ଯୁକ୍ତ୩ରୁ ମୁହଁ ମୋଡ଼ୁଛନ୍ତି ପିଲା: ଖାଲିପଡ଼ିବ ୫୦ ହଜାର ସିଟ୍‌

ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ଆବେଦନ, ଉଚ୍ଚଶିକ୍ଷା ବିଭାଗର ସମୀକ୍ଷା କରିବେ ମନ୍ତ୍ରୀ

ଭୁବନେଶ୍ବର: ଯୁକ୍ତ୩ କଲେଜରେ ଖାଲି ପଡ଼ିବ ସିଟ୍‌। କଳା, ବିଜ୍ଞାନ, ବାଣିଜ୍ୟ, ସେଲ୍ଫ ଫାଇନାନ୍ସିଂ ଓ ସଂସ୍କୃତ ପାଠ୍ୟକ୍ରମରେ ନାମଲେଖା ଲାଗି ଯେତିକି ପରିମାଣର ସିଟ୍‌ ରହିଛି ସେହି ଅନୁଯାୟୀ ଛାତ୍ରଛାତ୍ରୀ ପ୍ରଥମ ପର୍ଯ୍ୟାୟରେ ଆବେଦନ କରିନାହାନ୍ତି। ରାଜ୍ୟର ନାମକରା ଶିକ୍ଷାନୁଷ୍ଠାନରେ ପଢ଼ିବାକୁ ଛାତ୍ରଛାତ୍ରୀଙ୍କ ଆଗ୍ରହ ଦେଖିବାକୁ ମିଳିଛି। ବିଜେବି, ରେଭେନ୍ସା, ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ସମେତ ଭଲ ରେଜଲ୍ଟ କରୁଥିବା କଲେଜଗୁଡ଼ିକରେ ସ୍ନାତକ ପଢ଼ିବାକୁ ପିଲାମାନଙ୍କ ପ୍ରଥମ ପସନ୍ଦ ପାଲଟିଛି। ଯେତେବେଳେ କି ଛୋଟ ଛୋଟ କଲେଜଗୁଡ଼ିକରେ ଉଚ୍ଚଶିକ୍ଷା ଗ୍ରହଣ କରିବାକୁ ପିଲାମାନେ ସେତେଟା ଆଗ୍ରହ ଦେଖାଇ ନ ଥିବା ଆବେଦନ ପ୍ରକ୍ରିୟା ଶେଷ ପରେ ଜଣାପଡ଼ିଛି।

୨୦୨୩-୨୪ ଶିକ୍ଷାବର୍ଷରେ ୧୦୪୨ କଲେଜର ୨ ଲକ୍ଷ ୭୦ହଜାର ୬୨୭ ସିଟ୍‌ରେ ନାମଲେଖା ହେଉଛି। ସେଥିମଧ୍ୟରୁ କଳା ବିଭାଗର ୧ ଲକ୍ଷ ୫୨ ହଜାର ୬୨, ଫିଜିକାଲ ସାଇନ୍ସରେ ୪୬,୧୯୫, ବାୟୋଲୋଜିକାଲ ସାଇନ୍ସରେ ୨୮,୬୯୨, ବାଣିଜ୍ୟରେ ୩୨,୩୮୦, ସେଲ୍ଫ ଫାଇନାନ୍ସିଂରେ ୨,୦୮୬ ଓ ସଂସ୍କୃତରେ ୯,୧୪୮ ସିଟ୍‌ ରହିଛି। ପ୍ରଥମ ପର୍ଯ୍ୟାୟ ଆବେଦନ ପ୍ରକ୍ରିୟା ଶେଷ ପରେ ଦେଖିବାକୁ ମିଳିଛି ଯେ ମୋଟ ୨ ଲକ୍ଷ ୨୨ହଜାର ୩୮୦ଜଣ ଅନ୍‌ଲାଇନ୍‌ରେ ଆବେଦନ କରିଛନ୍ତି। ସେମାନଙ୍କ ମଧ୍ୟରୁ ୨ ଲକ୍ଷ ୨୧ ହଜାର ୩୦୪ଜଣ ଫି’ ଦାଖଲ କରିଛନ୍ତି। ଅର୍ଥାତ୍‌ ‌ଯେଉଁମାନେ ଫି’ ଦାଖଲ କରିଛନ୍ତି ସେମାନେ ହିଁ କେବଳ ନାମଲେଖା ପାଇଁ ପ୍ରକାଶ ପାଇବାକୁ ଥିବା ମେଧା ତାଲିକାରେ ସ୍ଥାନ ପାଇବେ। ସେହି ଦୃଷ୍ଟିରୁ ଦେଖିଲେ ମୋଟ ସିଟ୍‌ ଅପେକ୍ଷା ଆବେଦନ କରିଥିବା ପିଲାଙ୍କ ସଂଖ୍ୟା ପାଖାପାଖି ୫୦ ହଜାର କମ୍‌ ରହିଛି। ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୨୩ ହଜାର ୩୨୦ଜଣ ଛାତ୍ରଛାତ୍ରୀ ସ୍ନାତକ ପଢ଼ିବାକୁ ଆବେଦନ କରିଛନ୍ତି। ଏହାବ୍ୟତୀତ କଟକ ଜିଲ୍ଲାରେ ୨୧ହଜାର ୩୩୦, ଖୋର୍ଦ୍ଧା ଜିଲ୍ଲାରେ ୨୧ ହଜାର ୧୯୩, ମୟୂରଭଞ୍ଜ ଜିଲ୍ଲାରେ ୧୬ହଜାର ୫୮୦, ବାଲେଶ୍ବର ଜିଲ୍ଲାରେ ୧୫ହଜାର ୮୮୮, ଯାଜପୁରରେ ୧୫ହଜାର ୫୩୪, ପୁରୀ ଜିଲ୍ଲାରେ ୧୫ହଜାର ୬୦, ସୁନ୍ଦରଗଡ଼ରେ ୧୨ହଜାର ୩୯୬ଜଣ ଆବେଦନ କରିଛନ୍ତି।

ସୂଚନା ଅନୁଯାୟୀ ଚଳିତବର୍ଷ ୬ଟି ପର୍ଯ୍ୟାୟରେ ମେଧା ତାଲିକା ପ୍ରକାଶ ସହ ନାମଲେଖା ପ୍ରକ୍ରିୟା କରିବାକୁ ଉଚ୍ଚଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି। ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ଜୁଲାଇ ୧୪ରେ ପ୍ରକାଶ ପାଇବା ସହ ୧୫ରୁ ୧୭ ତାରିଖ ମଧ୍ୟରେ ନାମଲେଖା ଅନୁଷ୍ଠିତ ହେବ। ସେହିପରି ଦ୍ବିତୀୟ ପର୍ଯ୍ୟାୟ ମେଧା ତାଲିକା ଜୁଲାଇ ୨୭ରେ ପ୍ରକାଶ ପାଇବାକୁ ଥିବା ବେଳେ ଯୋଗ୍ୟ ଛାତ୍ରଛାତ୍ରୀ ଜୁଲାଇ ୨୯ରୁ ଅଗଷ୍ଟ ୨ ମଧ୍ୟରେ ନାମ ଲେଖାଇପାରିବେ। ଅଗଷ୍ଟ ୩ରେ ତୃତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ସହ ଅଗଷ୍ଟ ୧୦, ୧୨ ଓ ୧୪ରେ ଛାତ୍ରଛାତ୍ରୀ କଲେଜରେ ନାମ ଲେଖାଇବେ।

ଅନ୍ୟପକ୍ଷରେ ନୂଆ କରି ଉଚ୍ଚଶିକ୍ଷା ବିଭାଗ ମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିଥିବା ଅତନୁ ସବ୍ୟସାଚୀ ନାୟକ ବିଭାଗର ସମୀକ୍ଷା ବୈଠକ ଡାକିଛନ୍ତି। ଆସନ୍ତା ୭ ତାରିଖ ଅପରାହ୍ଣ ୫ଟା ୩୦ରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ବିଭାଗର ବିଭିନ୍ନ କାର୍ଯ୍ୟାବଳୀ ଉପରେ ସମୀକ୍ଷା କରାଯିବ। ଛାତ୍ରଛାତ୍ରୀଙ୍କ ଗୁଣାତ୍ମକ ଶିକ୍ଷା ବିକାଶ ପାଇଁ କେଉଁ ସବୁ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ସେ ସମ୍ପର୍କରେ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରିବେ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର