ପୁଣି ଦୁଇ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା, ୨୦ ଯାତ୍ରୀ ଆହତ

ବାଲେଶ୍ବର: ରାଜ୍ୟ ପରିବହନ ବିଭାଗର ଦୁର୍ଘଟଣା ରୋକିବା ଦିଗରେ ଉଦ୍ୟମ ସତ୍ତ୍ବେ ସଡ଼କ ଦୁର୍ଘଟଣା ସଂଖ୍ୟା ବଢ଼ିବାରେ ଲାଗିଛି। ଆଜି ସକାଳେ ବାଲେଶ୍ବର  ତାମୁଳିଆ ରେଲୱେ ଓଭରବ୍ରିଜ ଉପରେ ଦୁଇ ବସ ମୁହାଁମୁହିଁ ଧକ୍କା ହେବା ଫଳରେ ୨୦ ଯାତ୍ରୀ ଆହତ ହୋଇଥିବା ଖବର ହସ୍ତଗତ ହୋଇଛି।

ସୂଚନା ଅନୁସାରେ, ଆଜି ବାଲେଶ୍ଵର ସହର ଉପକଣ୍ଠ ତାମୁଳିଆ ରେଲୱେ ଓଭରବ୍ରିଜ ଉପରେ ସକାଳ ପ୍ରାୟ ୯ଟା ସମୟରେ  ଦୁଇ ବସ ମୁହାଁମୁହିଁ ଧକ୍କା ହେବା ଫଳରେ ରେ ୨୦ ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଛନ୍ତି। ବାଲେଶ୍ଵରରୁ ଭୁବନେଶ୍ୱର ଯାଉଥିବା ମନୀଷା ବସ ଓ ବିପରୀତ ପଟୁ ବାହାନଗାରୁ ବାଲେଶ୍ଵର ଯାତ୍ରୀ ନେଇ ଆସୁଥିବା ଅରବିନ୍ଦ ବସ ମଧ୍ୟରେ ତାମୁରିଆ ରେଲୱେ ଓଭରବ୍ରିଜ ଉପରେ ମୁହାଁ ମୁହିଁ ଧକ୍କା ହୋଇଥିଲା।

ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଓ ପୁଲିସ ଉଦ୍ୟମରେ ଆହତମାନଙ୍କୁ ଉଦ୍ଧାର କରାଯାଇ ଆମ୍ବୁଲାନ୍ସରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ରାସ୍ତା ଉପରୁ ବସ ଦୁଇଟିକୁ ହଟାଇ ଟ୍ରାଫିକ ନିୟନ୍ତ୍ରଣ ବ୍ୟବସ୍ଥା କରୁଥିବା ଜଣାପଡିଛି।

ଗତ ଜୁନ ୨୫ ତାରିଖ ବିଳମ୍ବିତ ରାତିରେ ଗଂଜାମ ଜିଲ୍ଲା ଦିଗପହଣ୍ଡି ଖେମୁଣ୍ଡି କଲେଜ ନିକଟରେ ଘଟିଥିବା ଦୁଇ ବସ୍ ମୁହାଁମୁହିଁ ଧକ୍କାର ଲୋମଟାଙ୍କୁରା ଦୃଶ୍ୟ ଲୋକଙ୍କ ମନରୁ ଲିଭି ନଥିବା ବେଳେ ପୁଣି ଦୁଇ ବସ ମୁହାଁମୁହିଁ ଧକ୍କାର ସମ୍ମୁଖୀନ ହୋଇଛନ୍ତି । ଦିଗପହଣ୍ଡି ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୧୨ରେ ପହଞ୍ଚିଛି।

ସମ୍ବନ୍ଧିତ ଖବର