ପାଣିରେ ଭାସୁଛି ୩୬ କୋଟି! ନବନିର୍ମିତ ପାନପୋଷ ମାର୍କେଟ କଂପ୍ଲେକ୍ସରେ ଗଳୁଛି ପାଣି

୩୦ରୁ ଅଧିକ ଦୋକାନୀ ପ୍ରଭାବିତ, ମାନ ନେଇ ପ୍ରଶ୍ନବାଚୀ

ରାଉରକେଲା: ୨୦୨୩ ହକି ବିଶ୍ବକପ୍‌ ପୂର୍ବରୁ ସହରରେ ଏକାଧିକ ପ୍ରକଳ୍ପ ନିର୍ମାଣ କରାଯାଇଥିଲା। କେତେବେଳେ ହକି ଷ୍ଟାଚ୍ୟୁ ଭୁଶୁଡ଼ିପଡ଼ିଥିଲା ତ ପୁଣି କେତେବେଳେ ଚଳାପଥରେ ଲାଗିଥିବା ପେଭର୍‌ ବ୍ଲକ୍‌ ଭାଙ୍ଗିବାସହ ଦବିଯାଇଥିଲା। ଫଳରେ ପ୍ରକଳ୍ପର ମାନନେଇ ଆରମ୍ଭରୁ ବିବାଦ ଦେଖାଦେଇଥିଲା। ଏବେ ପାନପୋଷ ମାର୍କେଟ୍‌ର ମାନକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଲାଣି। ସାମାନ୍ୟ ବର୍ଷାରେ ଛାତରୁ ପାଣି ଗଳୁଥିବା ଦେଖିବାକୁ ମିଳୁଛି।
୨୦୧୯ ମସିହାରେ ସ୍ମାର୍ଟସିଟି ପକ୍ଷରୁ ପ୍ରାୟ ୩୬.୨୫ କୋଟି ଟଙ୍କା ବ୍ୟୟ ଅଟକଳରେ ୨୧୬ ଦୋକାନ ଗୃହ ବିଶିଷ୍ଟ ଏହି ଅତ୍ୟାଧୁନିକ ମାର୍କେଟ୍‌ କଂପ୍ଲେକ୍ସ ନିର୍ମାଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ନିର୍ଦ୍ଧାରିତ ସମୟଠାରୁ ଢ଼େର୍‌ ବିଳମ୍ବରେ ଏହାର ନିର୍ମାଣକାର୍ଯ୍ୟ ସଂପନ୍ନ ହୋଇଥିଲା। ନିର୍ମାଣ ସରିବାର ଦୀର୍ଘଦିନଧରି ଏଠାରେ ତାଲା ଝୁଲିଥିଲା, ଅବଶ୍ୟ ପରେ ଦୋକାନୀମାନଙ୍କୁ ଦୋକାନ ଗୃହ ଆବଣ୍ଟନ କରାଯାଇଥିଲା। ଏଥର ପ୍ରଥମ ବର୍ଷାରେ କିନ୍ତୁ ଏହାର ମାନ ପଦାରେ ପଡ଼ିଯାଇଛି। ବିଗତ ଦିନରେ ହୋଇଥିବା ଅସରାଏ ବର୍ଷାରେ ମାର୍କେଟ୍‌ କଂପ୍ଲେକ୍ସର କାନ୍ଥରୁ ପାଣି ଗଳିଥିଲା। ପ୍ରାୟ ୩୦ରୁ ଅଧିକ ଦୋକାନର ଛାତରୁ ପାଣି ଗଳୁଥିବା ଅଭିଯୋଗ ହୋଇଛି। ଏହାସହ ବହୁ ଦୋକାନୀ ପ୍ରଭାବିତ ହେଉଛନ୍ତି। ବର୍ଷାଜଳ ନିଷ୍କାସନ ହୋଇନପାରି ଛାତରେ ଜମି ରହୁଛି। ଏତଦ୍‌ବ୍ୟତୀତ ବିଲଡିଂରେ ବଡ଼ବଡ଼ ଫାଟ ସୃଷ୍ଟି ହେଲାଣି। ଆରମ୍ଭରୁ ଏଭଳି ସମସ୍ୟା ଉପୁଜିଥିବାରୁ ଏହାର ସ୍ଥାୟିତ୍ବ ନେଇ ଆଶଙ୍କା ପ୍ରକାଶ ପାଇଲାଣି।
ଉଲ୍ଲେଖଯୋଗ୍ୟ, ପାନପୋଷ ଅଞ୍ଚଳର ଦୋକାନୀଙ୍କ ପାଇଁ ୧୯୮୫ ମସିହାରେ ଏଠାରେ ୩୬ଟି ଦୋକାନ ବିଶିଷ୍ଟ ମାର୍କେଟ ବିଲ୍‌ଡିଂ ନିର୍ମାଣ କରାଯାଇଥିଲା। ତେବେ ଅତ୍ୟନ୍ତ ନିମ୍ନମାନର କାର୍ଯ୍ୟ ହେବାରୁ ମାତ୍ର ୫ ବର୍ଷ ଭିତରେ ଏହା ବ୍ୟବହାର ଅନୁପଯୋଗୀ ହୋଇଥିଲା। ପରେ ଉକ୍ତ ବିଲ୍‌ଡିଂକୁ ଲାଗି ଆଉ ଏକ ମାର୍କେଟ କଂପ୍ଲେକ୍ସ ନିର୍ମାଣ ହୋଇଥିଲା। ସେତେବେଳେ ୧୫୦ଟି ଦୋକାନ ଗୃହ ନିର୍ମାଣ କରାଯାଇଥିଲା। ତେବେ ଦୁର୍ଭାଗ୍ୟଜନକଭାବେ ଏହି ପ୍ରକଳ୍ପ ମଧ୍ୟ ଦୀର୍ଘସ୍ଥାୟୀ ହୋଇପାରିନଥିଲା। ଶେଷରେ ରାଉରକେଲା ସ୍ମାର୍ଟସିଟି ହେବାପରେ ଏହି ପ୍ରକଳ୍ପ ହାତକୁ ନିଆଯାଇଥିଲା।
ସମ୍ବନ୍ଧିତ ଖବର