ମହିଳା ଟେଷ୍ଟ୍‌: ଫଲୋଅନ୍‌ ପରେ ଲଢ଼ିଲା ଦକ୍ଷିଣ ଆଫ୍ରିକା

୮ ୱିକେଟ୍‌ ନେବାରେ ସ୍ନେହା ଦ୍ବିତୀୟ ଭାରତୀୟ

ଚେନ୍ନାଇ: ସ୍ଥାନୀୟ ଚେପକ ଷ୍ଟାଡିୟମ୍‌ରେ ଚାଲିଥିବା ଘରୋଇ ଭାରତ ବିପକ୍ଷ ଏକମାତ୍ର ମହିଳା ଟେଷ୍ଟ୍‌ରେ ଦକ୍ଷିଣ ଆଫ୍ରିକା ଫଲୋଅନ୍‌‌ ପରେ ଲଢ଼ୁଆ ବ୍ୟାଟିଂ କରିଛି। ଭ୍ରମଣକାରୀ ଦଳ ତୃତୀୟ ଦିନର ଷ୍ଟମ୍ପ୍ସ ଅପସାରଣ ବେଳକୁ ୨୩୨/୨ କରି ୧୦୫ ରନ୍‌ରେ ପଛରେ ରହିଛି। ଲୌରା ୱଲଭାର୍ଟ (୯୩*) ଓ ମାରିଜାନ କାପ୍‌ (୧୫*) ବ୍ୟାଟିଂ କରୁଛନ୍ତି। ଭାରତର ୬୦୩/୬ ଜବାବରେ ଦକ୍ଷିଣ ଆଫ୍ରିକାର ପ୍ରଥମ ପାଳି ୨୬୬ ରନ୍‌ରେ ଅଟକି ଯାଇଥିଲା। ଭାରତୀୟ ଅଫ୍‌ସ୍ପିନର ସ୍ନେହା ରାଣାଙ୍କ ୮/୭୭ ସଫଳତା ଯୋଗୁଁ ଦକ୍ଷିଣ ଆଫ୍ରିକା ପ୍ରଥମ ପାଳିରେ ଧରାଶାୟୀ ହୋଇଯାଇଥିଲା। ଦ୍ବିତୀୟ ପାଳି ଆରମ୍ଭରୁ ପ୍ରଥମ ୱିକେଟ୍‌ ୧୬‌ ରନ୍‌ରେ ଓପନର୍‌ ଆନେକ ବୋଚ୍‌ (୯)ଙ୍କୁ ହରାଇଥିଲା। ଏହାପରେ ଅଧିନାୟିକା ଲୌରା ୱଲଭାର୍ଟ ଓ ସୁନ୍‌ ଲୁସ ଦ୍ବିତୀୟ ୱିକେଟ୍‌ରେ ୧୯୦ ରନ୍‌ର ଭାଗୀଦାରି ଗଢ଼ି ସ୍ଥିତି ସମ୍ଭାଳି ନେଇଥିଲେ। ‌ଲୁସ୍‌ (୧୦୯)ଙ୍କୁ ଭାରତୀୟ ଅଧିନାୟିକା ହର୍ମନପ୍ରୀତ କୌର ବୋଲ୍ଡ କରି ଦେଇଥିଲେ। ଲୁସ୍‌ଙ୍କ ଏହା ପ୍ରଥମ ଶତକ ‌ହୋଇଥିଲା ବେଳେ ଭାରତ ବିପକ୍ଷରେ ଟେଷ୍ଟ୍‌ ଶତକ ଅର୍ଜନ କରିବାରେ ଦ୍ବିତୀୟ ଦକ୍ଷିଣ ଆଫ୍ରିକା ଖେଳାଳି ହୋଇଛନ୍ତି। ତାଙ୍କ ପୂର୍ବରୁ ୨୦୧୪ରେ ମହୀଶୂରରେ ମିଗୁନ ଡୁ’ପ୍ରେଜ୍‌ (୧୦୨) ଭାରତ ବିପକ୍ଷରେ ଶତକ ଅର୍ଜନ କରିଥିଲେ।

ପୂର୍ବରୁ ଗତ କାଲିର ସ୍କୋର୍‌ ୨୩୬/୪ରୁ ରବିବାର ଖେଳ ଆରମ୍ଭ କରିଥିବା ଦକ୍ଷିଣ ଆଫ୍ରିକା ଏଥିରେ ୩୦ ରନ୍‌ ଯୋଡ଼ି ବଳକା ୬ ୱିକେଟ୍‌ ହରାଇଥିଲା। ଦଳୀୟ ସ୍କୋର୍‌ ୨୪୯ ଥିଲା ବେଳେ ‌କାପ (୭୪) ଓ ସିନାଲୋ ଜାଫ୍‌ଟା (୦)ଙ୍କୁ ଆଉଟ୍‌ କରି ଦକ୍ଷିଣ ଆଫ୍ରିକାକୁ ଡବଲ୍‌ ଝଟ୍‌କା ଦେଇଥିଲେ। ଏହାପରେ ଆନେରି ‌ଡର୍କସେନ (୫)ଙ୍କୁ ଦୀପ୍ତି ଆଉଟ୍‌ କରିଥିଲା ବେଳେ ଶେଷ ୩ ୱିକେଟ୍‌ ସ୍ନେହା ନେଇ ୮ ୱିକେଟ୍‌ ସଫଳତା ପାଇଥିଲେ। ସ୍ନେହାଙ୍କ ଏହି ସଫଳତା ମହିଳା ଟେଷ୍ଟ୍‌ ପାଳିରେ ଭାରତର ‌ଦ୍ବିତୀୟ ‌ଶ୍ରେ‌ଷ୍ଠ ପ୍ରଦର୍ଶନ। ୧୯୯୫ରେ ଇଂଲଣ୍ଡ ବିପକ୍ଷରେ ନୀତୁ ଡେଭିଡଙ୍କ ୮/୫୩ ସଫଳତା ଶ୍ରେଷ୍ଠ ହୋଇ ରହିଛି। ମୋଟ ଉପରେ ରଣା ତୃତୀୟରେ ରହିଥିଲା ବେଳେ ଅଷ୍ଟ୍ରେଲିଆର ଆସ୍‌ଲେ ଗାର୍ଡନର (୮/୬୬) ଦ୍ବିତୀୟରେ ରହିଛନ୍ତି।

ସମ୍ବନ୍ଧିତ ଖବର