ଗତ ୭ ବର୍ଷରେ ଦ୍ବିଗୁଣ ବଢିଛି ଜିଏସଟି ଟିକସଦାତାଙ୍କ ସଂଖ୍ୟା

ଭୁବନେଶ୍ବର : ଦେଶରେ ଦ୍ରବ୍ୟ ଓ ସେବା ଟିକସ (ଜିଏସଟି) ଲାଗୁ ହେବାର ୭ ବର୍ଷ ପୂରଣ ହୋଇଛି । ଭୁବନେଶ୍ବର ଜିଏସଟି ଓ କଷ୍ଟମ୍ସ ଜୋନ ପକ୍ଷରୁ ସ୍ଥାନୀୟ ରାଜସ୍ବ ବିହାରଠାରେ ଏହି ଉପଲକ୍ଷେ ଏହ ସପ୍ତାହବ୍ୟାପୀ ସମାରୋହ ଆରମ୍ଭ ହୋଇଛି । ଏହି ସମାରୋହରେ ଟିକସଦତା, ସାଧାରଣ ଲୋକ, ଛାତ୍ରଛାତ୍ରୀ, ବ୍ୟବସାୟୀ ଓ ଅଧିକାରୀମାନେ ଯୋଗ ଦେବେ । ସୋମବାରଦିନ ଏହି ସମାରୋହକୁ ଭୁବନେଶ୍ବର ଜିଏସଟି କମିସନରେଟ୍ର ପ୍ରନ୍ସିପାଲ କମିସନର ଭିଏନ ଥେଟେ ଉଦଘାଟନ କରିଥିଲେ । ସେ ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା ଓ ୭ ବର୍ଷର ଜିଏସଟି ଯାତ୍ରା ସମ୍ପର୍କରେ କହିଥିଲେ ।

ଗତ ୭ ବର୍ଷରେ ସାରା ଦେଶରେ ଜିଏସଟି ଟିକସଦାତାଙ୍କ ସଂଖ୍ୟା ଦ୍ବିଗୁଣିତ ହୋଇଛି । ସେହିପରି ୨୦୧୭-୧୮ରେ ଜିଏସଟି ସଂଗ୍ରହ ୮ ଲକ୍ଷ କୋଟି ଥିବାବେଳେ ୨୦୨୩-୨୪ରେ ତାହା ୨୦ ଲକ୍ଷ କୋଟିକୁ ଟପିଯାଇଛି । ବ୍ୟବସ୍ଥାର ସରଳୀକରଣ ଓ ଟେକନଲୋଜୀର ବ୍ୟବହାର ଦ୍ବାରା ଜିଏସଟି ଆଦାୟରେ ଏହି ଉଲ୍ଲେଖନୀୟ ଅଭିବୃଦ୍ଧି ଦେଖାଦେଇଛି । ଏହି ଅବସରରେ ମଧୁସୁଦନ ଆଇନ ମହାବଦ୍ୟାଳୟର କୁଳପତି ପ୍ରଫେସର କମଲଜିତ ସିଂ ନିଜର ଅଭିଭାଷଣରେ ଜିଏସଟି ଆଇନ ଓ ସହଯୋଗମୂଳକ ସଂଘୀୟ ବ୍ୟବସ୍ଥା ଉପରେ ଆଲୋକପାତ କରିଥିଲେ । ଏହି ସପ୍ତାହବ୍ୟାପୀ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚିତ୍ରାଙ୍କନ, ପ୍ରବନ୍ଧ ଲିଖନ, କ୍ବିଜ୍ ଆଦି ପ୍ରତିଯୋଗିତା ଆୟୋଜନ କରାଯାଇଛି ।

 

 

ସମ୍ବନ୍ଧିତ ଖବର