତନ ଅଧିନାୟକ ତଥା ବିଶ୍ବ କ୍ରିକେଟ୍‌ର ଆଉ ଜଣେ ମହାନ ଦ୍ରୁତ ବୋଲର ୱା‌ସିମ ଆକ୍ରମଙ୍କ ଉପସ୍ଥିତିରେ ତାଙ୍କ ସାଥୀ କ୍ରିକେଟର୍ ତଥା ପାକିସ୍ତାନର ସବୁଠାରୁ ଚର୍ଚ୍ଚିତ ତାରକା ସାହିଦ ଆଫ୍ରିଦି ଏକଦା ଜଣେ ଭାରତୀୟ ରାଜନେତାଙ୍କୁ ଭାରତରେ ହିଁ ଅସମ୍ମାନ କରିଥିଲେ। ସୌଜନ୍ୟମୂଳକ ସାକ୍ଷାତକାର ସମୟରେ ସଂପୃକ୍ତ ରାଜନେତାଙ୍କ ହାତକୁ ଆଫ୍ରିଦି ଏତେ ଜୋର୍‌ରେ ଚିପି ଦେଇଥିଲେ ଯେ ବୟସ୍କ ରାଜନେତାଜଣକ ଯନ୍ତ୍ରଣାରେ ଛଟପଟ ହୋଇଯାଇଥିଲେ। ତେବେ ସେହି ଭାରତୀୟ ରାଜନେତା ଜଣକଙ୍କ ନାଁ କହିବାକୁ ମନା କରି ଦେଇଥିଲେ ୟୁନିସ।

ୟୁନିସ୍ କହିଥିଲେ, ମୋର ଭଲଭାବରେ ମନେ ଅଛି। ଆମେ ଭାରତ ଗସ୍ତରେ ଯାଇଥିଲୁ। ଯଦିଓ ମୁଁ ସେହି ରାଜନେତାଙ୍କ ନାଁ ଜାଣିଛି, କିନ୍ତୁ ତାଙ୍କ ନାଁ ନେବିନି। ସେ ଆମକୁ ଦେଖିବାକୁ ଓ ସ୍ବାଗତ କରିବାକୁ ଆସିଥିଲେ। ଆମେ ସମସ୍ତେ ଏକାଠି ବସିଥିଲୁ। ସେ ଆସିବା ପରେ ସମସ୍ତେ ଛିଡ଼ା ହୋଇଯାଇଥିଲୁ। ସେ ସମସ୍ତଙ୍କୁ ସ୍ବାଗତ କରିବା ସହ ଅଭିବାଦନ ଜଣାଇଥିଲେ। ଆଫ୍ରିଦି ନବାଗତ ଓ କନିଷ୍ଠ ଖେଳାଳି ହୋଇଥିବାରୁ ପଛରେ ଠିଆ ‌ହୋଇଥିଲେ। ସେ ଜଣେ ବୟସ୍କ ରାଜନେତା ହୋଇଥିବାରୁ ଆମେ ସମସ୍ତେ ଶାଳିନତାର ସହ କରମର୍ଦ୍ଦନ କରିଥିଲୁ। ଆଫ୍ରିଦିଙ୍କ ପାଳି ଆସିଲା ବେଳେ କିନ୍ତୁ ସେ ଏତେ ଜୋର୍‌ରେ କରମର୍ଦ୍ଦନ କରିଥିଲେ ଯେ ରାଜନେତାଜଣକ ଭିତରେ ଭିତରେ ଭୀଷଣ କଷ୍ଟ ଅନୁଭବ କରୁଥିବା ତାଙ୍କ ମୁହଁରୁ ସ୍ପଷ୍ଟ ଜଣାପଡ଼ୁଥିଲା।

ଏହା ଶୁଣି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଆକ୍ରମ ଓ ଅନ୍ୟତମ ବିବାଦୀୟ ପାକିସ୍ତାନୀ ଦ୍ରୁତ ବୋଲର ହସିହସି ବେଦମ୍‌ ହୋଇଯାଇଥିଲେ। ୟୁନିସ୍ କିନ୍ତୁ ଏଭଳି ଘଟଣା କେବେକାର ଓ କେଉଁ ଗସ୍ତର ତା’ଉପରୁ ପରଦା ଉଠାଇ ନଥିଲେ। ତେବେ ଏହି ଘଟଣା ପାକିସ୍ତାନର ୧୯୯୭ ମସିହା ଭାରତ ଗସ୍ତ ସମୟରେ ଘଟିଥିଲା ବୋଲି ଅନୁମାନ କରାଯାଉଛି। କାରଣ ଜଣେ କିଶୋର କ୍ରିକେଟର୍‌ ଭାବେ ଆଫ୍ରିଦି ଏହି ଗସ୍ତରେ ପାକିସ୍ତାନ ଦିନିକିଆ ଦଳରେ ସ୍ଥାନ ପାଇ ପ୍ରଥମ ଥର ଲାଗି ଭାରତ ଆସିଥିଲେ। ଦୁଇବର୍ଷ ପରେ ସେ ଟେଷ୍ଟ୍ ଜୀବନ ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ସେ ବିଶ୍ବ କ୍ରିକେଟ୍‌ରେ ବେଶ୍ ନାଁ କମାଇଥିଲେ। ତେବେ ଅନେକ ସମୟରେ ଭାରତ ବିରୋଧରେ ମନ୍ତବ୍ୟ ଦେଇ ବିବାଦୀୟ ହୋଇଥିଲେ। ଅବସର ପରେ ମଧ୍ୟ ତାଙ୍କର ଏହି ଭାରତ ବିରୋଧୀ ଭାବନାରେ କୌଣସି ପରିବର୍ତ୍ତନ ‌ହୋଇନାହିଁ।

ସମ୍ବନ୍ଧିତ ଖବର