ପଠାରେ ଚରୁଥିବା ଗାଈକୁ ନଦୀ ଭିତରକୁ ଝାମ୍ପିି ନେଲା କୁମ୍ଭୀର, ଉଦ୍ଧାର କଲେ ଗ୍ରାମବାସୀ

ଆଳି: କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକର ଖରସ୍ରୋତା ଓ କାଣୀ ନଦୀ ବନ୍ୟାପାଣିରେ ଏବେ କୁମ୍ଭୀରଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ଏଣେ ବନ୍ୟାପାଣି ହେତୁ ଲୋକେ ଘରୁ ବାହାରକୁ ନବାହାରି ଘରେ ବନ୍ଦ ହୋଇ ରହିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଦେଖିବାକୁ ମିଳିଛି କୁମ୍ଭୀର ଆତଙ୍କ।

ବୁଧବାର ସାନଆଙ୍କୋ ନିକଟସ୍ଥ ଖରସ୍ରୋତା ନଦୀ ପଠା‌ରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ସେଠାରେ ଚରୁଥିବା ଏକ ଗାଈକୁ କୁମ୍ଭୀର ଅତର୍କିତ ଆକ୍ରମଣ କରି ନଦୀ ଭିତରକୁ ଝାମ୍ପି ନେଇଥିଲା । ଗାଈଟି ଗ୍ରାମର ଭରତ ତରାଇଙ୍କର ବୋଲି ଜାଣିବାକୁ ମିଳିଛି।

ଏପରି ଘଟଣା ଘଟିବା ସମୟରେ ସେଠାରେ ଥିବା ଗ୍ରାମବାସୀମାନେ ଇଟା, ପଥର ଫିଙ୍ଗିବାରୁ କୁମ୍ଭୀର ଗାଈକୁ ଛାଡି ଦେଇଥିଲା। ତେବେ କୁମ୍ଭୀର ଆକ୍ରମଣରେ ଗୁରୁତର ହୋଇଥିବା ଗାଈଟିକୁ ସାନଆଙ୍କୋ ଗ୍ରାମର କିଛି ଯୁବକ ଉଦ୍ଧାର କରି କବାଟରେ ଶୁଆଇ କାନ୍ଧରେ ବୋହି ନେଇ ଡାକ୍ତରଖାନାରେ ପହଞ୍ଚିଥିଲେ। ଗାଈଟିର ଚିକିତ୍ସା ଚାଲିଛି।  ଆକ୍ରମଣକାରୀ ବିଶାଳକାୟ କୁମ୍ଭୀରର ଲମ୍ବ ପ୍ରାୟ୨୦ ଫୁଟ ହେବ ବୋଲି ଗାଈକୁ କୁମ୍ଭୀର ମୁହଁରୁ ଉଦ୍ଧାର କରିଥିବା ଗ୍ରାମବାସୀମାନେ କହିଛନ୍ତି।

ସମ୍ବନ୍ଧିତ ଖବର