ପଶ୍ଚିମବଙ୍ଗ ଜବରଦଖଲକାରୀଙ୍କୁ ତଡ଼ିଲା ବାଲେଶ୍ବର ପ୍ରଶାସନ

ଭୋଗରାଇ/ଚନ୍ଦନେଶ୍ୱର/ଉଦୟପୁର : ସୀମାନ୍ତ ଭୋଗରାଇ ବ୍ଲକ୍‌ ଉଦୟପୁର ବେଳାଭୂମିରେ ବେଆଇନ କାରବାର ଚଳାଇଥିବା ଜବରଦଖଲକାରୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛି ବାଲେଶ୍ବର ଜିଲ୍ଲା ପ୍ରଶାସନ। ଏଠାରେ ନିର୍ମିତ ଶତାଧିକ ଦୋକାନ, ନିଶା ବ୍ୟବସାୟୀ ଓ ରୂପଜୀବୀଙ୍କ ଅସ୍ଥାୟୀ ଘରଗୁଡ଼ିକୁ ଆଜି ଭାଙ୍ଗି ଦିଆଯାଇଛି। କେବଳ ସେତିକି ନୁହେଁ, ମୁକୁଳା ପଡ଼ିଥିବା ଓଡ଼ିଶା-ପଶ୍ଚିମବଙ୍ଗ ପୂର୍ବ ନିର୍ଦ୍ଧାରିତ ସୀମାରେ ତାରବାଡ଼ ମଧ୍ୟ ବସାଯାଇଛି।

ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ୍‌ ସାହାବାଜିପୁର ପଞ୍ଚାୟତ ଅଧୀନ ଉଦୟପୁର ବେଳାଭୂମିର ଅନେକ ଜାଗାକୁ ଦୀର୍ଘ ବର୍ଷ ଧରି ପଡ଼ୋଶୀ ପଶ୍ଚିମବଙ୍ଗ ଓ ସ୍ଥାନୀୟ ଅଞ୍ଚଳର କିଛି ଯୁବକ ଜବରଦଖଲ କରି ରଖିଥିଲେ। ସେଠାରେ ସେମାନେ ବିଭିନ୍ନ ପ୍ରକାର ଦୋକାନ ଖୋଲିବା ସହ ବେଆଇନ୍ ନିଶା କାରବାର ଓ ଦେହ ବ୍ୟବସାୟ ଚଳାଇଥିଲେ। ଯାହାଫଳରେ ସ୍ଥାନୀୟ ଲୋକ ଓ ମତ୍ସ୍ୟଜୀବୀ ନାନା ସମସ୍ୟାର ସମ୍ମୁଖୀନ ହେଉଥିଲେ। ଏ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ବାଲେଶ୍ୱର ଜିଲ୍ଲାପାଳଙ୍କଠାରେ ଦାବି ହୋଇ ଆସୁଥିଲା। ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଧେ କାର୍ଯ୍ୟାନୁଷ୍ଠାନ ନେବାକୁ ଭୋଗରାଇ ତହସିଲଦାର ସୁଶାନ୍ତ ପଟ୍ଟନାୟକଙ୍କୁ ନିର୍ଦ୍ଦେଶ ଦେବା ପରେ ଗତକାଲି ତହସିଲଦାର ଶ୍ରୀ ପଟ୍ଟନାୟକଙ୍କ ସହ ଅବକାରୀ ବିଭାଗ କର୍ମଚାରୀ ଓ ତାଳସାରୀ ସାମୁଦ୍ରିକ ଥାନା କର୍ମଚାରୀ ମିଳିତ ଭାବେ ଉଦୟପୁର ବେଳାଭୂମିରେ ଚଢ଼ାଉ କରି ୧୫ ପେଟି ବିଦେଶୀ ମଦ ଜବତ କରିଥିଲେ। ଏହି ସମୟରେ କିଛି ଯୁବକ ତହସିଲଦାରଙ୍କୁ ଘେରିଯିବା ସହ ଧମକଚମକ ମଧ୍ୟ ଦେଇଥିଲେ। ତେବେ ଉକ୍ତ ଘଟଣା ପରେ ଜିଲ୍ଲା ପ୍ରଶାସନ ଆକ୍ସନ ମୁଡ୍‌କୁ ଆସିଥିଲା। ଜିଲ୍ଲାପାଳ ଶ୍ରୀ ସିନ୍ଦେ ଓ ଏସ୍‌ପି ସାଗରିକା ନାଥଙ୍କ ନିର୍ଦ୍ଦେଶକ୍ରମେ ବେଳାଭୂମିରେ ଜବରଦଖଲ କରି ନିର୍ମିତ ହୋଇଥିବା ୧୦୦ରୁ ଅଧିକ ଦୋକାନ ସହ ନିଶା ବ୍ୟବସାୟୀ ଓ ରୂପଜୀବୀଙ୍କ ଏକାଧିକ ଅସ୍ଥାୟୀ ଘରକୁ ଆଜି ଜେସିବି ଲଗାଇ ଭାଙ୍ଗି ଦିଆଯାଇଛି। କେବଳ ସେତିକି ନୁହେଁ, ମୁକୁଳା ପଡ଼ିଥିବା ଓଡ଼ିଶା-ପଶ୍ଚିମବଙ୍ଗ ପୂର୍ବ ନିର୍ଦ୍ଧାରିତ ସୀମାରେ ବାଲେଶ୍ବର ପ୍ରଶାସନ ପକ୍ଷରୁ ତାରବାଡ଼ ବସାଯାଇଛି।

ସମ୍ବନ୍ଧିତ ଖବର