ବିଶ୍ବ ବିଶ୍ବବିଦ୍ୟାଳୟ ‌ଚେସ୍‌: ସାଇନାଙ୍କୁ ରୌପ୍ୟ

ଭୁବନେଶ୍ବର: ଓଡ଼ିଆ ଝିଅ ସାଇ ସାଇନା ସଲୋନିକା ଉଗାଣ୍ଡାରେ ଆୟୋଜିତ ଏଫ୍‌ଆଇଏସ୍‌ୟୁ ବିଶ୍ବ ବିଶ୍ବବିଦ୍ୟାଳୟ ଚେସ୍‌ ପ୍ରତିଯୋଗିତାରେ ରୌପ୍ୟ ପଦକ ଜିତିଛନ୍ତି। ତାଙ୍କ ଭାରତୀୟ ସାଥୀ ଆକାଂକ୍ଷା ହାଗାୱାନେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଫଳରେ ଏହି ପ୍ରତିଯୋଗିତାରେ ଭାରତ ୧-୨ ସଫଳତା ପାଇଛି। ରବିବାର ମହିଳା କ୍ଲାସିକ୍‌ ବର୍ଗର ଫାଇନାଲ୍‌ ତଥା ନବମ ରାଉଣ୍ଡ ପରସ୍ପର ବିରୋଧରେ ଖେଳି ଆକାଂକ୍ଷା ଓ ସାଇନା ଅମୀମାଂସିତ ରଖିଥିଲେ। ଫଳରେ ଉଭୟ ସମାନ ୬.୫ ପଏଣ୍ଟ ପାଇଥିଲେ ମଧ୍ୟ ଆକାଂକ୍ଷା ଆଗରେ ରହି ସ୍ବର୍ଣ୍ଣ ଜିତିଥିଲେ। ଭାରତର ଅନ୍ୟ ଦୁଇ ଖେଳାଳି ମୋକ୍ଷଦା ମହାଜନ ଓ ଓଡ଼ିଶାର ଜୁନୁ ବିରୁଆ (୪.୫ ପଏଣ୍ଟ୍‌) ଯଥାକ୍ରମେ ୧୭ ଓ ୧୮ତମ ସ୍ଥାନରେ ରହି ଅଭିଯାନ ଶେଷ କରିଥିଲେ। ସାଇନା ଦିଲ୍ଲୀ ବିଶ୍ବବିଦ୍ୟାଳୟ ଏବଂ ଜୁନୁ କିଟ୍‌ ବିଶ୍ବବିଦ୍ୟାଳୟ ଛାତ୍ରୀ।

ଆକାଂକ୍ଷା ଓ ମୋକ୍ଷଦା ପୁଣେସ୍ଥିତ ଭାରତୀୟ ବିଦ୍ୟାପୀଠରେ ପଢ଼ୁଛନ୍ତୁ। ବିଶ୍ବ ପ୍ରତିଯୋଗିତାରେ ଭାରତରୁ ଏହି ୪ ଖେଳାଳିଙ୍କ ସହ କିଟ୍‌ର ଶେଖର ଚନ୍ଦ୍ର ସାହୁ (ମୁଖ୍ୟପ୍ରଶିକ୍ଷକ) ଓ ଲକି ରାଣୀ ପାତ୍ର (ଅଫିସିଆଲ୍‌) ଯୋଗ ଦେଇଥିଲେ। ଏହି ସଫଳତା ଲାଗି କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଏବଂ ଭାରତୀୟ ବିଶ୍ବବିଦ୍ୟାଳୟ ସଂଘର କ୍ରୀଡ଼ା ସମ୍ପାଦକ ବଲଜିତ ସିଂହ ସେଖୋନ ଖେଳାଳିମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର