ରାଇରଙ୍ଗପୁରର ପ୍ରସିଦ୍ଧ ରଥ ଯାତ୍ରା: ପୁରୀ ସହ ଗୋଟିଏ ଦିନରେ ଅୟୋଜନ
ଦ୍ୱିତୀୟ ଦିନରେ କେବଳ ମହିଳା ମାନେ ରଥ ଟାଣିଥାନ୍ତି
ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲାର ଆଦିବାସୀ ବହୁଳ ବିଶିଷ୍ଟ ଅଂଚଳ ହେଉଛି ବାମନଘାଟୀ ଉପଖଣ୍ଡର ରାଇରଙ୍ଗପୁର ଅଂଚଳ। ବର୍ତମାନର ଜଗନ୍ନାଥ ମନ୍ଦିର ସ୍ଥାପିତ ହୋଇଥିବା ସ୍ଥାନରେ ରଘୁନାଥ ଜୀଉ ମନ୍ଦିର ଥିଲା। ପରେ ବାତ୍ୟା ଓ ଖଡଖାଇ ନଦୀର ବନ୍ୟାରେ ତାହା ସମ୍ପୂର୍ଣ ଧୋଇହୋଇଯିବା ଫଳରେ ଅଁଳାଡୁବାଠାରେ ରଘୁନାଥ ଜୀଉଙ୍କ ନୂତନ ମନ୍ଦିତ ସ୍ଥାପନା କରାଗଲା। ପରବର୍ତ୍ତୀ ସମୟରେ ତତକାଳୀନ ଉପଜିଲ୍ଲାପାଳ ସୁରେଶ ମହାପାତ୍ର,ରାଇରଙ୍ଗପୁର କୋର୍ଟର ତତ୍କାଳୀନ ସବ୍ ଜଜ୍ ପ୍ରମୋଦ କୁମାର ଭୂୟାଁ,ପ୍ରାକ୍ତନ ବାଙ୍କବଳ ବନ୍ଧର ଇଂଞିନିୟର୍ କିଶୋର ଚନ୍ଦ୍ର ମିଶ୍ର ଏବଂ ଏସିଟିଓ ପୂର୍ଣଚନ୍ଦ୍ର ମିଶ୍ରଙ୍କ ସମେତ ସ୍ଥାନୀୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଉଦ୍ୟମରେ ୧୯୮୭ ମସିହା ଫେବ୍ରୁଆରି ୩ ତାରିଖରେ ଧର୍ମଗଳୀସ୍ଥ ଖଡଖାଇ ନଦୀକୂଳରେ ଭୂମି ଚିହ୍ନଟ କରାଯାଇ ମନ୍ଦିର ନିର୍ମାଣ ନିମନ୍ତେ ଶିଳାନ୍ୟାସ କରାଯାଇଥିଲା। ଏମିତିକି ମହାପ୍ରଭୁଙ୍କ ମହତି ଇଚ୍ଛାରେ ଏକ ବର୍ଷ ମଧ୍ୟରେ ମନ୍ଦିରର ସମ୍ପୂର୍ଣ ରୂପରେଖ ସମାପନ ହୋଇଥିଲା ଏବଂ ଶ୍ରୀକ୍ଷେତ୍ର ଧାମ ପୁରୀରୁ ବୁଢା ମହାରଣାଙ୍କ ଦ୍ୱାରା ଦାରୂ ଚିହ୍ନିତ କାଠରେ ଚର୍ତୁଧା ବିଗ୍ରହ ନିର୍ମିତ ହୋଇଥିବା ବିଗ୍ରହ ମାନଙ୍କୁ ଆଣି ପ୍ରଥମତଃ ରଘୁନାଥ ଜୀଉ ମଠରେ ରଖାଯାଇଥିଲା।
ପୁରୀରୁ ବିଗ୍ରହ ଏକ ଟ୍ରକ୍ ଯୋଗେ ଆଣୁଥିବା ସମୟରେ ଏକ ବିଚିତ୍ର ବିସ୍ମୟକର ଘଟଣା ଘଟିଥିଲା, ଯେ ପୁରୀରୁ ବିଗ୍ରହ ବାହାରିବା ଏବଂ ରାଇରଙ୍ଗପୁରରେ ପହଂଚିବା ପର୍ଯ୍ୟନ୍ତ ନିୟମିତ ଭାବେ ବର୍ଷା ହେଉଥିଲା। ଚତୁର୍ଦ୍ଧା ବିଗ୍ରହ ରଘୁନାଥ ଜୀଉ ମଠରେ ଏକ ମାସ ରହିବା ପରେ ପବିତ୍ର ମାଘ ସପ୍ତମୀ ତିଥୀ ୧୯୮୮ ମସିହା ଜାନୁଆରି ୨୪ରେ ମହାପ୍ରଭୂ ପଦ୍ମଶ୍ରୀ ଶ୍ରୀଶ୍ରୀ ସଦାଶିବ ରଥ ଶର୍ମାଙ୍କର ପ୍ରତ୍ୟେକ୍ଷ ତତ୍ୱାବଧାନରେ ନ୍ୟାସ, ପ୍ରତିଷ୍ଠିତ ହୋଇ ରତ୍ନ ସିଂହାସନରେ ବିଜେ କରିଥିଲେ। ସେହିଦିନଠାରୁ ଅଦ୍ୟାବଧି ପର୍ଯ୍ୟନ୍ତ ମହାପ୍ରଭୁ ୧୨ ମାସରେ ୧୩ ଯାତ୍ରାର ନୀତିନିୟମରେ ବନ୍ଧା ହୋଇ ପୂଜିତ ହୋଇ ଆସୁଛନ୍ତି। ଶକ୍ଷେତ୍ରର ଅନେକ ନୀତି ନିୟମ ସହିତ ରାଇରଙ୍ଗପୁର ମହାପ୍ରଭୂଙ୍କର ନିତୀନିୟମ ପ୍ରାୟତଃ ସମାନ ଭାବରେ ପାଳିତ ହୁଏ। ଏମିତିକି ମହାପ୍ରଭୁଙ୍କର ସ୍ନାନଯାତ୍ରା,ଗୁଣ୍ଡିଚା ଯାତ୍ରା, ଚନ୍ଦନ ଯାତ୍ରା, ଝଲଣ ଯାତ୍ରା, କାର୍ତ୍ତିକ ପୂର୍ଣିମା, ମକର ସଂକ୍ରାନ୍ତି ପର୍ବ ବହୁ ଆଡମ୍ବର ସହକାରେ ପାଳିତ ହୁଏ। ଯେଉଁଦିନ ଶ୍ରୀକ୍ଷେତ୍ରରେ ରଥ ଗଡେ ସେହିଦିନ ମଧ୍ୟ ରାଇରଙ୍ଗପୁର ବଡଦାଣ୍ଡରେ ରଥ ଗଡିଥାଏ। ଯଦିଓ ତିନି ରଥ ପରିବର୍ତ୍ତେ ଏକ ୩୩ ଫୁଟ୍ ଉଚ୍ଚ ପରିମିତ ଭବ୍ୟ, ଦିବ୍ୟ, ପିତ, ରକ୍ତ ଓ ନୀଳ ଆବରଣ ଯୁକ୍ତ ଅଶ୍ୱ ସାରଥୀ ସଂଯୁକ୍ତ ବିଭିନ୍ନ ବସ୍ତ୍ର ପୁଷ୍ପ ଦିବ୍ୟ ଆଭରଣ ଦ୍ୱାରା ସଂଯୁକ୍ତ ନନ୍ଦିଘୋଷ ରଥ ଅତ୍ୟନ୍ତ ଆକର୍ଷଣ ପୂର୍ବକ ଏହି ଆଦିବାସୀ ଅଧ୍ୟୁଷିତ ଅଂଚଳ ରାଇରଙ୍ଗପୁର ବଡଦାଣ୍ଡରେ ଲକ୍ଷାଧିକ ଭକ୍ତଙ୍କ ଉପସ୍ଥିତରେ ଜାତି ଧର୍ମ ବର୍ଣ ନିର୍ବି ଶେଷରେ ସମଧିକାରରେ ଶ୍ରୀ ଜୀଉ ମାନେ ଗୁଣ୍ଡିଚା ଅଭିମୂଖେ ଯାତ୍ରା କରନ୍ତି।
![Sambad Whatsapp](https://cdn-icons-png.flaticon.com/512/2504/2504957.png)
Sambad is now on WhatsApp
Join and get latest news updates delivered to you via WhatsApp
ଗୁଣ୍ଡିଚା ରଥଯାତ୍ରା ଦୁଇଦିନ ଧରି ଅନୁଷ୍ଠିତ ହେଉଥିବା ବେଳେ ପ୍ରଥମ ଦିନ ପୁରୁଷ ମାନେ ଓ ଦ୍ୱିତୀୟ ଦିନ କେବଳ ମହିଳାମାନେ ରଥ ଟାଣିଥାନ୍ତି। ଗୁଣ୍ଡିଚା ମନ୍ଦିରରେ ରଥ ପହଂଚିବା ପରେ ସେହିଦିନ ସନ୍ଧ୍ୟା ସମୟରେ ମହାପ୍ରଭୁ ଧାଡି ପହଣ୍ଡି ହୋଇ ଗୁଣ୍ଡିଚା ମଣ୍ଡପକୁ ବିଜେ କରନ୍ତିି। ସେଠାରେ ସପ୍ତାହେ ବ୍ୟାପି ମହାପ୍ରଭୁ ଅବସ୍ଥାନ କରନ୍ତି। ସେ ସମୟରେ ରଥଯାତ୍ରା ସବ୍ କମିଟି ପକ୍ଷରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥାଏ ଏବଂ ପ୍ରତ୍ୟେକ ଦିନ ଭକ୍ତଙ୍କ ନିମନ୍ତେ ଭିନ୍ନ ଭିନ୍ନ ପ୍ରକାର ପ୍ରସାଦର ବ୍ୟବସ୍ଥା କରାଯାଇଥାଏ। ମହାପ୍ରଭୂ ବିଭିନ୍ନ ବେଶ ମଧ୍ୟ ଧାରଣ କରିଥାନ୍ତି। ଏଠାରେ ଏକ ବିଶେଷ ଆକର୍ଷଣ ଗୁଣ୍ଡିଚା ମନ୍ଦିରରେ ବିପତ୍ତ ତାରିଣୀ ବ୍ରତ ଦିନ ଲକ୍ଷାଧିକ ମହିଳା ଭକ୍ତଙ୍କ ସମାଗମ ହୋଇଥାଏ। ସେମାନେ ଅତି ଆନନ୍ଦର ସହକାରେ ଭୋଗରାଗ ଲଗାଇ ମହପ୍ରଭୁଙ୍କ ନିକଟରେ ବ୍ରତ ପାଳନ କରିବା ସହିତ ପ୍ରସାଦ ସେବନ କରିଥାନ୍ତି।
ପରେ ଗୁଣ୍ଡିଚା ଯାତ୍ରା ଭଳି ବାହୁଡା ଯାତ୍ରା ମଧ୍ୟ ଦୁଇଦିନ ଧରି ଅନୁଷ୍ଠିତ ହୋଇଥାଏ। ବଡଦାଣ୍ଡରେ ଦୁଇଦିନ ଧରି ରଥ ଟଣା ହୁଏ। ବାହୁଡାଯାତ୍ରାରେ ମଧ୍ୟ ପ୍ରଥମ ଦିନରେ ପୁରୁଷ ଓ ଦ୍ୱିତୀୟ ଦିନରେ ମହିଳା ମାନେ ରଥ ଟାଣିଥାନ୍ତି। ଡାହୁକ କୃଷ୍ଣଚନ୍ଦ୍ର ମହାନ୍ତିଙ୍କର “ହୋ ଭକତେ ଧୀରେଧୀରେ” ଧ୍ୱନୀର ସମସ୍ତେ ମଜା ନେବା ସହିତ ଏକତାଳରେ ଭକ୍ତମାନେ ଝୁମିଥାନ୍ତି, ଯାହାକି ଓଡିଶାର କେବଳ ରାଇରଙ୍ଗପୁରରେ ହିଁ ଦେଖିବାକୁ ମିଳିଥାଏ। ରଥ ଆସି ନିଦ୍ଧିଷ୍ଟ ରଥ ଖଳା ନିକଟରେ ପହଂଚିବା ପରେ ଠାକୁରଙ୍କ ସୁନାବେଶ ଲାଗି ହୁଏ। ସୁନାବେଶର ଏକାଦଶୀ ନିତୀ, ମହାଆଳତୀ, ଅଧରପଣ ଲାଗି ଅନୁଷ୍ଠିତ ହୁଏ। ଭକ୍ତମାନେ ରଥ ସମ୍ମୂଖ୍ୟ ଭାଗରେ ଅନେକ ସଂଖ୍ୟାରେ ଉପସ୍ଥିତ ରହି ସୁନାବେଶ ଦର୍ଶନ କରି ମହାପ୍ରଭୁଙ୍କ ଆର୍ଶିବାଦ ଭିକ୍ଷା କରିଥାନ୍ତି। ତାପର ଦିନ ନିଳାଦ୍ରୀ ବିଜୟ ନୀତି ଅନୁଷ୍ଠିତ ହୁଏ। ଏଥିରେ ରସଗୋଲା ଭୋଗ, ଲକ୍ଷ୍ମୀନାରାୟଣ କଳି ଏବଂ ଶ୍ରୀମନ୍ଦିର ଅବଢା ନିତୀ ଅନୁଷ୍ଠିତ ହୁଏ। ରାଇରଙ୍ଗପୁର ଜଗନ୍ନାଥ ମନ୍ଦିରର ମୂଖ୍ୟ ପୂଜକ ଦେବବ୍ରତ ରଥ ମହାପାତ୍ର ଅତି ନିଷ୍ଠାର ସହିତ ଭାବେ ଆଜିକୁ ୩୦ ବର୍ଷ ହେଲା ନିରବଚ୍ଛିନ ଭାବେ ବଡପଣ୍ଡାର ଦାୟିତ୍ୟ ତୁଲାଇ ଆସୁଛନ୍ତି। ତେବେ ସ୍ଥାନୀୟ ମାନ୍ୟଗଣ ବ୍ୟକ୍ତିଙ୍କ ସହ ଯୋଗରେ ମନ୍ଦିର ଓ ରଥ ଯାତ୍ରା କାର୍ଯ୍ୟ ସମ୍ପୂର୍ଣର୍ ଭାବେ ସୂଚାରୁ ରୂପେ ସମ୍ପାଦନ ହୁଏ।