ପିଏନ୍‌ବି ଠକେଇ: ନିରବ ଓ ମେହୁଲଙ୍କ ନାମରେ ଏନ୍‌ବିଡବ୍ଲ୍ୟୁ

ମୁମ୍ବାଇ: ହୀରା ଗହଣା ଡିଜାଇନର ତଥା ବ୍ୟବସାୟୀ ନିରବ ମୋଦି ଓ ମେହୁଲ ଚୋକ୍‌ସିଙ୍କ ନାମରେ ମୁମ୍ବାଇର ଏକ ସ୍ୱତନ୍ତ୍ର ଅଦାଲତ ଜାମିନ ବିହୀନ ଗିରଫ ପରଓ୍ଵାନା (ଏନ୍‌ବିଡବ୍ଲ୍ୟୁ) ଜାରି କରିଛନ୍ତି। ଏହି ଅଦାଲତ ମନି ଲଣ୍ଡରିଂ ନିରୋଧ ଆଇନ (ପିଏମ୍‌ଏଲ୍‌ଏ) ଅନୁଯାୟୀ ଗଠିତ କୋର୍ଟ ପକ୍ଷରୁ ଏହି ଏନ୍‌ବିଡବ୍ଲ୍ୟୁ ଜାରି କରାଯାଇଛି। ଏହି ମାମଲାର ଅନ୍ୟତମ ତଦନ୍ତକାରୀ ସଂସ୍ଥା ପ୍ରବର୍ତନ ନିର୍ଦେଶାଳୟ (ଇଡି)ର ଆବେଦନ ଆଧାରରେ ଏହା କରାଯାଇଛି। ପୂର୍ବରୁ ପ୍ରବର୍ତନ ନିର୍ଦେଶାଳୟ ପକ୍ଷରୁ ପିଏନ୍‌ବିର ୧୨,୭୦୦ କୋଟି ଟଙ୍କାର ଠକେଇ ମାମଲାର ଦୁଇ ମୁଖ୍ୟ ଅଭିଯୁକ୍ତଙ୍କୁ ସମନ ପାଇଁ ନୋଟିସ ଦିଆଯାଇଥିଲା। କିନ୍ତୁ ଏମାନେ ହାଜର ନହେବାରୁ ଗତମାସ ୨୭ ତାରିଖରେ ଇଡି ଏଥିପାଇଁ ଅଦାଲତରେ ଆବେଦନ କରିଥିଲା। ଅଦାଲତକୁ ଇଡି ଜଣାଇଥିଲା ଯେ ସେମାନଙ୍କୁ ହାଜର ହେବା ପାଇଁ ୩ ଥର ନୋଟିସ ଦିଆଯାଇ ସାରିଲାଣି। ସେମାନେ କିନ୍ତୁ ଏହି ନୋଟିସର ଉତ୍ତର ଦେଉନାହାନ୍ତି କମ୍ବା ଇଡି କାର୍ଯ୍ୟାଳୟରେ ହାଜର ହେଉନାହାନ୍ତି। ବିଚାରପତି ଏମ୍‌. ଏସ୍‌. ଆଜ୍‌ମି ଏହି ମାମଲାର ବିଚାର କରିଥିଲେ।

ଅବସରପ୍ରାପ୍ତ ଓଡ଼ିଆ ଅଧିକାରୀ ଗିରଫ
ମୁମ୍ବାଇ: ପିଏନ୍‌ବିର ମହାଠକେଇ ମାମଲାରେ ସିବିଆଇ ଜଣେ ଓଡ଼ିଆ ଅଧିକାରୀଙ୍କୁ ଗିରଫ କରିଛି। ସେ ହେଲେ ବିଷ୍ଣୁବ୍ରତ ମିଶ୍ର। ତାଙ୍କ ଘର କେନ୍ଦୁଝର ଜିଲ୍ଲାରେ। ସେ ଏବେ ପିଏନ୍‌ବିରୁ ଅବସର ନେଇ ସାରିଛନ୍ତି। କିନ୍ତୁ ୨୦୧୧ରୁ ୨୦୧୫ ମଧ୍ୟରେ ସେ ପିଏନ୍‌ବିର ବ୍ରେଡି ହାଉସ୍‌ ଶାଖାର ମିଳିତ ଅଡ଼ିଟ୍‌ କାର୍ଯ୍ୟ କରିଥିଲେ। ସେ ବ୍ୟାଙ୍କର ଆଭ୍ୟନ୍ତରୀଣ ମୁଖ୍ୟ ଅଡିଟରଭାବେ କାର୍ଯ୍ୟ କରୁଥିଲେ। ସିିବିଆଇ ତାଙ୍କୁ ଗତ ଗୁରୁବାର ଗିରଫ କରିବା ସହିତ ୧୪ ଦିନିଆ ରିମାଣ୍ଡରେ ନେଇ ଜେରା କରୁଛି।

ସମ୍ବନ୍ଧିତ ଖବର