ବିଡ଼ମ୍ବିତ ଶୈଶବ, ହାତରେ କଲମ ବଦଳରେ କୋଳି

ବାହାନଗା: ପେଟକୁ ଦାନା ଯୋଗାଡ଼ କରିବାର ବୋଝ ପଡ଼ିଛି କୁନି କାନ୍ଧରେ। ତେଣୁ ପୁଙ୍ଗୁଳା ଦେହରେ ରାସ୍ତାକଡ଼ରେ ଛିଡ଼ା ହୋଇ ଲୋକଙ୍କୁ ଜାମୁକୋଳି ବିକ୍ରି କରିବା ପାଇଁ ଅପେକ୍ଷା କରନ୍ତି। ଯାହା ମିଳୁ, ସେତିକିରେ ଖୁସି। ଶିଶୁଙ୍କ ସାମଗ୍ରିକ ବିକାଶ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଏମିତି କିଛି ଦୃଶ୍ୟ ସରକାରଙ୍କ ସର୍ବଶିକ୍ଷା ଅଭିଯାନ ଭଳି ଯୋଜନା ପ୍ରତି ଉପହାସ ମନେହୁଏ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ବାହାନଗା ବ୍ଲକ୍ ୧୬ ନମ୍ବର ଜାତୀୟ ରାଜପଥ କଡ଼ ପଣପଣା ନିକଟରେ।

ପଣପଣା ଛକ ନିକଟରେ ରହିଛି ଏକ ଆଦିବାସୀ ସାହି। ସାହିରେ ୧୦ରୁ ଊର୍ଦ୍ଧ୍ବ ଆଦିବାସୀ ପରିବାର ରହୁଥିବା ବେଳେ ପାଖାପାଖି ୨୦ ଶିଶୁ ରହନ୍ତି। ପାଠପଢ଼ା ତ ଦୂରର କଥା ସ୍କୁଲ୍ କିମ୍ବା ଅଙ୍ଗନବାଡ଼ି କ’ଣ ଏମାନେ ଜାଣନ୍ତି ନାହିଁ। ଘରର ପୁରୁଷ ଓ ମହିଳାମାନେ କାମ କରିବାକୁ ବାହାରକୁ ଯିବା ପରେ କୁନି କୁନି ପିଲାମାନେ ଜାମୁଗଛଗୁଡ଼ିକରୁ କୋଳି ତୋଳି ବାହାରିପଡ଼ିନ୍ତି ରୋଜଗାରରେ। ରାଜପଥ କଡ଼ରେ ଛିଡ଼ା ହୋଇ ଅପେକ୍ଷା କରନ୍ତି, କେହି ଗାଡ଼ି ରଖି ଓହ୍ଲାଇବେ ଆଉ ସେମାନଙ୍କ କୋଳି କିଣିନେବେ। ଅନେକ ଲୋକ ଗାଡ଼ିରୁ ଓହ୍ଲାନ୍ତି। କିଏ ନିଅନ୍ତି ତ କିଏ ମୂଲଚାଲ କରି ଚାଲିଯାଆନ୍ତି। ଦିନକୁ ଜଣକା ୫୦ରୁ ୧୦୦ ଟଙ୍କା ପର୍ଯ୍ୟନ୍ତ ରୋଜଗାର ହୋଇଥାଏ ବୋଲି କହନ୍ତି ପିଲାମାନେ। ସ୍ଥାନୀୟ ରାଜନେତା କିମ୍ବା ପ୍ରଶାସନ କେବେ ଏମାନଙ୍କ ଥଇଥାନ କରିବା ଏବଂ ପାଠପଢ଼ାକୁ ସୁନିଶ୍ଚିତ କରିବା ନେଇ ଆଗ୍ରହ ଦେଖାଇ ନାହାନ୍ତି ବୋଲି ସାହି ଲୋକ କହନ୍ତି। ତେବେ ଏପରି ସମୟରେ ରାଜନେତା ଓ ପ୍ରଶାସନ ପିଲାମାନଙ୍କ ସୁରକ୍ଷିତ ଭବିଷ୍ୟତ ପାଇଁ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦାବି ହେଉଛି।

ସମ୍ବନ୍ଧିତ ଖବର