‘ଗଣତନ୍ତ୍ରରେ ସେବା ଓ ବିନମ୍ରତାର ବିକଳ୍ପ ନାହିଁ’

ବିରୋଧୀଙ୍କୁ ତେର୍‌ଚ୍ଛା ମାଡ଼ ଦେଲେ ନବୀନ

ବିଜେଡି ଅଫିସରେ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ

ଭୁବନେଶ୍ୱର : ବିଜେଡି ପକ୍ଷରୁ ଆୟୋଜିତ ବିଜୁ ଜୟନ୍ତୀରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ନା ବିରୋଧୀଙ୍କ ସମାଲୋଚନା କରିଛନ୍ତି ନା କେନ୍ଦ୍ରକୁ ଟାର୍ଗେଟ୍‌ କରିଛନ୍ତି। କିନ୍ତୁ ବିଜେପୁର ଉପନିର୍ବାଚନ ବିଜୟ କଥା ଉଠାଇ ବିରୋଧୀଙ୍କୁ ତେରେଚ୍ଛା ମାଡ଼ ଦେଇଛନ୍ତି। କହିଛନ୍ତି, ‘ବିଜେପୁରବାସୀ ଆମକୁ ଏହି ବାର୍ତ୍ତା ଦେଇଛନ୍ତି ଯେ ଗଣତନ୍ତ୍ରରେ ସେବା ଓ ବିନମ୍ରତାର ବିକଳ୍ପ ନାହିଁ।’ ‘ସେବା’ କଥା କହି ରାଜ୍ୟ ସରକାରଙ୍କ ସଫଳତାକୁ ଇଙ୍ଗିତ କରିଥିଲା ବେଳେ ‘ବିନମ୍ରତା’ କଥା କହି ବିରୋଧୀମାନଙ୍କ ନିକଟରେ ବିନମ୍ରତାର ଅଭାବ ଅଛି ବୋଲି ପରୋକ୍ଷରେ ସୂଚାଇ ଦେଇଛନ୍ତି।

ଦଳୀୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ଉତ୍ସବରେ ଅଧ୍ୟକ୍ଷତା କରି ଶ୍ରୀ ପଟ୍ଟନାୟକ କହିଥିଲେ, ବିଜେପୁର ବିଜୟ ପରେ ଆମକୁ ଆମର ସେବା କାର୍ଯ୍ୟକ୍ରମକୁ ନିଷ୍ଠାର ସହ ଜାରି ରଖିବାକୁ ହେବ। ପ୍ରତି ଗାଁ, ପ୍ରତି ପରିବାର ସହ ଯୋଡ଼ି ହୋଇ ବିକାଶ କାମକୁ ଆଗକୁ ନେବାକୁ ସେ ଆହ୍ଵାନ ଦେଇଥିଲେ।

ବିଜୁ ବାବୁଙ୍କ ସ୍ମୃତିଚାରଣ କରି ଶ୍ରୀ ପଟ୍ଟନାୟକ କହିଥିଲେ, ବିଜୁ ବାବୁ ଥିଲେ ସାହସୀ ଓ ସ୍ୱାଭିମାନୀ। ମହିଳା ସଶକ୍ତିକରଣ ଠାରୁ ଆରମ୍ଭ କରି ପଞ୍ଚାୟତକୁ ଶକ୍ତିଶାଳୀ କରିବା ଓ ପ୍ରଶାସନିକ ସଂସ୍କାର କରି ପ୍ରଶାସନକୁ ଲୋକଙ୍କ ନିକଟରେ ପହଞ୍ଚାଇବା ପରି ଐତିହାସିକ ପଦକ୍ଷେପ ନେଇ ସେ କିମ୍ବଦନ୍ତୀ ହୋଇଯାଇଛନ୍ତି। ବିଜୁ ବାବୁଙ୍କ ବଡ଼ ଏଜେଣ୍ଡା ଥିଲା ବିକାଶ ଓ ସଶକ୍ତିକରଣ। ତେଣୁ ତାଙ୍କ ସ୍ମୃତିରେ ଆଜି ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।

ଏହି ଜୟନ୍ତୀ ସମାରୋହରେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଅଶୋକ ଚନ୍ଦ୍ର ପଣ୍ଡା, ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ର, ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ନରେନ୍ଦ୍ର ସ୍ୱାଇଁ, ବିଧାୟକ ବିଜୟ ମହାନ୍ତି, ପ୍ରିୟଦର୍ଶୀ ମିଶ୍ର, ମେୟର ଅନନ୍ତ ନାରାୟଣ ଜେନା, ରାଜ୍ୟ ସମ୍ପାଦକ ବିଜୟ ନାୟକ, ଯୁବ ବିଜେଡି ସଭାପତି ଅମରେଶ ପତ୍ରୀ, ଛାତ୍ର ବିଜେଡି ସଭାପତି ରାଣାପ୍ରତାପ ପାତ୍ର, ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁଲି ମିଶ୍ର, କାର୍ଯ୍ୟକାରୀ ସଭାପତି ବାବୁ ସିଂହ, ଡେପୁଟି ମେୟର କେ ଶାନ୍ତି ଓ ମହିଳା ବିଜେଡି ଜିଲ୍ଲା ସଭାନେତ୍ରୀ ଭାରତୀ ସିଂହ ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀ ଆସିବା ପୂର୍ବରୁ ଦଳର ଯୁବ ଶାଖାର କର୍ମକର୍ତ୍ତାମାନେ ଉଦ୍‌ବୋଧନ ଦେଇଥିଲେ।

ସମ୍ବନ୍ଧିତ ଖବର