ମୋ ସହିତ ଅନ୍ୟାୟ କଲା କଟକ ବଡ଼ଡାକ୍ତରଖାନା, ଟାଣି ଭିଡ଼ି ଡିସଚାର୍ଜ କରିଦେଲା: ରୋଗୀ

ଜଳେଶ୍ଵର: ହେ ଭାଇ ଓ ବନ୍ଧୁମାନେ। କଟକ ବଡ଼ଡାକ୍ତରଖାନାରେ ମୋ ସହ ବହୁତ ବଡ଼ ଅନ୍ୟାୟ ହେଲା‌। ଆପଣମାନଙ୍କ ଅନୁରୋଧରେ ସିନା ମୋର ସେଠାରେ ଅସ୍ତ୍ରୋପଚାର କରିଦେଲେ। ହେଲେ ଚାରିଦିନ ଧରି ମୋତେ ସେଠାରେ ପକେଇ ରଖିଲେ। ଡାକ୍ତର ବି ମୋ ପାଖକୁ ଆସିଲେ ନାହି। ଆଉ ଗତ ବୁଧବାର ଦିନ ମୋତେ ଟାଣି ଭିଡି ହସ୍ପିଟାଲରୁ ଡିସଚାର୍ଜ କରିଦେଲେ। ବହୁ କଷ୍ଟରେ ଏକ ଘରୋଇ ଆମ୍ବୁଲାନ୍ସ ଯୋଗେଁ ମୁଁ ରହୁଥିବା ଜଳେଶ୍ଵର ମ୍ୟୁନିସିପାଲିଟି ଅଧିନସ୍ଥ ୯ ନମ୍ବର ଓ୍ବାର୍ଡରେ ଥିବା ମୋ ଭଡ଼ା ଘରକୁ ଆସିଛି। ମୋର କେହି ନିକଟ ସମ୍ପର୍କୀୟ ନାହାନ୍ତି। ବଡ଼ ଦୟନୀୟ ଅବସ୍ଥାରେ ବିଛଣାରେ ପଡ଼ି ରହିଛି। ପାଣି ଟିକେ ପିଇବା ପାଇଁ ବି ମୋ ପାଖରେ ବଳ ନାହିଁ। ମୁଁ ଏବେ ଏକାକୀ ଭଡାଘରେ ରହୁଥିବା ଜଣେ ଅସହାୟ ମହିଳା।ପନ୍ଦର ଦିନ ତଳେ ଶିଢିରୁ ପଡି ମୋ ଅଣ୍ଟା ଗୋଡ଼ ଭାଙ୍ଗିଯିବା ପରେ ମୋର ଏପରି ଅବସ୍ଥା। ମୁଁ ଏବେ ବଞ୍ଚିବା ଅବସ୍ଥାରେ ନାହିଁ। ତେଣୁ ମୁଁ ଇଚ୍ଛା ମୃତ୍ୟୁ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଏକ୍ସ ସାମାଜିକ ଗଣମାଧ୍ୟମରେ ନିବେଦନ କରିଛି। ଆଶା କରୁଛି।ଏ ଅଭାଗିନୀକୁ ମୁଖ୍ୟମନ୍ତ୍ରୀ ଏତିକି ଦୟା କରିବେ। ଏମିତି କାନ୍ଦି କାନ୍ଦି ବଖାଣିଛନ୍ତି ବାଲେଶ୍ବର ଜିଲ୍ଲା ଜଳେଶ୍ଵରରେ ଦୀର୍ଘ ୩୫ ବର୍ଷ ଧରି ଏକ ପ୍ରିଣ୍ଟିଂ ପ୍ରେସ କରି ଜୀବନ ବିତାଉଥିବା କାଞ୍ଚନ ନାୟକ(୫୭)।

କାଞ୍ଚନଙ୍କୁ ମାତ୍ର ୧୫ ବର୍ଷ ହୋଇଥିବା ବେଳେ ତାଙ୍କ ଇଚ୍ଛା ବିରୋଧରେ ବାପା-ମା’ ବିବାହ କରାଇ ଦେଇଥିଲେ ସିଙ୍ଗଲା ଥାନା ରଘୁନାଥପୁର ପଞ୍ଚାୟତ ଗିଲାଯୋଡି ଗ୍ରାମର ଗୋପାଳ ନାୟକଙ୍କ ସହ। ତେବେ ବିବାହ ପରେ କାଞ୍ଚନଙ୍କର କୌଣସି ପିଲାପିଲି ନହେବାରୁ ଗୋପାଳ କାଞ୍ଚନଙ୍କ ସହ ସବୁ ସମ୍ପର୍କ ଛିନ୍ନ କରି ଅନ୍ୟ ଜଣେ ମହିଳାଙ୍କୁ ବିବାହ କରି ଯାଇଥିଲେ। ଏହାପରେ ନିଜ ଗୋଡ଼ରେ କାଞ୍ଚନ ଛିଡ଼ା ହେବେ ଏମିତି ଭାବନା ନେଇ ଜଳେଶ୍ଵରର ଏକ ପ୍ରିଣ୍ଟିଂ ପ୍ରେମରେ ସହାୟିକା ଭାବେ ଚାକିରି କରିବା ସହ ଜଳେଶ୍ଵରରେ ଭଡ଼ାରେ ରହୁଥିଲେ। କାମ ଶିଖିବା ପରେ ଅର୍ଥାତ୍ ଦୁଇ ହଜାର ମସିହାରୁ କାଞ୍ଚନ ନିଜେ ବାସୁ ନାମକ ଏକ ପ୍ରେସ କରିଥିଲେ। ପ୍ରେସରୁ ଯାହା ଆୟ କରୁଥିଲେ ସେଥିରେ ସେ ଚଳି ଯାଉଥିଲେ।

ତେବେ ଗତ ବର୍ଷେ ହେଲା ସେ ଶାରିରୀକ ଭାବେ ଅସୁସ୍ଥ ଥିଲେ। ଆଉ ୧୫ ଦିନ ତଳେ ପ୍ରେସକୁ ଯାଉଥିବା ବେଳେ ପାହାଚରୁ ଖସି ପଡିବା ସହ ଗୋଡ଼ ଓ ଅଣ୍ଟା ଭାଙ୍ଗି ଗୁରୁତର ହୋଇଥିଲେ। ପଡୋଶୀ ଜଳେଶ୍ଵର, ବାଲେଶ୍ଵର ଓ ବାରିପଦା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ସେଠାରୁ କଟକ ବଡ଼ଡାକ୍ତରଖାନା ନେଇଥିଲେ। ଏହି ସମୟରେ ନିଜର ଅସୁବିଧା ସମ୍ପର୍କରେ କାଞ୍ଚନ ବାରମ୍ବାର ନିଜ ଏକ୍ସ ସାମାଜିକ ଗଣମାଧ୍ୟମ ରେ ଉଲ୍ଲେଖ କରିବା ସହ ଲୋକଙ୍କ ସାହାଯ୍ୟ ଭିକ୍ଷା ମଧ୍ୟ କରିଥିଲେ। କାଞ୍ଚନଙ୍କ କେହି ସମ୍ପର୍କୀୟ ତାଙ୍କ ପାଖରେ ରହୁ ନଥିବା ବେଳେ ସେ ଏବେ ବହୁତ କଷ୍ଟ ପାଉଛନ୍ତି ତେଣୁ ତାଙ୍କୁ ଇଚ୍ଛା ମୃତ୍ୟୁ ଅନୁମତି ମିଳିବା ଆବଶ୍ୟକ ବୋଲି ନବ ନିର୍ବାଚିତ ମୁଖ୍ୟମନ୍ତ୍ରୀଙ୍କୁ ଏକ୍ସରେ ନିବେଦନ କରିବା ପରେ କାଞ୍ଚନଙ୍କୁ ସରକାର ଅବିଳମ୍ବେ ସହାୟତାର ହାତ ବଢାନ୍ତୁ ବୋଲି ସାଧାରଣରେ ଦାବି ହୋଇଛି।

ଅନ୍ୟପଟରେ ରୋଗୀଙ୍କ ଅଭିଯୋଗ ନେଇ ‌କଟକ ଏସ୍‌ସିବି ପକ୍ଷରୁ ପ୍ରତିକ୍ରିୟା ମିଳିପାରି ନାହିଁ।

ସମ୍ବନ୍ଧିତ ଖବର