ବ୍ୟାଙ୍କ ଅଧିକାରୀଙ୍କ ପ୍ରେମରେ ପଡ଼ି ସ୍ତ୍ରୀ ଓ ଦୁଇମାସର ପୁଅକୁ ପେଟ୍ରୋଲ ଢ଼ାଳି ଜାଳି ଦେଲେ ଯବାନ !

ନୂଆଦିଲ୍ଲୀ: ବିହାରର ମୁଜଫରପୁର ଜିଲ୍ଲାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତି ବ୍ୟାଙ୍କ ଅଧିକାରୀଙ୍କ ପ୍ରେମରେ ପଡ଼ି ସ୍ତ୍ରୀ ଓ ଦୁଇମାସର ପୁଅକୁ ପେଟ୍ରୋଲ ଢ଼ାଳି ହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି। ମୃତକଙ୍କ ପରିଚୟ ସୋନଲ ପ୍ରିୟା ଓ ଦୁଇମାସର ପୁଅ ନାମ ଅଚତମ ବୋଲି ଜଣାପଡ଼ିଛି। ପୁଲିସ ଅଭିଯୁକ୍ତ ବାପାକୁ ଏହି ହତ୍ୟା ଘଟଣାରେ ଗିରଫ କରି ତଦନ୍ତ ଜାରି ରଖିଛି।

ମୃତକ ସୋନଲଙ୍କ ଭାଇ ପ୍ରକାଶ କୁଞ୍ଜଙ୍କ କହିବାନୁସାରେ, ‘ମୋର ଘର ଭଉଣୀ ଘର ପାଖରେ। ଭଉଣୀର ବିବ‌ାହ ୧୦ବର୍ଷ ପୂର୍ବେ ହିମାଂଶୁ ସହିତ ହୋଇଥିଲା। ବିବାହ ସମୟରେ ହିମାଂଶୁ କୌଣସି କାମ କରୁ ନଥିଲା। ଘରର ଖର୍ଚ୍ଚ ହିମାଂଶୁର ବାପା ଓ ଭାଇ ଉଠାଉଥି‌ଲେ। ବିବାହ ପରେ ହିମାଂଶୁର ଚାକିରି ସେନାରେ ହୋଇଯାଇଥିଲା। ସେ ରାଜସ୍ଥାନର ଯୋଧପୁରକୁ ଯାଇ ଚାକିରିରେ ଯୋଗ ଦେଇଥିଲା।

ନିକଟରେ ସେ ଘରକୁ ଫେରିଥିଲା। ଆମେ ରାତିରେ ଶୋଇଥିବା ବେଳେ ଭାଣିଜି ଆସି ଡାକ ପକାଇଲା କି ମାମୁ ଉଠ ମୋ ମା’ ଓ ଭାଇକୁ ବାପା ପେଟ୍ରୋଲ ପକାଇ ଜାଳି ଦେଇଛନ୍ତି। ମୁଁ ଦୌଡ଼ି ଭଉଣୀ ଘରକୁ ଯାଇଥିଲି। ସେଠାରୁ ଭଉଣୀ ଓ ଭଣଜାକୁ ଉଦ୍ଧାର କରି ହସ୍ପିଟାଲ ନେଇଥିଲି କିନ୍ତୁ ବହୁତ ବିଳମ୍ବ ହୋଇଯାଇଥିଲା। ଡାକ୍ତର ଦୁହିଁଙ୍କୁ ମୃତ ଘୋଷଣା କରିଥିଲେ।

ତେବେ ହିମାଂଶୁର ସେନାରେ ଚାକିରି ହୋଇଯିବା ପରେ ସେ ଯୌତୁକ ଦାବି କରିଥିଲା। ଏଥିସହିତ ଭଉଣୀକୁ ବି ନିର୍ଯାତନା ଦେଉଥିଲା। ମୁଁ ଶୁଣିବାକୁ ପାଇଛି କି ତାର ଜଣେ ବ୍ୟାଙ୍କ ଅଧିକାରୀଙ୍କ ସହିତ ବି ଖରାପ ସମ୍ପର୍କ ରହିଛି, ଯାହାକି ଭଉଣୀ ଜାଣି ସାରିଥିଲା। ହିମାଂଶୁ ଦ୍ବିତୀୟ ବିବାହ କରିବ ବୋଲି ମୋର ଭଉଣୀ ଓ ଭଣଜାକୁ ମାରିଦେଲା। ’

ସମ୍ବନ୍ଧିତ ଖବର