ବିଦ୍ୟୁତ୍ ସଂସ୍ପର୍ଶରେ ଆସି ପୁଅ ମୃତ, ବାପା ଗୁରୁତର

ପଦ୍ମପୁର : ବରଗଡ଼ ଜିଲ୍ଲା ପଦ୍ମପୁର ଥାନା ଅଧୀନସ୍ଥ ଲୋହାରପାଲି ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ପୁଅର ମୃତ୍ୟୁ ହୋଇଥିବା ବେଳେ ବାପା ଗୁରୁତର ଆହତ ହୋଇ ବୁର୍ଲା ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି।

ଘଟଣାରୁ ପ୍ରକାଶ, ଲୋହାରପାଲି ଗ୍ରାମର ଉମେଶ ପ୍ରଧାନ (୨୭) ଘରଠାରୁ ପ୍ରାୟ ଶହେ ମିଟର ଦୂରରେ ଛତୁ ଚାଷ କରିଥିଲେ। ଛତୁଭାଡ଼ିକୁ ଜଗିବା ପାଇଁ ଏକ କୁଡ଼ିଆ କରି ଘରଠାରୁ ବିଦ୍ୟୁତ୍‌ ନେଇ ବଲ୍‌ବ ଜାଳୁଥିଲେ। ସକାଳୁ ଉମେଶ ଉକ୍ତ କୁଡ଼ିଆକୁ ଯାଇଥିବା ବେଳେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସିଥିଲେ। ପୁଅ ଛଟପଟ ହେଉଥିବା ଦେଖି ବାପା ସନ୍ତୋଷ ପ୍ରଧାନ ଘଟଣାସ୍ଥଳକୁ ଯାଇଥିଲେ। ପୁଅକୁ ବଂଚାଇବାକୁ ଉଦ୍ୟମ କରୁଥିବା ବେଳେ ସେ ମଧ୍ୟ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସିଥିଲେ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଗ୍ରାମବାସୀ ଓ ପରିବାରଲୋକେ ଉଦ୍ଧାର କରି ପଦ୍ମପୁର ଉପଖଣ୍ତ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଡାକ୍ତର ଉମେଶଙ୍କୁ ମୃତ ଘୋଷଣା କରିଥିଲେ। ବାପା ସନ୍ତୋଷଙ୍କୁ ପ୍ରାଥମିକ ଚିକିତ୍ସା ପରେ ବୁର୍ଲା ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ। ଖବର ପାଇ ପଦ୍ମପୁର ଥାନାଧିକାରୀ ରାଜେନ୍ଦ୍ର ସିଅଲଙ୍କ ନିର୍ଦ୍ଦେଶକ୍ରମେ ପୁଲିସ ମୃତକଙ୍କ ଶବକୁ ଜବତ କରି ବ୍ୟବଚ୍ଛେଦ କରାଇଥିଲେ।

ସମ୍ବନ୍ଧିତ ଖବର