ଫେବ୍ରୁଆରି ୨୯ ପରେ ବି ଆପ୍ ପୂର୍ବ ପରି ଚାଲିବ: ପେଟିଏମ୍ ନିର୍ମାତା ତଥା ସିଇଓ
ନୂଆଦିଲ୍ଲୀ: ପେଟିଏମ୍ ପେମେଣ୍ଟ୍ସ ବ୍ୟାଙ୍କ ବିରୋଧରେ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଚଳିତ ବର୍ଷ ଫେବ୍ରୁଆରି ୨୯ ପରଠାରୁ ଏହି ବ୍ୟାଙ୍କ କୌଣସି ଗ୍ରାହକଙ୍କଠାରୁ ଜମା ସଂଗ୍ରହ କରିପାରିବ ନାହିଁ କିମ୍ବା ଋଣ କାରବାର ମଧ୍ୟ କରିପାରିବ ନାହିଁ। କୌଣସି ଟପ୍-ଅପ୍ ସୁବିଧା ବି ଦେଇପାରିବ ନାହିଁ। ୱାଲେଟ୍ ଓ ଫାସ୍ଟ୍ୟାଗ୍ ଭଳି ଲିଙ୍କ୍ ହୋଇଥିବା ପ୍ରିପେଡ୍ ଇନଷ୍ଟ୍ରୁମେଣ୍ଟରେ କାରବାର କରିପାରିବନି।
Sambad is now on WhatsApp
Join and get latest news updates delivered to you via WhatsApp
ଏବେ ଏନେଇ ଗ୍ରାହକଙ୍କୁ ଆଶ୍ବସ୍ତି କରାଇବା ପରି ଏକ ସୂଚନା ଦେଇଛନ୍ତି ପେଟିଏମ୍ର ନିର୍ମାତା ତଥା ସିଇଓ ବିଜୟ ଶଙ୍କର ଶର୍ମା। ସେ କହିଛନ୍ତି କି ଫେବ୍ରୁଆରି ୨୯ ପରେ ମଧ୍ୟ ଆପ୍ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ। ବ୍ୟବହାରକାରୀମାନେ ଯେଉଁଭଳି ଭାବେ ପେଟିଏମ୍ ଆପ୍ ବ୍ୟବହାର କରୁଥିଲେ ସେହିପରି ଆଗକୁ ବି କରିପାରିବେ। ଏହାଛଡ଼ା ସିଇଓ ବ୍ୟବହାରକାରୀଙ୍କୁ ସେମାନଙ୍କର ଅତୁଟ ସମର୍ଥନ ପାଇଁ କୃତଜ୍ଞତା ଜ୍ଞାପନ କରିଛନ୍ତି।
ସେ ସୋସିଆଲ୍ ମିଡିଆ ପ୍ଲାଟ୍ଫର୍ମ ଏକ୍ସରେ ଲେଖିଛନ୍ତି, ‘‘ଆପଣଙ୍କ ପ୍ରିୟ ଆପ୍ ଚାଲୁଛି। ଫେବ୍ରୁଆରି ୨୯ ପରେ ମଧ୍ୟ ପୂର୍ବ ପରି ଚାଲିବ।’’ କମ୍ପାନି ଆହୁରି ବି କହିଛି ଯେ ଭାରତୀୟ ରିଜର୍ଭ ବ୍ୟାଙ୍କଙ୍କ ନିର୍ଦ୍ଦେଶ ବ୍ୟବହାରକାରୀଙ୍କ ସେଭିଂ ଆକାଉଣ୍ଟ୍,ୱାଲେଟ୍, ଫାଷ୍ଟାଗ୍, ଏନ୍ସିଏମ୍ସି ଆକାଉଣ୍ଟ୍କୁ ପ୍ରଭାବିତ କରିପାରିବ ନାହିଁ।
ଅନ୍ୟପକ୍ଷରେ ଗ୍ରାହକମାନେ ସେମାନଙ୍କ ସଞ୍ଚୟ ଓ ଚଳନ୍ତି ଖାତାରେ ଥିବା ବାଲାନ୍ସକୁ ନିର୍ଧାରିତ ସୀମା ପର୍ଯ୍ୟନ୍ତ ବ୍ୟବହାର କରିପାରିବେ ବୋଲି ରିଜର୍ଭ ବ୍ୟାଙ୍କ ମଧ୍ୟ ସ୍ପଷ୍ଟ କରିଛନ୍ତି। ପେଟିଏମ୍କୁ ସ୍ଥାପନ କରିଥିବା ସଂସ୍ଥା ୱାନ୍୯୭ କମ୍ୟୁନିକେସନ୍ସ ଲିମିଟେଡ୍ ଓ ପେଟିଏମ୍ ପେମେଣ୍ଟ୍ସ ବ୍ୟାଙ୍କ ଲିମିଟେଡ୍ର ନୋଡାଲ୍ ଆକାଉଣ୍ଟକୁ ରିଜର୍ଭ ବ୍ୟାଙ୍କ ରଦ୍ଦ କରିଛନ୍ତି।