ମହିଳା ଟେଷ୍ଟ୍‌ରେ ଭାରତର ସର୍ବୋଚ୍ଚ ସ୍କୋର

ଚେନ୍ନାଇ: ଏଠାରେ ଚାଲିଥିବା ଭାରତ-ଦକ୍ଷିଣ ଆଫ୍ରିକା ମହିଳା ଟେଷ୍ଟ୍‌ର ପ୍ରଥମ ଦିନରେ ଏକାଧିକ ରେକର୍ଡ ହୋଇଥିଲା। ଟେଷ୍ଟ୍‌ କ୍ରିକେଟ୍‌ ଆରମ୍ଭ ହେବାର ୧୪୭ ବର୍ଷ ମଧ୍ୟରେ ଭାରତୀୟ ମହିଳା ଦଳ ପ୍ରଥମ ଥର ଗୋଟିଏ ଦିନରେ ୫୨୫ ରନ୍‌ ସଂଗ୍ରହ କରିଥିଲା। ଶନିବାର ଦ୍ବିତୀୟ ଦିନରେ ଭାରତ ସର୍ବୋଚ୍ଚ ସ୍କୋର୍‌ କ୍ଷେତ୍ରରେ ଆଉ ଏକ କୀର୍ତ୍ତିମାନ କରିଛି। ଦ୍ବିତୀୟ ଦିନରେ ଭାରତ ୬୦୩/୬ରେ ପ୍ରଥମ ପାଳି ଘୋଷଣା କରିଛି। ଏହାଫଳରେ ଭାରତ ମହିଳା ଟେଷ୍ଟ୍‌ରେ ସର୍ବୋଚ୍ଚ ଦଳଗତ ସ୍କୋରର କୀର୍ତ୍ତିମାନ କରିଛି। ପୂର୍ବରୁ ଚଳିତ ବର୍ଷ ପର୍ଥରେ ଅଷ୍ଟ୍ରେଲିଆ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ରେ ଘରୋଇ ଦଳ କରିଥିବା ୫୭୫/୯କୁ ଏହା ପଛରେ ପକାଇ ଦେଇଛି। ଅନ୍ୟପକ୍ଷରେ ଗୋଟିଏ ଦିନରେ ସର୍ବୋଚ୍ଚ ସ୍କୋର ପୂର୍ବରୁ ଶ୍ରୀଲଙ୍କା ପୁରୁଷ କ୍ରିକେଟ୍‌ ଦଳ (ବନାମ ବାଂଲ‌ାଦେଶ, ୨୦୨୨) ନାମରେ ଥିଲା। ମହିଳା କ୍ରିକେଟ୍‌ରେ ଇଂଲଣ୍ଡ (ବନାମ ନ୍ୟୁଜିଲାଣ୍ଡ, ୧୯୩୫) ଏହି କୀର୍ତ୍ତିମାନର ଅଧିକାରୀ ଥିଲା। ଏବେ ଭାରତ ଚେନ୍ନାଇ ଟେଷ୍ଟ୍‌ର ପ୍ରଥମ ଦିନରେ ଇତିହାସ ରଚିଥିଲା ବେଳେ ଦ୍ବିତୀୟ ଦିନରେ ମଧ୍ୟ ମହିଳା କ୍ରିକେଟ୍‌ର ସର୍ବୋଚ୍ଚ ସ୍କୋର କରି ଆଉ ଏକ ଇତିହାସ ରଚିଛି। ଏଠାରେ ଦ୍ବିତୀୟ ଦିନର ଷ୍ଟମ୍ପ୍ସ ‌ବେଳକୁ ଭ୍ରମଣକାରୀ ଦଳ ପ୍ରଥମ ପାଳିରେ ୭୨ ଓଭର ଖେଳିବା ସହ ୨୩୬/୪ ସ୍କୋର କରିଛି। ମାରିଜାନେ କାପ୍‌ ୬୯* ଓ ନଦିନେ ଡିକ୍ଲର୍କ ୨୭* ରନ୍‌ କରି ଅପରାଜିତ ଅଛନ୍ତି। ସ୍ନେହ ରାଣା ୩ ଓ ଦୀପ୍ତି ଶର୍ମା ୧ ୱିକେଟ୍‌ ଅକ୍ତିଆର କରିଛନ୍ତି।

ପ୍ରଥମ ଦିନର ଦୁଇ ଅପରାଜିତ ବ୍ୟାଟର୍‌ ହର୍ମନପ୍ରୀତ୍‌ କୌର ଓ ରୀଚା ଘୋଷ ଦ୍ବିତୀୟ ଦିନରେ ନିଜନିଜର ଅର୍ଦ୍ଧଶତକ ଅର୍ଜନ କରିଥିଲେ। ପଞ୍ଚମ ୱିକେଟ୍‌ରେ ୧୪୩ ରନ୍‌ ଭାଗୀଦାରି ହେବା ପରେ ହର୍ମନପ୍ରୀତ୍‌ (୬୯)ଙ୍କୁ ତୁମି ସେଖୁଖୁନେ ଏଲ୍‌ବିଡବ୍‌ଲ୍ୟୁ କରିବାରୁ ଯୋଡ଼ି ଭାଙ୍ଗିଥିଲା। ଦୁଇ ଓଭର ପରେ ରୀଚା (୮୬) ମଧ୍ୟ ନନ୍‌କୁଲୁଲେକୋ ଏମ୍‌ଲାବାଙ୍କ ଦ୍ବାରା ସମାନ ଢଙ୍ଗରେ ଆଉଟ୍‌ ହେବାରୁ ଭାରତ ପାଳି ଘୋଷଣା କରିଥିଲା। ଦକ୍ଷିଣ ଆଫ୍ରିକା ମଧ୍ୟ ଭାରତକୁ ଭଲ ଟକ୍କର ଦେଇଥିଲା। କିନ୍ତୁ ଏହି ପାଳିର ଅଷ୍ଟମ ଓଭରରେ ଅଧିନାୟିକା ଲୌରା ଉଲ୍‌ଭାର୍ଡାଟ୍‌ଙ୍କୁ ସ୍ନେହ ରାଣା ଆଉଟ୍‌ କରିବାରୁ ଭାରତକୁ ପ୍ରାରମ୍ଭିକ ସଫଳତା ମିଳିଥିଲା। କିନ୍ତୁ ଦ୍ବିତୀୟ ୱିକେଟ୍‌ ନେବାକୁ ଭାରତୀୟ ବୋଲରଙ୍କୁ ୨୨ ଓଭର ଅପେକ୍ଷା କରିବାକୁ ପଡ଼ିଥିଲା। ଅନ୍ୟତମ ପ୍ରାରମ୍ଭିକ ବ୍ୟାଟର୍‌ ଆନେକେ ବୋସ୍କ (୩୯) ଙ୍କୁ ସ୍ନେହ ଆଉଟ୍ କରି ଦ୍ବିତୀୟ ସଫଳତା ପାଇଥିଲେ। କିନ୍ତୁ ସୁନେ ଲୁସ୍‌ ଓ ମାରିଜାନେ କାପ୍‌ ଭାରତୀୟ ବୋଲରଙ୍କୁ ଅଧିକ ସୁଯୋଗ ନଦେଇ ଚା’ପାନ ବିରତି ଅତିକ୍ରମ କରାଇଥିଲେ।

ଦିନର ଖେଳ ଶେଷ ହେବା ପୂର୍ବରୁ ଅର୍ଦ୍ଧଶତକ ଅର୍ଜନ କରିଥିବା ଲୁସ୍‌ (୬୫)ଙ୍କ ସହ ଡେଲ୍‌ମି ଟକର (୦) ଆଉଟ୍‌ ହେବାରୁ ଭାରତ ଦ୍ବିତୀୟ ଦିନରେ ୩୬୭ ରନ୍‌ରେ ଆଗୁଆ ଅଛି।

ସଂକ୍ଷିପ୍ତ ସ୍କୋର୍‌: ଭାରତ ୧୧୫.୧ ଓଭରରେ ୬୦୩/୬ (ଶେଫାଳି ବର୍ମା ୨୦୫, ସ୍ମୃତି ମନ୍ଧାନା ୧୪୯, ଜେମିମି ରଡ୍ରିଗୁଏଜ ୫୫, ହର୍ମନପ୍ରୀତ କୌର ୬୯, ରୀଚା ଘୋଷ ୫୬, ଡେଲ୍‌ମି ଟକ୍କର ୨/୧୪୧, ତୁମି ସେଖୁଖୁନେ ୧/୭୦, ନଦିନେ ଡି’କ୍ଲର୍କ ୧/୭୯)। ଦକ୍ଷିଣ ଆଫ୍ରିକା ୭୨ ଓଭରରେ ୨୩୬/୪ (ମାରିଜାନେ କାପ୍‌ ୬୯*, ସୁନେ ଲୁସ୍‌ ୬୫, ଆନେକ ବେସ୍କ ୩୯, ସ୍ନେହ ରାଣା ୩/୬୧, ଦୀପ୍ତି ଶର୍ମା ୧/୪୦)।

ସମ୍ବନ୍ଧିତ ଖବର