‘ସମ୍ବାଦ’ ପ୍ରଭାବ: ଟେରସାଙ୍କ ମୁହଁରେ ହସ, ପ୍ରଶାସନ ଦେଲା ଟ୍ରାଇସାଇକଲ

କୁତ୍ରା: ଖବର ପ୍ରକାଶନର ମାତ୍ର କେଇ ଘଣ୍ଟା ମଧ୍ୟରେ ଗୁରୁଣ୍ଡିଗୁରୁଣ୍ଡି ଆଧାର ଲିଙ୍କ୍‌ କରିବାକୁ ଆସିଥିବା ଦିବ୍ୟାଙ୍ଗବୃଦ୍ଧା ଟେରସା ବାର୍ଲା(୬୮)ଙ୍କୁ ମିଳିଛି ସରକାରୀ ସହାୟତା। ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ପ୍ରଶାସନ ପକ୍ଷରୁ ବୃଦ୍ଧାଙ୍କୁ ଟ୍ରାଇସାଇକଲ ଦିଆଯାଇଛି। ଏହାପରେ ଟେରସାଙ୍କ ମୁହଁରେ ହସଫୁଟିଛି। ତାଙ୍କୁ ଆଉ ଗୁରୁଣ୍ଡିଗୁରୁଣ୍ଡି କେଉଁଠିକୁ ଯିବାକୁ ପଡ଼ିବନାହିଁ। ଏଥିପାଇଁ ବୃଦ୍ଧା ‘ସମ୍ବାଦ’କୁ ଧନ୍ୟବାଦ ଜଣାଇଛନ୍ତି। ଆଧାର ସଂଯୋଗ ପାଇଁ ଗୁରୁଣ୍ଡିଗୁରୁଣ୍ଡି ଆସିଲେ ବୃଦ୍ଧା ଶୀର୍ଷକରେ ଗୁରୁବାର ‘ସମ୍ବାଦ’ରେ ରିପୋର୍ଟ ପ୍ରକାଶ ପାଇବା ପରେ ତତ୍ପରତା ଦେଖାଇଥିଲା ପ୍ରଶାସନ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ କୁତ୍ରା ବ୍ଲକ୍‌ କାର୍ଯ୍ୟାଳୟ ପକ୍ଷରୁ ତାଙ୍କୁ ଗାଡ଼ିରେ ବସାଇ ବ୍ଲକ୍‌ ଅଫିସକୁ ଅଣାଯାଇଥିଲା। ବିଡିଓ ହର୍ମେନ୍ଦ୍ର ଭୋଇ ତାଙ୍କ ସହିତ ଆଲୋଚନାକରି ସବୁପ୍ରକାର ସାହାଯ୍ୟ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ବ୍ଲକ୍‌ ପକ୍ଷରୁ ତାଙ୍କୁ ଗୋଟିଏ ଟ୍ରାଇସାଇକଲ ପ୍ରଦାନ କରାଯାଇଥିଲା। ଟ୍ରାଇସାଇକଲ ପାଇ ଟେରସା ଅତ୍ୟନ୍ତ ଆନନ୍ଦିତ ହୋଇଥିବାବେଳେ, ୫ କିଲୋ ଚାଉଳରେ ତାଙ୍କ ପେଟ ପୂରୁ ନଥିବାରୁ ଅଧିକ ଦେବାକୁ ପ୍ରଶାସନକୁ ଅନୁରୋଧ କରିଥିଲେ।

ସୂଚନା ଅନୁସାରେ, ବଡ଼ମାଳ ବଜାରପଡ଼ାର ଟେରସା ଜନ୍ମରୁ ଦିବ୍ୟାଙ୍ଗ। ବାପାମାଙ୍କ ମୃତ୍ୟୁପରେ ଏବେ ସେ ସମ୍ପୂର୍ଣ୍ଣ ଏକୁଟିଆ। ଗୋଡ଼ ଅଚଳଥିବାରୁ ସବୁସ୍ଥାନକୁ ଗୁରୁଣ୍ଡିଗୁରୁଣ୍ଡି ଯାଇଥାନ୍ତି। ମାସକୁ ୫ କିଲୋ ସରକାରୀ ଚାଉଳ ଓ ଭତ୍ତା ହେଉଛି ତାଙ୍କ ଜୀବନର ରାହା। ଗତକାଲି ବ୍ୟାଙ୍କଖାତାରେ ଆଧାର ଲିଙ୍କ କରିବାକୁ ଘରୁ ୩୦ କିମି ଦୂର କୁତ୍ରା ବାହାରିଥିଲେ। ଘରୁ ଅଧକିମି ଗୁରୁଣ୍ଡିଗୁରୁଣ୍ଡି ଯାଇ ସେଠା​ରୁ ଅଟୋରେ କୁତ୍ରା ଓ ଅଟୋଷ୍ଟାଣ୍ଡ୍‌ରୁ ପୁଣି ବଜାରଭିଡ଼ ଭିତରେ ବ୍ୟାଙ୍କକୁ ଗୁରୁଣ୍ଡିଗୁରୁଣ୍ଡି ଯିବାବେଳେ ସେ ଆମ ପ୍ରତିନିଧିଙ୍କ ନଜରରେ ପଡ଼ିଥିଲେ। ଆମ ପ୍ରତିନିଧି ତାଙ୍କୁ ନିକଟସ୍ଥ ଗ୍ରାହକ ସେବାକେନ୍ଦ୍ରକୁ ନେଇଥିଲେ। ସେଠାରେ ପୂର୍ବରୁ ତାଙ୍କ ବ୍ୟାଙ୍କଖାତାରେ ଆଧାର ଲିଙ୍କ ହୋଇଥିବା ଜଣାପଡ଼ିଥିଲା। ତେଣୁ ବୃଦ୍ଧା ଟଙ୍କା ଉଠାଇ ଫେରିଯାଇଥିଲେ।

ସମ୍ବନ୍ଧିତ ଖବର