୩ ମାସର ଶିଶୁପୁତ୍ର ଉଦ୍ଧାର, ଥାନାରେ ମହିଳା ଅଟକ

ବ୍ୟାସନଗର: ଆଜି ପୂର୍ବାହ୍ଣରେ ଯାଜପୁରରୋଡ ଥାନା ଅନ୍ତର୍ଗତ ବ୍ୟାସନଗର ସହରର ସାଇମନ୍ଦିର ନିକଟସ୍ଥ ଜରି ବସ୍ତି ପାଖରୁ ଜଣେ ତିନିମାସର ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି। ସମ୍ପୃକ୍ତ ଶିଶୁପୁତ୍ରଟିକୁ ସନ୍ଦିଗ୍ଧ ଅବସ୍ଥାରେ ଧରି ବୁଲୁଥିବା ଜଣେ ମହିଳାଙ୍କୁ ପୁଲିସ ଅଟକ ରଖିଛି। ଅଟକ ମହିଳା ଭଦ୍ରକ ଚରମ୍ପା ଅଞ୍ଚଳର ସୁସ୍ମିତା ମୁର୍ମୁ ବୋଲି ପରିଚୟ ଦେଇଛନ୍ତି। ଯାଜପୁରରୋଡ ପୁଲିସ ଉଦ୍ଧାର ଶିଶୁକୁ ଯାଜପୁର ସ୍ବଧାର ଗୃହରେ ଛାଡ଼ିଥିବା ବେଳେ ଅଟକ ମହିଳାଙ୍କୁ ପଚରାଉଚରା କରୁଛି।

ସୂଚନା ଅନୁଯାୟୀ, ଆଜି ପୂର୍ବାହ୍ଣ ୧୧ ଟା ବେଳେ ସାଇ ମନ୍ଦିର ନିକଟସ୍ଥ ଜରି ବସ୍ତିରେ ସୁସ୍ମିତା ହାଣ୍ଡିଆ ପିଇବା ସହିତ ଶିଶୁଟିକୁ ହାଣ୍ଡିଆ ପିଆଇବାକୁ ଉଦ୍ୟମ କରୁଥିଲେ। ଏହା ଦେଖି ଲୋକଙ୍କର ସନ୍ଦେହ ହୋଇଥିଲା। ଶିଶୁଟି ତା’ଙ୍କ ନାନୀର ଓ ସେ ପଶ୍ଚିମବଙ୍ଗ ମେଦିନାପୁରରୁ ଆସିଛି ବୋଲି କହିଥିଲେ। ପରେ ସେ ବାଲେଶ୍ଵରରୁ ଆସିଛି ତାଙ୍କ ଘର ଭଦ୍ରକ ଚରମ୍ପା ଅଞ୍ଚଳରେ ବୋଲି କହିଥିଲେ। ଏହି ସମୟରେ ଶିଶୁଟିକୁ ଛାଡ଼ି ମହିଳା ଜଣଙ୍କ ଦୌଡ଼ି ପଳାଇବାକୁ ଉଦ୍ୟମ କରିଥିଲେ। ଲୋକମାନେ ତା’ଙ୍କୁ ଧରି ଅଟକ ରଖିବା ସହ ଥାନାକୁ ଖବର ଦେଇଥିଲେ। ଶିଶୁଟି ତାଙ୍କ ନାନୀ ଅପରାଜିତା ମୁର୍ମୁଙ୍କ ପୁଅ। ନାନୀ ଅପରାଜିତା ତିନିବର୍ଷ ପୁଅକୁ ନେଇ ଭିକ ମାଗିବାକୁ ଯାଇଛି ଓ ତେଣୁ ସେ ଏଠାରେ ସାନପୁଅଟିକୁ ଧରି ରହିଛନ୍ତି ବୋଲି କହିଥିଲେ। ପୁଲିସ ସମ୍ପୃକ୍ତ ମହିଳାଙ୍କୁ ଥାନାରେ ଅଟକ ରଖିଥିବା ବେଳେ ଶିଶୁପୁତ୍ରଟିକୁ ଯାଜପୁର ସ୍ବଧାର ଗୃହରେ ଛାଡ଼ିଥିବା ଯାଜପୁରରୋଡ ଥାନା ଏସଆଇ ନିର୍ମଳ ସାହୁ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର