ଦୁନିଆ ରଙ୍ଗମଞ୍ଚ ଛାଡ଼ି ପରପାରିରେ ଜୟନ୍ତ

ନୀଳଗିରି: ରାତି ଗୋଟାଏ ପାଖାପାଖି। ଯାତ୍ରା ଦରବାରର ମେଲୋଡି କାର୍ଯ୍ୟକ୍ରମ ସରିଆସୁଥିଲା। ନାଟକ ‘ଶ୍ରାବଣ ଦେଇଛି ଛ’ ଗୁଣ ଲୁହ’ରେ ନାୟକ ଅଭିନୟ କରିବା ପାଇଁ ପ୍ରସ୍ତୁତ ହୋଇ ଗ୍ରୀନ୍‌ରୁମ୍‌ରେ ବସିଥିଲେ ପ୍ରଖାତ ଅଭିନେତା ବାଲେଶ୍ବର ଜିଲ୍ଲା ନୀଳଗିରି ବ୍ଲକ୍‌ ଉପରବେଡ଼ା ଗ୍ରାମର ୩୮ ବର୍ଷୀୟ ଜୟନ୍ତ କୁମାର ମହାପାତ୍ର। ହେଲେ ତାଙ୍କ ଅଭିନୟ ଅଧୁରା ରହିଗଲା। ଜୟନ୍ତ ସବୁଦିନ ପାଇଁ ଦୁନିଆଁ ରଙ୍ଗମଞ୍ଚ ଛାଡ଼ି ଅଫେରା ରାଇଜକୁ ଚାଲିଗଲେ।
ଯାଜପୁର ଜିଲ୍ଲା ଡୁବୁରୀସ୍ଥିତ ପାଇକପୁରାଠାରେ ଗତକାଲି ରାତିରେ ‘ଯାତ୍ରା ଦରବାର’ ନାଟକ ପରିବେଷଣ କରୁଥିଲା। ନାଟକ ‘ଶ୍ରାବଣ ଦେଇଛି ଛ’ ଗୁଣ ଲୁହ’ ଦେଖିବା ପାଇଁ ଦର୍ଶକଙ୍କ ପ୍ରବଳ ଭିଡ଼ ହୋଇଥିଲା। ରାତି ଗୋଟାଏ ପାଖାପାଖି ହେବ। ମେଲୋଡି କାର୍ଯ୍ୟକ୍ରମ ସରିଆସୁଥିବା ବେଳେ ପ୍ରଥମ ଦୃଶ୍ୟରେ ନାୟକ ଭୂମିକାରେ ଅଭିନୟ ପାଇଁ ଜୟନ୍ତ ପ୍ରସ୍ତୁତ ହୋଇ ଗ୍ରୀନ୍‌ରୁମ୍‌ରେ ବସିଥିଲେ। ଏହି ସମୟରେ ସେ ହଠାତ୍‌ ଟଳିପଡ଼ିଥିଲେ। ଜୟନ୍ତଙ୍କୁ ସଂ‌ଗେ ସଂଗେ ଦାନବତୀ ହସ୍‌ପିଟାଲ୍‌କୁ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅତ୍ୟଧିକ ଗରମ ଯୋଗୁ ଜୟନ୍ତ ଅଚେତ ହେବା ସହ ହୃଦ୍‌ଘାତରେ ପ୍ରାଣ ହରାଇଥିବା‌ କୁହାଯାଉଛି। ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ପ୍ରକୃତ କାରଣ ଜଣାପଡ଼ିବ ବୋଲି ଡାକ୍ତରଖାନା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ତେବେ ଏପରି ଦୁଃଖଦ ଘଟଣା ପରେ ଯାତ୍ରା ବିଶ୍ବ ଦରବାର ପକ୍ଷରୁ ନାଟକ ପରିବେଷଣକୁ ବନ୍ଦ କରାଯାଇଥିଲା। ଶୋକରେ ମର୍ମାହତ ସାଥୀ କଳାକାର ଓ ଦର୍ଶକଙ୍କ ଆଖିରେ ଲୁହ ଦେଖିବାକୁ ମିଳିଥିଲା। ଆଜି ସଂଧ୍ୟାରେ ଜୟନ୍ତଙ୍କ ମରଶରୀର ନିଜ ଗାଁ ଉପରଡ଼ିହାରେ ପହଞ୍ଚିଛି। ସେଠାରେ ଶୋକାକୁଳ ପରିବେଶରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ଜଣାପଡ଼ିଛି।

ଅଭିନୟ ପାଇଁ ନାୟକ ବେଶରେ ପ୍ରସ୍ତୁତ ଥିଲେ
ପ୍ରବଳ ଗରମ ଯୋଗୁଁ ହୃଦ୍‌ଘାତର ଶିକାର ହେଲେ
ନିକଟରେ ଥିଲା ବାହାଘର, କାଲି ଘରକୁ ଆସିଥା’ନ୍ତେ
ଅଭିନୟ କରୁ କରୁ ହୃଦ୍‌ଘାତରେ ବାପା ବି ଆଖି ବୁଜିଥିଲେ

ଉଲ୍ଲେଖଥାଉକି; ଜୟନ୍ତଙ୍କ ବାପା ସିଦ୍ଧେଶ୍ବର ମହାପାତ୍ର ଜଣେ ଜଣାଶୁଣା ଯାତ୍ରା ଅଭିନେତା ଥିଲେ। ସଂଯୋଗ ଏମିତି ଯେ, ସେ ମଧ୍ୟ ନାଟକରେ ଅଭି‌ନୟ କଲା ବେଳେ ହୃଦ୍‌ଘାତର ଶିକାର ହୋଇ ଆଖି ବୁଜିଥିଲେ। ନିକଟରେ ଜୟନ୍ତଙ୍କ ବାହାଘର ହୋଇଥାଆନ୍ତା। ଆସନ୍ତାକାଲି ମାଆଙ୍କର ଶ୍ରାଦ୍ଧ ଥିବାରୁ ସେ ନାଟକ ସାରି ଘରକୁ ଆସିବାର ଥିଲା। ଜୟନ୍ତ ୧୨ ବର୍ଷ ହେବ ଯାତ୍ରା କଳାକାର ଭାବେ କାମ କରୁଥିଲେ। ସେ ଯାତ୍ରା ଦରବାର ସହ ଦାରୁବ୍ରହ୍ମ, ତ୍ରିନାଥ, ପାର୍ବତୀ, ସ୍ବପ୍ନମହଲ, ସୂର୍ଯ୍ୟମନ୍ଦିର, ବିଶ୍ବ ଦରବାର ପରି ଏକାଧିକ ଯାତ୍ରାଦଳରେ ଅଭିନୟ କରି ଦର୍ଶକଙ୍କ ମନ ଜିଣିଥିଲେ।

ସମ୍ବନ୍ଧିତ ଖବର