ବାହାନଗା ରେଳ ଦୁର୍ଘଟଣାର ଯାଞ୍ଚ ରିପୋର୍ଟ: କାଳ ହେଲା ସିଗ୍‌ନାଲ୍‌ ଓ ଟେଲି କମ୍ୟୁନିକେସନ୍ ବିଭାଗର ତ୍ରୁଟି

ସର୍କିଟ୍‌ ଡାଇଗ୍ରାମ୍‌ ନଥିଲା, ଇଏଲ୍‌ବି ମରାମତି ଓ ସିଗ୍‌ନାଲିଂ ସର୍କିଟ୍‌ ବଦଳାଯିବା ବେଳେ ଗଡ଼ବଡ଼

ବାଲେଶ୍ବର: ଟ୍ରାକ୍‌ରେ କିଛି ଅସୁବିଧା ନଥିଲା। ସମସ୍ୟାଟି ଥିଲା ସିଗ୍‌ନାଲ୍‌ ଓ ଟେଲି ଯୋଗାଯୋଗ ବିଭାଗରେ। ଷ୍ଟେସନ୍‌ ମ୍ୟାନେଜର, ସିଗନାଲ ଇଞ୍ଜିନିୟର, ଟେକ୍ନିସିଆନ୍ କାହାରି କାହା ସହ ତାଳମେଳ ରହିଲାନି। ସିଗ୍‌ନାଲ ସଙ୍କେତ ପାଇଁ ଉଦ୍ଦିଷ୍ଟ ବିଦ୍ୟୁତ ତାର, ଉପକରଣ ମରାମତି କ୍ଷେତ୍ରରେ ମଧ୍ୟ ଏକାଧିକ ତ୍ରୁଟି ରହିଥିଲା। ଏହାକୁ ନଜରଅନ୍ଦାଜ କରାଯିବା ଫଳରେ ବାହାନଗା ଭଳି ଏତେ ବଡ଼ ରେଳ ବିପର୍ଯ୍ୟୟ ଘଟିଲା ବୋଲି ଦକ୍ଷିଣପୂର୍ବ ରେଳ ସୁରକ୍ଷା କମିସନର (ସିଆର୍‌ଏସ୍‌) ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି।

ରିପୋର୍ଟରେ ଦର୍ଶାଯାଇଛି ଯେ, ବାହାନଗା ବଜାର ରେଳ ଷ୍ଟେସନ୍‌ ପୂର୍ବରୁ ଥିବା ରେଳଫାଟକ-୯୪ ନିକଟରେ କରମଣ୍ଡଳ ଏକ୍ସପ୍ରେସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣା ଘଟିବାର କିଛି ଘଣ୍ଟା ଆଗରୁ ରେଳଫାଟକ-୯୪ର ଇଲେକ୍‌ଟ୍ରୋନିକ୍‌ ଲିଫ୍‌ଟିଂ ବେରିୟର (ଇଏଲ୍‌ବି) ମରାମତି କାର୍ଯ୍ୟ ହୋଇଥିଲା। ଏହି ସମୟରେ ସିଗ୍‌ନାଲିଂ ସର୍କିଟ୍‌ ବଦଳାଯିବାରେ ବୈଷୟିକ ତ୍ରୁଟି ରହିଥିଲା। ଯାହା ସିଗ୍‌ନାଲ୍‌ ସିଷ୍ଟମ୍‌ ସହ ପୂରା ଇଣ୍ଟର୍‌ଲକିଂ ସିଷ୍ଟମ୍‌କୁ ପ୍ରଭାବିତ କରିବା ଫଳରେ ୧୨୮୪୧ ନମ୍ବର କରମଣ୍ଡଳ ଏକ୍ସପ୍ରେସ୍‌କୁ ଭୁଲ୍‌ ସିଗ୍‌ନାଲ୍‌ ମିଳିଥିଲା। ଅପ୍ ମେନ୍‌ ଲାଇନ୍‌ରେ ଯିବା ପାଇଁ ଗ୍ରିନ୍‌ ଲାଇଟ୍‌ ଜଳିଥିଲା। ସେହି ସମୟରେ କରମଣ୍ଡଳର ବେଗ ଥିଲା ଘଣ୍ଟା ପ୍ରତି ୧୨୭ କିଲୋମିଟର। ହେଲେ ଇଣ୍ଟର୍‌ଲକିଂ ସିଷ୍ଟମ୍‌ରେ ତ୍ରୁଟି ଯୋଗୁଁ କରମଣ୍ଡଳ ମେନ୍‌ ଲାଇନ୍‌ ବଦଳରେ ଲୁପ୍‌ ଲାଇନ୍‌କୁ ଚାଲିଯାଇଥିଲା ଏବଂ ସେଠାରେ ପୂର୍ବରୁ ଛିଡ଼ା ହୋଇ ରହିଥିବା ମାଲ୍‌ଗାଡ଼ିକୁ ଧକ୍କା ଦେଇଥିଲା। ସିଆର୍‌ଏସ୍‌ ତାଙ୍କ ରିପୋର୍ଟରେ ଆହୁରି ଦର୍ଶାଇଛନ୍ତି, ବାହାନଗା ବଜାର ଷ୍ଟେସନ୍ ପାଇଁ ଅନୁମୋଦିତ ସର୍କିଟ୍‌ ଡାଇଗ୍ରାମ୍‌ ଯୋଗାଯିବା କଥା।

ହେଲେ ତାହା ବି ହୋଇ ନଥିଲା। ରେଳଫାଟକ-୯୪ର ଇଏଲ୍‌ବି କାର୍ଯ୍ୟ କରୁଥିବାରୁ ସର୍କିଟ୍‌ ଡାଇଗ୍ରାମ ଅତ୍ୟନ୍ତ ଜରୁରୀ ଥିଲା। ଇଏଲ୍‌ବି ସହ ସିଗ୍‌ନାଲ୍‌ ସିଷ୍ଟମ୍‌ ଜଡ଼ିତ ଥିବାରୁ ଏହାର ମରାମତି ସମୟରେ ହିଁ ସବୁ ଗଡ଼ବଡ଼ ହୋଇ ଯାଇଥିଲା। ତେବେ ଏଥିପାଇଁ କେବଳ ଷ୍ଟେସନ୍‌ ମ୍ୟାନେଜର ନୁହନ୍ତି, କ୍ଷେତ୍ର ପରିଦର୍ଶନ ଦାୟିତ୍ୱରେ ଥିବା କର୍ମଚାରୀମାନେ ଅଧିକ ଦାୟୀ। ଅନ୍ୟପଟେ ତ୍ରୁଟିପୂର୍ଣ୍ଣ ସିଗ୍‌ନାଲ୍‌ ପାଇଁ ଦୁର୍ଘଟଣାର କିଛି ଘଣ୍ଟା ପୂର୍ବରୁ ହୋଇଥିବା ଅସଫଳ ଇଏଲ୍‌ବି କାର୍ଯ୍ୟ ମୁଖ୍ୟ କାରଣ ବୋଲି କୁହାଯାଇଛି। ୨୦୧୮ ମସିହାରେ ତ୍ରୁଟିପୂର୍ଣ୍ଣ ଇଏଲ୍‌ବି କାମ ଯୋଗୁଁ ପଶ୍ଚିମବଙ୍ଗ ଖଡଗପୁର ଡିଭିଜନରେ ଅନୁରୂପ ଦୁର୍ଘଟଣା ଘଟିଥିଲା ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି। ଏହାସହିତ ଭବିଷ୍ୟତରେ ରେଳଯାତ୍ରା କିପରି ସୁରକ୍ଷିତ ହୋଇପାରିବ, ସେ ନେଇ ତ୍ରୁଟିବିହୀନ ସିଗ୍‌ନାଲ୍‌ ସିଷ୍ଟମକୁ ସୁନିଶ୍ଚିତ କରିବା ପାଇଁ ରେଳ ବିଭାଗକୁ ନିରାପତ୍ତା କମିସନର ସୁପାରିସ୍‌ କରିଥିବା ଜଣାପଡ଼ିଛି।

ଉଲ୍ଲେଖଥାଉକି, ଜୁନ୍ ୨ ତାରିଖ ସନ୍ଧ୍ୟାରେ ବାଲେଶ୍ବରଠାରୁ ୨୨ କିମି ଦୂର ବାହାନଗା ବଜାର ଷ୍ଟେସନ୍‌ଠାରେ ଶାଲିମାର-ଏମ୍‌ଜିଆର ଚେନ୍ନାଇ ସେଣ୍ଟ୍ରାଲ୍‌ କରମଣ୍ଡଳ ଏକ୍ସପ୍ରେସ୍‌ ଏକ ମାଲବାହୀ ଟ୍ରେନ୍‌କୁ ଧକ୍କା ଦେଇ ଓଲଟି ପଡ଼ିବା ଫଳରେ ଅପର ପାର୍ଶ୍ବରୁ ଆସୁଥିବା ହାଓଡ଼ା ଏସ୍‌ଏମ୍‌ଭିବି (ଯଶବନ୍ତପୁର) ଏକ୍ସପ୍ରେସ୍‌ର ଶେଷ ଦୁଇଟି ବଗି ଲାଇନ୍‌ଚ୍ୟୁତ ହୋଇ ବିଲକୁ ଖସି ଯାଇଥିଲା। ଏହି ଦୁର୍ଘଟଣାରେ ୨୯୩ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ୧ ହଜାରରୁ ଅଧିକ ଆହତ ହୋଇଥିଲେ।

ସମ୍ବନ୍ଧିତ ଖବର