ଦୁର୍ଘଟଣାରେ ଅସହାୟ ବୃଦ୍ଧାଙ୍କ ଗୋଡ ଭାଙ୍ଗିଗଲା, ସମାଜସେବୀଙ୍କ ସହଯୋଗରେ ଅସ୍ତ୍ରୋପ୍ରଚାର ହେଲା

ମାଲକାନଗିରି: ସଦର ବ୍ଲକ ଅନ୍ତର୍ଗତ ସିନ୍ଧ୍ରିମାଳ ପଞ୍ଚାୟତର ମେଧଗୁଡା ଗ୍ରାମର ଲକ୍ଷ୍ମୀ ସୋଡି(୭୦) ଏକ ଆକସ୍ମିକ ଦୁର୍ଘଟଣାର ଶିକାର ହୋଇଛନ୍ତି। ତାଂକର ଗୋଡ଼ ତିନି ଚାରି ଖଣ୍ଡ ହୋଇଯାଇଛି। ଏଭଳି ଅବସ୍ଥାରେ ତାଙ୍କୁ ସହଯୋଗ କରିବା ପାଇଁ ମାଲକାନଗିରିର ନିତ୍ୟାନନ୍ଦ ସରକାର ତୁରନ୍ତ ମେଡିକାଲ ଆଣିଥିଲେ। କିନ୍ତୁ ମେଡିକାଲରେ ଚିକିତ୍ସା କରାଇବା ବହୁତ ମୁସକିଲ ହେଉଥିବାରୁ ସମାଜସେବୀ କେ.ଦେଶୀରାଜୁ ଅଚାରୀଙ୍କୁ ଖବର ଦେଇଥିଲେ। ଶ୍ରୀ ଆଚାରୀ ମେଡିକାଲ ପହଞ୍ଚି ଅସ୍ତିଶଲ୍ୟ ଡାକ୍ତର ନୀଳମାଧବ ରାୟଙ୍କୁ ସାକ୍ଷାତ କରି କିପରି ଲକ୍ଷ୍ମୀଙ୍କର ଅସ୍ତ୍ରୋପ୍ରଚାର ହୋଇପାରିବ ସେନେଇ ଆଲୋନଚା କରିଥିଲେ।

ତେବେ ପ୍ରଥମେ ଡାକ୍ତର ଏଠାରେ ଅସ୍ତ୍ରୋପ୍ରଚାର ପାଇଁ କୌଣସି ସୁବିଧା ନଥିବାରୁ ଅପରେସନ କରିବା ପାଇଁ ଅମଙ୍ଗ ହୋଇଥିଲେ। ବୃଦ୍ଧା ଲକ୍ଷ୍ମୀଙ୍କୁ ତୁରନ୍ତ ଅନ୍ୟ ଡାକ୍ତରଖାନା ନେବାକୁ ପରାମର୍ଶ ଦେଇଥିଲେ। ଲକ୍ଷ୍ମୀଙ୍କର କେହି ନଥବାରୁ ଏଠାରେ ହିଁ ଅସ୍ତ୍ରୋପ୍ରଚାର କରିବା ପାଇଁ ଅନୁରୋଧ କରାଯାଇଥିଲା।ଶେଷରେ ଡାକ୍ତର ଶ୍ରୀ ରାଏ ଲକ୍ଷ୍ମୀଙ୍କର ଅସ୍ତ୍ରୋପ୍ରଚାର କରିଥିଲେ। ମାଲକାନଗିରି ଡାକ୍ତରଖାନାରେ ଅସ୍ତିଶଲ୍ୟ ବିଭାଗରେ କୌଣସି ଆନୁସାଙ୍ଗିକ ବ୍ୟବସ୍ଥା କିମ୍ବା ଅପରେସନ ପାଇଁ ସେଭଳି କୌଣସି ସୁବିଧା ନାହିଁ, ଯାହାଫଳରେ ରୋଗୀ ବାହାର ଡାକ୍ତରଖାନା ଉପରେ ନିର୍ଭର କରୁଛନ୍ତି।

ପ୍ରକାଶ ଥାଉକି ଡାକ୍ତର ଶ୍ରୀ ରାଏ ଗତ ଅଢେଇ ବର୍ଷ ଧରି ବିଭିନ୍ନ ରୋଗୀଙ୍କୁ ଚିକିତ୍ସା କରିବା ସହ ପ୍ରତି ମାସରେ ୧୫ରୁ ୨୦ ଜଣଙ୍କୁ ଅପରେସନ କରୁଛନ୍ତି।ତେବେ ସମସ୍ତ ସୁବିଧା ଏଠାରେ ଉପଲ୍ବଧ ହେଲେ ମାଲକାନଗିରିରେ ଗୁରୁତର ହାଡ ଭଙ୍ଗା ରୋଗୀମାନଙ୍କର ସହଜରେ ଅପରେସନ ହୋଇପାରିବ ବୋଲି କୁହାଯାଇଛି। ମାଲକାନଗିରି ଭଳି ଉପାନ୍ତ ଅଂଚଳରେ ସରକାର ସାତ ମହଲା ବିଶିଷ୍ଟ ଡାକ୍ତରଖାନା ନିର୍ମାଣ କଲେ ସତ କିନ୍ତୁ ଏଠାରେ ଗରିବ ରୋଗୀଙ୍କ ପାଇଁ ସେଭଳି ଚିକିତ୍ସାର ବ୍ୟବସ୍ଥା ନଥିବାରୁ ଲୋକେ ବାହାରକୁ ଯାଇ ନାହିଁ ନଥିବା ହଇରାଣ ହେଉଥିବା ଲକ୍ଷ୍ୟ କରାଯାଇଛି।

ଏଠାରେ ସୂଚନାଯୋଗ୍ୟ ଯେ ଗତ ୧୫ ବର୍ଷରୁ ଊର୍ଦ୍ଧ୍ବ ସମୟ ହେଲା ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ କେହି ଅସ୍ଥିଶଲ୍ୟ ଡାକ୍ତର ନଥିଲେ। ଏବେ ଅଢେଇ ବର୍ଷ ହେଲା ଜଣେ ଡାକ୍ତର ରହି ରୋଗୀଙ୍କୁ ନିୟମିତ ଚିକିତ୍ସା କରୁଛନ୍ତି। କିନ୍ତୁ ତାଂକୁ ସେଭଲି ସୁବିଧା କରାଯାଇନଥିବାରୁ ସେ ବଡ ବଡ ଅପରେସନ କରିପାରୁନଥିବା ଜଣାପଡିଛି।ତେବେ ତୁରନ୍ତ ଅସ୍ତିଶଲ୍ୟ ବିଭାଗରେ ସମସ୍ତ ସୁବିଧା କରିବାକୁ ସମାଜସେବୀ କେ.ଦେଶୀରାଜୁ ଆଚାରୀ ଦାବି କରିଛନ୍ତି।

 

ସମ୍ବନ୍ଧିତ ଖବର